ଯାଜପୁର: ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିକୁ ପୁଣି ଥରେ ତୀବ୍ର କରିଛି ନବ ନିର୍ମାଣ କୃଷକ ସଂଗଠନ। ଶୁକ୍ରବାର ସଂଗଠନ ପକ୍ଷରୁ ଯାଜପୁର ଜିଲ୍ଲା କିଆନାଳି ଛକଠାରେ କରାଯାଇଛି କିଷାନ୍ ମହାସମାବେଶ।ଏହି ମହାସମାବେଶରେ ଯୋଗଦେଇ ଚାଷୀକୁଳ ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳା ଓ ଉଦାସୀନ ମନୋଭାବକୁ କଡ଼ା ସମାଲୋଚନା କରିଛନ୍ତି ନବନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ।
କିଆନାଳିଛକଠାରେ ସମବେତ ହୋଇଥିବା ହଜାର ହଜାର କୃଷକଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ପେନ୍ସନ୍ ଦେବେ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେବେ ପ୍ରାଇସ୍। ଉଭୟ କିନ୍ତୁ ଏ ଦିଗରେ ଅବହେଳା ପ୍ରଦର୍ଶନ କରୁଛନ୍ତି। ଜଣେ ଖୁବ୍ କଥା କହୁଥିଲା ବେଳେ ଆଉ ଜଣେ କିଛି କହନ୍ତି ନାହିଁ। ଚାଷୀମାନେ ନିଜର ଶକ୍ତି ପ୍ରଦର୍ଶନ କରିପାରିଲେ ଯାଇ ସେମାନେ ଦାବିପୂରଣ ଲାଗି ଅବଶ୍ୟ ବାଧ୍ୟ ହେବେ ବୋଲି କହିଛନ୍ତି ସୌମରଂଜନ। ସେ ଆହୁରି ମଧ୍ୟ କହିଥିଲେ ଯେ, ଚାଷୀମାନଙ୍କୁ ନିଜର ସାଂଗଠନିକ କ୍ଷମତା ଓ ଶକ୍ତି ସରକାରୀ କଳକୁ ଦେଖାଇବାକୁ ପଡ଼ିବ, ଯାହାଫଳରେ ସେମାନଙ୍କୁ ଆପେ ଆପେ ପ୍ରେଷ୍ଟିଜ୍ ମିଳିବ।
ଏହି ସମାବେଶରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଜିଲ୍ଲା ସଂଯୋଜକ ନିମାଇଁ ରାୟ ପ୍ରମୁଖ ଯୋଗ ଦେଇ ରାଜ୍ୟର ଚାଷୀଙ୍କ ପ୍ରତି ସରକାରୀ ଉଦାସୀନତାକୁ ସମାଲୋଚନା କରିଥିଲେ। ନବ ନିର୍ମାଣ କୃଷକ ସଂଗଠନର ଅନ୍ୟତମ ଉପଦେଷ୍ଟା ରବି ଦାସ ସମାବେଶରେ ଯୋଗଦେଇ ସମବେତ ଚାଷୀଙ୍କୁ ଉଦ୍ବୋଧନ ଦେଇଥିଲେ।
୧୦ ଦଫା ଦାବି ନେଇ ସଂଗଠନ ପକ୍ଷରୁ ଏହି ସମାବେଶ ଆୟୋଜିତ ହୋଇଛି। ଆଜି ସକାଳ ୧୦ଟାରେ ହଜାର ହଜାର ଚାଷୀ ଓ ବହୁ କୃଷକ ନେତା ଯାଜପୁର କଲେଜ୍ଛକ ଠାରେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ସଭାସ୍ଥଳରେ ପହଞ୍ଚଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/jajpur-6.jpg)