କାଳିଆ ଯୋଜନାକୁ ସମାଲୋଚନା କରି ନବନିର୍ମାଣ କୃଷକ ସଂଗଠନ କହିଲା; ପ୍ରାଇସ୍, ପେନସନ୍ ଓ ଋଣ ଛାଡ଼ରୁ ଖସିବାର ଏହା ବାହାନା

ଭୁବନେଶ୍ବର : ରାଜ୍ୟ ସରକାର ଚାଷୀଙ୍କ ପାଇଁ ଗତକାଲି କାଳିଆ ଯୋଜନା ଘୋଷଣା କରିଛନ୍ତି । ତେବେ ସରକାରଙ୍କ ଏହି ଯୋଜନାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଛି।  ଯୋଜନାକୁ ବିରୋଧ କରିଛି ନବନିର୍ମାଣ କୃଷକ ସଂଗଠନ । ଯୋଜନାକୁ କଟାକ୍ଷ କରି ‘କଳାତ୍ମକ’ ଯୋଜନା ବୋଲି କହିଛି ସଂଘ । ଏହା ନୂଆ ଯୋଜନା ନୁହେଁ; କେବଳ ପୁରୁଣା ଡ୍ରେସ୍‌କୁ ନୂଆ ଭାବେ ପ୍ୟାକିଂ କରାଯାଇଛି। ପ୍ରାଇସ୍, ପେନସନ୍ ଓ କୃଷି ଋଣ ଛାଡ଼ରୁ ଖସିବାର ଏହା ବାହାନା ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ସରକାର ଚାଷୀମାନଙ୍କ ଋଣ ଛାଡ କରିବା ପରେ ଓଡିଶା ସରକାର  ତରତର ହୋଇ ଯୋଜନା କରିଥିବା ନବିନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଅଭିଯୋଗ କରିଛନ୍ତି ।

ସରକାର ଯେଉଁ ଯୋଜନା ଘୋଷଣା କରିଛନ୍ତି ତାହା ପୂର୍ବରୁ ଚାଷୀଙ୍କ ପାଇଁ ଅନେକ ଯୋଜନା ରହିଛି । ତେଣୁ ସରକାର ସେହି ଯୋଜନାରେ ଟଙ୍କା ଖର୍ଚ୍ଚ ନ କରି କିପରି ଭାବରେ ପୁଣି ଥରେ ନୂଆ ଯୋଜନା ଘୋଷଣା କରିଛନ୍ତି .ବୋଲି ଅକ୍ଷୟ କୁମାର ପ୍ରଶ୍ନ କରିଛନ୍ତି । ଏହାସହ ସେ କହଛନ୍ତି ଯେ, ସରକାର ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି ଯୋଜନା କରିଛନ୍ତି । ୨୦୧୭-୨୮ ଆର୍ଥିକ ବର୍ଷରେ ଚାଷୀଙ୍କ ଉନ୍ନତି ପାଇଁ ୨୩୭୭ କୋଟି ଥିବା ସମୟରେ ରାଜ୍ୟ ସରକାର ୫୦୦ କୋଟି ଟଙ୍କା ପ୍ରାବଧାନର ବ୍ୟବସ୍ଥା କରିଥିଲେ । ତେବେ ନାବାର୍ଡ ଗତବର୍ଷ ୧୭ ହଜାର କୋଟିର ଯୋଜନା ରଖଥିବା ବେଳେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୪୦ ହଜାର କୋଟି ଟଙ୍କା ଯୋଜନା ରହିଛି ।

ଏହାସହ ପୂର୍ବରୁ ମନରେଗା ଯୋଜନାରେ ଗୃହପାଳିତ ପଶୁମାନଙ୍କ ପାଇଁ ଅନେକ ଯୋଜନା ରହିଛି । ଗ୍ରାମାଞ୍ଚଳରେ ଚାଷୀଙ୍କ ପାଇଁ ମଧ୍ୟ ଯୋଜନା ରହିଛି । ହେଲେ ସେହି ଯୋଜନାକୁ ଏବେ ସରକାର ଏକ ନୂଆ ରୂପରେ ଦେବାକୁ ଚେଷ୍ଟା କରୁଥିବା ଶ୍ରୀ କୁମାର କହିଛନ୍ତି । ଏହାସହ ବିନା ବାଧାରେ ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜାତୀୟ ବ୍ୟାଙ୍କରୁ ଋଣ ଦିଆଯିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗାଇଡଲାଇନ ରହିଛି। ତେବେ ସେହି ଗାଇଡଲାଇନ ଅନୁସାରେ ରାଜ୍ୟ ସରାକର କେତେ ଚାଷୀଙ୍କୁ ଋଣ ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅକ୍ଷୟ ।

ଏହାସହ ଭାଗଚାଷୀମାନଙ୍କୁ ଚିହ୍ନଟ କରିବା ଏକ ଜଟିଳ ପ୍ରକ୍ରିୟା ବୋଲି କହି ରାଜ୍ୟ ସରକାର ଏଡାଇ ଚାଲିଛନ୍ତି । ତେବେ ବର୍ତମାନ ସମୟରେ ଭାଗଚାଷୀକୁ ବିନା ଚିହ୍ମଟ କରି ଚାଷୀମାନଙ୍କୁ କିପରି ସହାୟତା ଦିଆଯାଇପାରିବ ବୋଲି ଶ୍ରୀ କୁମାର ପ୍ରଶ୍ନ କରିଛନ୍ତି । ଚାଷୀଙ୍କ ପାଇଁ ବଜେଟରେ ବିଭିନ୍ନ ପ୍ରକାର ଯୋଜନା କରାଯାଉଛି । ହେଲେ ପ୍ରକୃତରେ ତାହାର ଲାଭ ଚାଷୀମାନେ ପାଉ ନ ଥିବା ଅକ୍ଷୟ ଅଭିଯୋଗ କରିଛନ୍ତି । ସରକାର ବର୍ତମାନ ସମୟରେ ଚାପରେ ଅଛନ୍ତି ବୋଲି ଜଣାପଡୁଛି । ତେଣୁ ଚାଷୀମାନଙ୍କ ପାଇଁ ଏପରି ଏକ କାଳିଆ ଯୋଜନା ଘୋଷଣା କରିଛନ୍ତି । ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ବୀମା ମଧ୍ୟ ଚାଷୀଙ୍କୁ ମିଳୁନାହିଁ ବୋଲି ସେ କହିଛନ୍ତି । ତେବେ ଯୋଜନା ଯାହା ପାଇଁ ହେଉଛି ସେ ପାଉନଥିବା ସମୟରେ କିଛି ଦଳୀୟ କର୍ମୀ ସେହି ଟଙ୍କା ହଡପ କରୁଥିବା ଅକ୍ଷୟ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର