(ପୂର୍ବ ପ୍ରକାଶିତ ଉତ୍ତାରୁ)
୧୯୪୬ ମସିହା ଏପ୍ରିଲ ୪ରୁ ୯ ତାରିଖ ଯାଏ ଦ୍ବିତୀୟ ପୂର୍ବ ସ୍ବାଧୀନତା ବିଧାନସଭା ନିର୍ବାଚନ ହେଲା। ଏହି ବିଧାନସଭାକୁ ସଂଯୋଗ ବିଧାନସଭା (Link Assembly) କୁହାଯାଏ। ନବବାବୁ ଉତ୍ତର କେନ୍ଦ୍ରାପଡ଼ା ଆସନରୁ ନିର୍ବାଚନ ଲଢ଼ିଲେ। ନବବାବୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ମନ୍ତ୍ରିମଣ୍ଡଳରେ ସର୍ବବରିଷ୍ଠ ମନ୍ତ୍ରୀ ଭାବରେ ୨୩ ଏପ୍ରିଲ ୧୯୪୬ରେ ଶପଥ ଗ୍ରହଣ କରି ଅର୍ଥ କୃଷି, ଶିଳ୍ପ, ଜଙ୍ଗଲ, ସ୍ବାୟତ୍ତ ଶାସନ, ସମବାୟ, ଅବକାରୀ, ସାହାଯ୍ୟ ଓ ପୁନର୍ବସତି ବିଭାଗ ସମ୍ଭାଳିଲେ। ସେ ବର୍ଷର ନିର୍ବାଚନରେ ୪ ଜଣ ମନୋନୀତ ସଭ୍ୟ ବ୍ୟବସ୍ଥା ଥିବା ୬୦ ଆସନରୁ ୩୬ ଆସନ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇ ମୋଟ ୪୭ଟି ଆସନରେ କଂଗ୍ରେସ ଜିଣିଥିଲା। ଦୁଇବର୍ଷ ମନ୍ତ୍ରୀପଦରେ ରହିବା ପରେ ନବବାବୁ ହଠାତ୍‌ ୨୩ ଏପ୍ରିଲ ୧୯୪୮ ଦିନ ମୁଖ୍ୟମନ୍ତ୍ରୀ ମହତାବଙ୍କୁ ଇସ୍ତଫାପତ୍ର ଦେଇଦେଲେ (ସ୍ବାଧୀନତା ଦିନଠାରୁ ପ୍ରଧାନମନ୍ତ୍ରୀ ପଦ ମୁଖ୍ୟମନ୍ତ୍ରୀ ବୋଲି କୁହାଯାଉଥିଲା)। ସଭ୍ୟପଦରୁ ମଧ୍ୟ ଇସ୍ତଫା ଦେଇଥିଲେ ଯା’ ଯୋଗୁ ସେ ଜିଣିଥିବା ଉତ୍ତର କେନ୍ଦ୍ରାପଡ଼ାରେ ଉପନିର୍ବାଚନ ହୋଇ କଂଗ୍ରେସ ଦଳର ସହଦେବ ଦାସ ଜିଣିଲେ।

Advertisment

ନବବାବୁଙ୍କ ଇସ୍ତଫା କାରଣ ଉପରେ ଭିନ୍ନଭିନ୍ନ ମତ ପ୍ରକାଶ ପାଇଲା। ସବୁଠାରୁ ବେଶି ପ୍ରଚାର ହେଲା ଯେ ନବବାବୁ ନିଜ ଏକମାତ୍ର ପୁତ୍ରର ଆତ୍ମହତ୍ୟା କାରଣରୁ ଇସ୍ତଫା ଦେଇଛନ୍ତି। ନବବାବୁଙ୍କ ୧୭ ବର୍ଷିଆ ପ୍ରଥମ ବାର୍ଷିକ ବିଜ୍ଞାନ ଛାତ୍ର ବିନାୟକ (କାଲୁ), କଟକ ମେହେନ୍ତର ସଂଘର ଉଦ୍ୟେକ୍ତା ଥିଲେ, ସମାଜବାଦୀ ଦଳର ଜଣେ ଉତ୍ସାହୀ କର୍ମୀ। ସାଇକେଲରେ ଘରଘର ବୁଲି କୃଷକ ପତ୍ରିକା ବିକ୍ରି କରୁଥିଲେ। ସମାଜବାଦୀ ଦଳକୁ ଛାତ୍ର ଓ ଯୁବକମାନଙ୍କୁ ଆଣିବାରେ ନେତୃତ୍ବ ନେଉଥିଲେ। ପୂର୍ବ ଯାଜପୁର କଂଗ୍ରେସ ବିଧାୟକ ଗଦାଧର ଦତ୍ତଙ୍କ କଲେଜ ପଢ଼ୁଆ ଏକମାତ୍ର ଝିଅ ‘ଭାରତୀ’ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଡ଼ିଉଠିଥିଲା। ଗଦାଧରବାବୁଙ୍କ ପାରିବାରିକ ଅବସ୍ଥା ସେତେ ସ୍ବଚ୍ଛଳ ନଥିଲା। ସ୍ତ୍ରୀ ମାନସିକ ରୋଗୀ। ନବବାବୁ ଏହା ଜାଣିପାରି ଗଦାଧରଙ୍କୁ ପରାମର୍ଶ ଦେଲେ ଯେ ଝିଅର ଅନ୍ୟ କେଉଁଠି ବାହା କରିଦିଅ। ମାଳତୀ ସାହାଯ୍ୟ କରି ଭଲ ପାତ୍ର ଯୋଗାଡ଼ କରିବାରେ ସାହାଯ୍ୟ କରିବେ। କାଲୁ ଏହା ଜାଣି ମିୟମ୍ରାଣ ହୋଇ ତା’ ପ୍ରତି ଅବହେଳା ଓ ଅନ୍ୟାୟ କରାଯାଉଛି ବୋଲି ବିଷପିଇ ଆତ୍ମହତ୍ୟା କଲା। ଘଟଣା ମାର୍ଚ୍ଚ ୧୨ ତାରିଖର, ନବବାବୁ ମନ୍ତ୍ରୀ ଭାବରେ କଟକର କ୍ୟାଣ୍ଟନ୍‌ମେଣ୍ଟ ରୋଡର ୭ ନମ୍ବର କୋଠାରେ ରହୁଥିଲେ। ଏଥିରେ ମିୟମ୍ରାଣ ହୋଇ ନବବାବୁ ଇସ୍ତଫା ଦେଇଦେଲେ। ଇସ୍ତଫା ଉପରେ ଆଉ ଏକ କଥା ଉଠିଲା- ସେ ମନ୍ତ୍ରିମଣ୍ଡଳରେ ଅଣନିଶ୍ବାସୀ ଅନୁଭବ କଲେ।

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଯୋଗଦେବା ପାଇଁ ହରେକୃଷ୍ଣ ମହତାବ କେନ୍ଦ୍ରକୁ ଯିବା ସ୍ଥିର ହେଲା। ପ୍ରଧାନମନ୍ତ୍ରୀ ନେହରୁଙ୍କ ବିଶେଷ ଅନୁରୋଧ କ୍ରମେ ନବବାବୁ ୧୨ ମଇ ୧୯୫୦ରେ ମୁଖ୍ୟମନ୍ତ୍ରୀ ପଦରେ ଯୋଗଦେଲେ ଏବଂ ମହତାବ ଇସ୍ତଫା ଦେଇଥିବା ପୂର୍ବ ଭଦ୍ରକରୁ ଉପନିର୍ବାଚନ ଜିଣିଲେ। ନବବାବୁଙ୍କ ପ୍ରଥମ ମନ୍ତ୍ରିମଣ୍ଡଳ ୨୦ ଫେବ୍ରୁଆରି ୧୯୫୨ ପର୍ଯ୍ୟନ୍ତ ଚାଲିଲା। ସାବାଳକ ପ୍ରଥାରେ ପ୍ରଥମ ନିର୍ବାଚନ ୧୯୫୧ ଡିସେମ୍ବର ୨୦ରୁ ୧୯୫୨ ଜାନୁଆରି ୨୪ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା ଓ ଆସନ ସଂଖ୍ୟା ୧୪୦କୁ ବଢ଼ିଯାଇଥିଲା। ମୁଖ୍ୟମନ୍ତ୍ରୀ ପଦରେ ଥାଇ ବଡ଼ଚଣା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବରେ ଲଢ଼ି ୧୨୭୯୫ ଖଣ୍ଡ ଭୋଟ ପାଇ ୭୭୦୬ ଭୋଟ ବ୍ୟବଧାନରେ ସ୍ବାଧୀନପ୍ରାର୍ଥୀ ଜଗନ୍ନାଥ ଦାସଙ୍କୁ ପରାସ୍ତ କଲେ। ଅନ୍ୟପ୍ରାର୍ଥୀ କୁଳମଣି ମହାପାତ୍ର (ଏସ୍‌ପି) ୩୦୯୩, କାହ୍ନୁଚରଣ ଜେନା (ସି.ପି.ଆଇ) ୭୭୮ ଓ ସୂର୍ଯ୍ୟମଣି ଜେନା (ସ୍ବାଧୀନ) ୪୮୦ ଖଣ୍ଡ ଭୋଟ ପାଇଲେ। ନିର୍ବାଚିତ ହେବା ପରେ ନବବାବୁ ୨୦ ଫେବ୍ରୁଆରି ୧୯୫୨ରୁ ୧୮ ଅକ୍ଟୋବର ୧୯୫୬ ପର୍ଯ୍ୟନ୍ତ ୨ୟଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ଇସ୍ତଫା ଦେଇଦେବାରୁ ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ହେଲେ।
ରାଜେଶ ଅଗ୍ରୱାଲ
ଅତାବିରା, ବରଗଡ଼,
ଫୋନ୍- ୯୪୩୮୨୧୪୮୭୮