ଖଣ୍ଡଗିରି : ୧୯୭୧ ମସିହା ଭାରତ-ପାକିସ୍ଥାନ ଯୁଦ୍ଧର ଅନ୍ୟତମ ନାୟକ ନୌସେନା ଅଧିକାରୀ ଭାଇସ୍ ଆଡ୍ମିରାଲ ହୀରାଲାଲ ଶର୍ମା ଶହେ ବର୍ଷ ବୟସରେ ପାଦ ରଖିଛନ୍ତି। ବୁଧବାର ପାସ୍ପୋର୍ଟ ଅଫିସ ନିକଟସ୍ଥ ନ୍ୟାଭି ହାଉସ୍ରେ ତାଙ୍କ ଜନ୍ମ ଦିନ ପାଳନ ଅବସରରେ ତାଙ୍କ ଚାକିରି ଜୀବନର ସ୍ମୃତି ଉନ୍ମୋଚନ କରାଯାଇଥିଲା। ତାଙ୍କ ଜୀବନର ଅନେକ ଅକୁହା କଥା ଏହି ପୁସ୍ତିକାରେ ସ୍ଥାନ ପାଇଛି।
ଏହି ଅବସରରେ ଭାଇସ୍ ଆଡ୍ମିରାଲ ଶର୍ମା ତାଙ୍କ ଜୀବନର ସ୍ମୃତି ବଖାଣିଥିଲେ। ୧୯୭୧ ମସିହା ଭାରତ-ପାକ୍ ଯୁଦ୍ଧ ସହ ସେ ୧୯୬୫ ମସିହା ଯୁଦ୍ଧରେ ମଧ୍ୟ ନିଜର ବୀରତ୍ବ ପ୍ରଦର୍ଶନ କରିଥିଲେ। ବର୍ତ୍ତମାନ ଜୀବିତ ଥିବା ତତ୍କାଳୀନ ବରିଷ୍ଠ ସେନା ଅଧିକାରୀଙ୍କ ମଧ୍ୟରେ ଆଡ୍ମିରାଲ୍ ଶର୍ମା ଅନ୍ୟତମ। ଆସନ୍ତା ୧୩ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ନୌସେନାରେ ଯୋଗ ଦେଇ ଦେଶ ସେବାରେ ନିଜକୁ ଉତ୍ସର୍ଗ କରିଥିବା ଏହି ଯୋଦ୍ଧା ତାଙ୍କ ଜୀବନରେ ୩ଟି ଯୁଦ୍ଧର ସମ୍ମୁଖୀନ ହୋଇଛନ୍ତି। ମାତ୍ର ୧୩ ବର୍ଷ ୮ମାସ ବୟସରେ ଯୁବ କ୍ୟାଡେଟ୍ ଭାବେ ସେ ଏଚ୍ଏମ୍ଏସ୍ ଡଫେରିନ୍ରେ ଯୋଗ ଦେଇଥିଲେ। ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ସେ ବଙ୍ଗୋପସାଗରରେ ଫ୍ଲାଇଟ୍ କମାଣ୍ଡର ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ବୀରତ୍ବ ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।
‘ବାଂଲାଦେଶର ମୁକ୍ତି’ ଯୁଦ୍ଧରେ ଆଇଏନ୍ଏସ୍ ବିକ୍ରାନ୍ତ ଆଡ୍ମିରାଲ ଶର୍ମାଙ୍କ ଫ୍ଲାଗ୍ସିପ୍ ଥିଲା। ଇଷ୍ଟର୍ଣ୍ଣ ଫ୍ଲେଟ୍ ଯୋଜନାବଦ୍ଧ ଭାବେ ପାଞ୍ଚଟି ଦଳରେ ବିଭକ୍ତ ହୋଇ ଶତ୍ରୁ ବିରୋଧରେ ୯୩ଟି ଏୟାରଷ୍ଟ୍ରାଇକ୍ କରିଥିଲେ। ଫଳରେ ପାକିସ୍ତାନ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲା। ଭାରତୀୟ ନୌସେନାର ଏହି ପ୍ରବଳ ଆକ୍ରମଣରେ ପାକିସ୍ତାନୀ ସେନା ଛିନ୍ଛତ୍ର ହୋଇଯାଇଥିଲା। ଭାରତୀୟ ସେନାର ମିଳିତ ଆକ୍ରମଣ ଆଗରେ ସେମାନଙ୍କ ଆତ୍ମବଳ ଭାଙ୍ଗି ଯାଇଥିଲା। ୯୨ ହଜାର ପାକିସ୍ତାନୀ ସୈନ୍ୟ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ଡେପୁଟି ନାଭାଲ୍ ଅଫିସର ସୁଭାଷ ଚନ୍ଦ୍ର ଦାସଙ୍କ ସମେତ ନୌସେନାର ଅନ୍ୟ ଅଧିକାରୀ, ଅବସରପ୍ରାପ୍ତ ନୌସେନା ଅଧିକାରୀ ଓ ସେମାନଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/m3.jpg)