ବଲାଙ୍ଗିର : ଭାରତୀୟ ନୌସେନାର ବିମାନବାହୀ ଜାହାଜ ଆଇଏନ୍ଏସ୍-ବିରାଟ ସହିତ ଅନ୍ୟ ସମସ୍ତ ଜାହାଜଗୁଡ଼ିକ ଭିଆଇପିଙ୍କ ପାଇଁ ବ୍ୟବହାର କରାଯାଏ ନାହିଁ। ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ମିଳିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଫଳରେ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଥିବା ଅଭିଯୋଗରୁ କୌଣସି ଭିତ୍ତି ନଥିବା ଏହି ତଥ୍ୟରୁ ସ୍ପଷ୍ଟ ହୋଇଛି।
ଗତ ନିର୍ବାଚନ ପ୍ରଚାର ସମୟରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ନୌସେନାର ବିମାନବାହୀ ଜାହାଜ ଆଇଏନ୍ଏସ୍-ବିରାଟକୁ ନିଜ ପରିବାରର ଛୁଟି କାଟିବା ପାଇଁ ବ୍ୟବହାର କରିଥିଲେ ବୋଲି ଅଭିଯୋଗ କରିଥିଲେ। ଏହାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜୋର୍ ଧରିଥିଲା। ଏହା ଏକ ଗୁରୁତର ପ୍ରସଙ୍ଗ ହୋଇଥିବାରୁ ସୂଚନା ଅଧିକାରୀ କର୍ମୀ ଶ୍ରୀ ପଣ୍ଡା ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଭାରତୀୟ ସେନାର ସମନ୍ୱିତ ମୁଖ୍ୟାଳୟସ୍ଥିତ ନୌସେନା କାର୍ଯ୍ୟାଳୟକୁ ଆଇଏନ୍ଏସ୍ ବିରାଟ ସହିତ ଆଏନ୍ଏସ୍ ବିକ୍ରମାଦିତ୍ୟ ଜାହାଜ ଏବଂ ଅନ୍ୟ ଜାହାଜଗୁଡିକର ମୁତୟନ ସମ୍ପର୍କୀୟ ସମସ୍ତ ତଥ୍ୟ ଏବଂ କେଉଁ କେଉଁ ଭିଆଇପିଙ୍କ କାର୍ଯ୍ୟରେ ନୌସେନାର ଜାହାଜଗୁଡିକୁ କେବେ ବ୍ୟବହାର କରାଯାଇଛି, ସେ ସମ୍ପର୍କରେ ସବିଶେଷ ତଥ୍ୟ ମାଗିଥିଲେ।
ନୌସେନା ପକ୍ଷରୁ ଦିଆଯାଇଥିବା ତଥ୍ୟରେ ଉଲ୍ଲେଖ କରାଯାଇଛି େଯ, ଆଇଏନ୍ଏସ୍ ବିରାଟକୁ ୨୦୧୭ ମସିହା ମାର୍ଚ୍ଚ ୬ ତାରିଖ ଦିନ ସେବାରୁ ପ୍ରତ୍ୟାହାର କରାଯାଇଛି। କୌଣସି ଜାହାଜକୁ ଦେଶର ଭିଆଇପିଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଥିବା ସମ୍ପର୍କରେ ବିଭାଗରେ କୌଣସି ସୂଚନା ନାହିଁ। ଏଥିସହିତ, ଆଇଏନ୍ଏସ୍ ବିରାଟକୁ ଭାରତ ମହାସାଗର ଅଞ୍ଚଳରେ ମୁତୟନ କରାଯାଇଥିଲା ବୋଲି ତଥ୍ୟରେ କୁହାଯାଇଛି। ଏହି ତଥ୍ୟ ମିଳିବା ପରେ ପ୍ରଧାନମନ୍ତ୍ରୀ ଭୋଟ ପ୍ରଚାରବେଳେ ଜନସାଧାରଣଙ୍କୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିଥିଲେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)