ଆଭ୍ୟନ୍ତରୀଣ କନ୍ଦଳ ନେଇ ନବୀନଙ୍କ କଠୋର ଆଭିମୁଖ୍ୟ, ସାଂସଦ-ବିଧାୟକ ମିଳିମିଶି କାମ କରନ୍ତୁ

ସଂସଦରେ ଉଠିବ ନଦୀ, ଜିଏସ୍‌ଟି, ଓବିସି ପ୍ରସଙ୍ଗ, ସାଂସଦଙ୍କ ଦକ୍ଷତା ମାପିବେ ବିଜେଡି ମୁଖ୍ୟ

ଭୁବନେଶ୍ବର: ସାଂସଦ-ବିଧାୟକଙ୍କ ମଧ୍ୟରେ ଉପଯୁକ୍ତ ସମନ୍ବୟ ରହିବା ନିହାତି ଜରୁରି। ଉଭୟ ମିଶି ନିର୍ବାଚନମଣ୍ଡଳୀର ବିକାଶ କରିବେ। ସାଂସଦଙ୍କୁ ବାଦ ଦେଇ ବିଧାୟକମାନେ କାର୍ଯ୍ୟ କରିବେ ନାହିଁ କି ବିଧାୟକଙ୍କୁ ଛା଼ଡି ସାଂସଦ। ଯଦି ଏଥିରେ କିଛି ବ୍ୟତିକ୍ରମ ହେଉଛି, ତେବେ ତାଙ୍କ ନଜରକୁ ଆଣିବା ଲାଗି ଆଜି ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳର ସାଂସଦଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି। ବିଜେଡି ବିଧାୟକ ଓ ସାଂସଦଙ୍କ ଭିତରେ ତିକ୍ତ ସଂପର୍କ ନେଇ ଇତିମଧ୍ୟରେ ଅନେକ ଘଟଣା ସାମ୍ନାକୁ ଆସିଛି। ହେଲେ ପୁରୀ ଶ୍ରୀମନ୍ଦିର ବିକାଶ କାର୍ଯ୍ୟକ୍ରମ ହେଉ କି କଟକ ଏସସିବି ମେଡିକାଲ କଲେଜ ଉନ୍ନତୀକରଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ସତ୍ତ୍ବେ ସାଂସଦମାନଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ େହାଇଥିଲା। ଏହାକୁ ନେଇ ରାଜନୈତିକ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି େହାଇଥିଲା। ଠିକ୍ ଏହି ସମୟରେ ନବୀନଙ୍କ ଏଭଳି ସଙ୍କେତ ରାଜ୍ୟ ରାଜନୀତିକୁ ଭିନ୍ନ ଏକ ଆଲୋଚନା ପାଇଁ ଖୋରାକ ଯୋଗାଇଛି।

ଆଜି ପୂର୍ବାହ୍ନରେ ନବୀନ ନିବାସରେ ବିଜେଡି ସଂସଦୀୟ ଦଳ ବୈଠକ ବସିଥିଲା। ଉଦ୍ଦେଶ୍ୟ ଥିଲା, ସଂସଦର ଆସନ୍ତା ଅଧିବେଶନ ଲାଗି ରଣନୀତି ନିର୍ଧାରଣ ହେବ। ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଜଣାଇ ଦେଇଥିଲେ ଯେ ସାଂସଦଙ୍କ ଦକ୍ଷତା ସେ ମାପିବେ। ଏକ ନିର୍ଦିଷ୍ଟ ଫର୍ମାଟ୍ ସାଂସଦମାନଙ୍କୁ ଦିଆଯିବ। ଅଧିବେଶନ କେତେଦିନ ଧରି ବସିଲା, ସଂପୃକ୍ତ ସାଂସଦ କେତୋଟି ପ୍ରଶ୍ନ ପଚାରିଛନ୍ତି, ଶୂନ୍ୟକାଳ, ପ୍ରଶ୍ନକାଳରେ କେତେଥର ଭାଗ ନେଇଛନ୍ତି, କେଉଁ ବିତର୍କ ଆେଲାଚନାରେ ନିଜକୁ ସାମିଲ କରିଛନ୍ତି, ଏସବୁ ରେକର୍ଡ ପ୍ରତି ସାଂସଦ ତାଙ୍କୁ ଦେବେ।

ସୂଚନାଯୋଗ୍ୟ ଯେ ପ୍ରତି ୨ ମାସରେ ପରଫରମାନ୍ସ ରିପୋର୍ଟ ଦେବାକୁ ନବୀନ କହିଥିଲେ। ପୂର୍ବରୁ ସେ ଏ ସଂପର୍କରେ ସୂଚାଇଥିଲେ ହେଁ କାର୍ଯ୍ୟକାରୀ ହୋଇନଥିଲା। ସଂସଦ ରଣନୀତି ସଂପର୍କରେ ନବୀନ କହିଥିଲେ ଯେ ଯେଉଁ ସବୁ ରେଳ ପ୍ରକଳ୍ପରେ ରାଜ୍ୟ ସରକାର ଅର୍ଥ ଦେଇଛନ୍ତି ଅବା ମାଗଣାରେ ଜମି ଦିଆଯାଇଛି, ସେ କ୍ଷେତ୍ରରେ ଅଧିକ ଅର୍ଥ କିଭଳି ମିଳିବ, ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହେବ ସେ ନେଇ ସଂସଦରେ ଉଠାଯିବ। କୋଇଲା ରୟାଲଟି ସଂଶୋଧନ, ଗ୍ରୀନ ସେସ୍‌ରେ ଓଡ଼ିଶାକୁ ଭାଗ, ଜିଏସ୍‌ଟି କ୍ଷତିପୂରଣ, ଅନ୍ତଃରାଜ୍ୟ ନଦୀ ବିବାଦ ପ୍ରସଙ୍ଗକୁ ଉଠାଇବା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଥିଲେ। ସେହିଭଳି ଏନ୍‌ପିଆର୍‌ରେ ବାପା ମାଆଙ୍କ ଜନ୍ମସ୍ଥାନ ସଂପର୍କିତ ତଥ୍ୟ ପ୍ରଦାନ ବାଧ୍ୟତାମୂଳକ ପ୍ରସଙ୍ଗରେ ବିଜେଡି ଆପତ୍ତି ଉଠାଇଥିଲା। ହେଲେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହା ବାଧ୍ୟତାମୂଳକ ନଥିବା ସ୍ପଷ୍ଟ କରିସାରିଛି। ଏଣୁ ଏ ସଂପର୍କରେ ବିଶେଷ ତନାଘନା ନ କରି ଜାତି ସଂପର୍କିତ ତଥ୍ୟ ଦେବା ସ୍ଥାନରେ ଏସ୍‌ସି ଓ ଏସ୍‌ଟି ସହ ଓବିସି ରଖିବାକୁ ବିଜେଡି ଦାବି ଦୋହରାଇବ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଲୋଚନା ବେଳେ ସାଂସଦ ଭର୍ତୃହରି ମହତାବ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ, ଏକାମ୍ର, ସମଲେଶ୍ବରୀ ଏବଂ କଟକ ବଡ଼ ମେଡିକାଲର ବିକାଶ ନେଇ ପଦକ୍ଷେପ ନେଇଛନ୍ତି। ସବୁଠାରୁ ବଡ଼କଥା ହେଲା, ଲୋକଙ୍କୁ ଜମି ଛାଡିବା ଲାଗି ନିଜେ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି, ଯାହା ବିରଳ। ଏହାକୁ ସାଂସଦମାନେ ସ୍ବାଗତ କରୁଛନ୍ତି। ଶ୍ରୀ ମହତାବ କହିଥିଲେ ଯେ ମହାନଦୀ ଓ ପୋଲାଭରମ୍ ଭଳି ପ୍ରସଙ୍ଗ ଦୀର୍ଘ ୮ମାସ ଧରି ଉଠିନାହିଁ। ଗତ ସରକାର ସମୟରେ ଏହା ଉପରେ ଜୋରଦାର ଆଲୋଚନା କରାଯାଇଥିଲା। ଯଦି ଓଡ଼ିଶାର ସମସ୍ୟା ଓଡ଼ିଶାର ସାଂସଦମାନେ ନ ଉଠାଇବେ, ଆଉ କିଏ ଉଠାଇବ? ସଂସଦ ଚାଲିଥିବା ସମୟରେ ମୁଖ୍ୟମନ୍ତ୍ରୀ ଥରେ ନୂଆଦିଲ୍ଲୀ ଆସିବା ଲାଗି ସାଂସଦ ପିନାକୀ ମିଶ୍ର କହିଥିଲେ।

ଆଲୋଚନା ବେଳେ ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ପରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ସ୍ଥାନୀୟ ଅଞ୍ଚଳର ବିଧାୟକମାନଙ୍କ କାର୍ଯ୍ୟ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସାଂସଦ ଓ ବିଧାୟକଙ୍କ ପୃଥକ୍ ପୃଥକ୍ କାର୍ଯ୍ୟକ୍ରମ କଥା ନବୀନଙ୍କ ନଜରକୁ ଆସିଥିଲା। ଏହି ଘଟଣାରେ ନବୀନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଦଳର ଆଭ୍ୟନ୍ତରୀଣ ଶୃଙ୍ଖଳା ଉପରେ ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ। ସିଧା ସିଧା କହିଥିଲେ ଯେ ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ରହିଛି। ଦଳରେ ବିଶୃଙ୍ଖଳାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଯଦି ବିଧାୟକ ଓ ସାଂସଦଙ୍କ ଭିତରେ କୌଣସି ମତାନ୍ତର ବା ମନାନ୍ତର ରହୁଛି, ତେବେ ତାଙ୍କ ନଜରକୁ ଆଣିଲେ, ସେ ଏ ସଂପର୍କରେ ଆଲେଚାନା କରିବେ। ଏହି ଆଲୋଚନା ମଝିରେ ଶ୍ରୀ ମହତାବ ଭାଗ ନେଇ କହିଥିଲେ ‌ଯେ ପୂର୍ବରୁ ଖଲ୍ଲିକୋଟ ରାଣୀ ସୁଜ୍ଞାନ ଦେଓ ଓ ଗଞ୍ଜାମର ବରିଷ୍ଠ ନେତା ରାମକୃଷ୍ଣ ପଟ୍ଟନାୟକଙ୍କୁ ଏକାଠି ସାଙ୍ଗରେ ନେଇ କାମ କରିବା କ୍ଷେତ୍ରରେ ନବୀନ ଯେଉଁ ଉଦାହରଣ ଛାଡିଛନ୍ତି, ତାହାର ଅନୁପାଳନ ହେବା ଉଚିତ୍। କୌତୂହଳର କଥା ହେଉଛି, ଆଜିର ଆଲୋଚନାରେ ବିଧାନ ପରିଷଦ ବିଲ୍ ପ୍ରସଙ୍ଗ ଆଦୌ ସ୍ଥାନ ପାଇନଥିଲା। ସରକାର କେନ୍ଦ୍ର ଠାରୁ ଠୋସ୍ କିଛି ପ୍ରତିଶ୍ରୁତି ପାଇଛନ୍ତି ନା ଏ ପ୍ରସଙ୍ଗରେ ଭିନ୍ନ ରଣନୀତି ଗ୍ରହଣ କରାଯିବ, ତାହା ବୁଝାପଡୁନାହିଁ। େହଲେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ପିନାକୀ ମିଶ୍ର କିନ୍ତୁ କହିଥିଲେ ଯେ ବିଧାନ ପରିଷଦ ବିଲ୍ ଆଗତ ସଂପର୍କରେ ସଂସଦରେ ଦାବି ଉପସ୍ଥାପନ କରାଯିବ।

ସମ୍ବନ୍ଧିତ ଖବର