ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମ ପ୍ରଚାରର ପ୍ରତିଯୋଗିତା କରୁଛନ୍ତି। ଆସନ୍ତା କିଛି ବର୍ଷ ଭିତରେ ଗାନ୍ଧୀ, ନେହରୁ ପଟେଲ, ସୁଭାଷ ବୋଷ, ମୌଲାନା ଅବଦୁଲ କଲାମ୍ ଆଜାଦ୍, ଉତ୍କଳମଣି ଗୋପବନ୍ଧୁ, ମଧୁସୂଦନଙ୍କ ନାମ ସବୁଦିନ ପାଇଁ ଇତିହାସ ପୃଷ୍ଠାରୁ ଲୁଚେଇ ଦେବା ପାଇଁ ଏ ବୋଧ ହୁଏ ବିଜେପି ଓ ବିଜେଡିର ଏହା ମିଳିତ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି, କେନ୍ଦ୍ର ସରକାରଙ୍କ ସମସ୍ତ ବିଶ୍ବବିଦ୍ୟାଳୟ ଓ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ଏକ ସେଲ୍ଫି ପଏଣ୍ଟ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି।
୨୦ରୁ ମାସବ୍ୟାପୀ ଛାତ୍ର କଂଗ୍ରେସର ବିକ୍ଷୋଭ
ଏହାର ମୂଳ ଉଦ୍ଦେଶ୍ୟ ହେଲା ନିଜର ଆତ୍ମପ୍ରଚାର। ୨୪ ବର୍ଷ ଭିତରେ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ମିଳୁନାହିଁ, ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ଖର୍ଚ୍ଚ ହେଉଛି। ଅଥଚ ଖାଲି ପଡ଼ିଥିବା ପଦବି ପୂରଣ କରାଯାଉନାହିଁ। ରାଜ୍ୟର ଶିକ୍ଷା ବିଭାଗକୁ ଠିକା ଶିକ୍ଷକଙ୍କ ହାତରେ ଟେକିଦେଇ ସରକାର ଖୁସିରେ। ୨୦୧୪ ମସିହାରୁ ୨୦୨୨ ମସିହା ମଧ୍ୟରେ ୬୪୯୧ କୋଟି ଟଙ୍କାରୁ ଅଧିକ ଟଙ୍କା ନରେନ୍ଦ୍ର ମୋଦୀ ନିଜର ଆତ୍ମ ପ୍ରଚାର ପାଇଁ ଦେଶର ଜନସାଧାରଣ ଟିକସ ପଇସାକୁ ଖର୍ଚ୍ଚ କରିଛନ୍ତି। ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଶୈକ୍ଷିକ ବାତାବରଣ ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି।
ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ୟାସିର ନୱାଜ କହିଲେ, ରାଜ୍ୟରେ ୨୦୧୮ ମସିହାରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇଛି। ଶିକ୍ଷାନୁଷ୍ଠାନର ଭିତ୍ତଭୂମି ନିର୍ମାଣରେ ବ୍ୟାପକ ଦୁର୍ନୀତି ଦେଖିବାକୁ ମିଳିଛି। ଉଭୟ ସରକାରଙ୍କ ଛାତ୍ର ବିରୋଧୀ ନୀତି ପ୍ରତିବାଦରେ ୨୦ ରୁ ଜାନୁଆରି ୨୦ ମଧ୍ୟରେ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଦେଶ ଛାତ୍ର କଂଗ୍ରେସ ବିକ୍ଷୋଭ କରିବ ବୋଲି ୟାସିର କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ବଜିତ ଦାସ ଓ ବିପ୍ଲବ ଶିଳାଦିତ୍ୟ ଉପସ୍ଥିତ ଥିଲେ।