ନବୀନ ଓ ମୋଦୀ ସରକାର ରାଜ୍ୟ ପ୍ରଗତି‌ରେ ବାଧକ

ଭଦ୍ରକ: ରାଜ୍ୟ ଓ କେନ୍ଦ୍ର ସରକାର ଓଡିଶାର ପ୍ରଗତିରେ ଅନ୍ତରାୟ ସାଜିଛନ୍ତି। ନବୀନ ସରକାର ଦୁଇ ଦଶନ୍ଧିରୁ ଅଧିକ ସମୟ ଶାସନ କରିବା ପରେ ମଧ୍ୟ ଆଜି ଓଡିଶାର ଯୁବବର୍ଗ. କୃଷକ, ଶ୍ରମିକ, ମହିଳା ସର୍ବନିମ୍ନ ସୁବିଧାରୁ ବଞ୍ଚିତ ବୋଲି ଭଦ୍ରକରେ ଭାରତ ଯୋଡ଼-ଓଡ଼ିଶା ପରିବର୍ତ୍ତନ ଯାତ୍ରାରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟରେ ଯୁବବର୍ଗ କାମ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଚାଷୀ ସେମାନଙ୍କ ହକ୍ ପାଉନାହାନ୍ତି । ମହିଳାମାନେ ନିର୍ଯାତିତ। ପଡୋଶୀ ରାଜ୍ୟରେ ଧାନର ସର୍ବନିମ୍ନ ମୂଲ୍ୟ ୨୫ଶହ ଟଙ୍କା ହୋଇଥିବା ବେଳେ ଓଡିଶାରେ ସେହି ମୂଲ୍ୟ ପାଉନାହାନ୍ତି ଚାଷୀ। ଅଭାବୀ ବିକ୍ରି ଏହି ରାଜ୍ୟର ସର୍ବବୃହତ ସମସ୍ୟା । ଅପରପକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କର ନେତାମାନେ କହୁଥିଲେ ସୂର୍ଯ୍ୟ ଉଦୟ ଓଡିଶାରୁ ଆରମ୍ଭ ହେବ । ୮ବର୍ଷ ମଧ୍ୟରେ ସୂର୍ଯ୍ୟୋଦୟ ଦୂରର କଥା ସିନ୍ଦୂରା ବି ଫିଟିଲା ନାହିଁ। ଆରମ୍ଭ ହୋଇଥିବା ଭାରତ ଯୋଡ଼ ଓଡିଶା ପଦଯାତ୍ରାର ଉଦ୍ଦେଶ୍ୟ ହେଉଛି ରାଜ୍ୟର ଯୁବକ, କୃଷକ, ମହିଳା ଓ ଶ୍ରମିକଙ୍କ ସମସ୍ୟାକୁ ନେଇ ପ୍ରତିବାଦ କରିବା ଓ ସ୍ଥାନୀୟ ଅଂଚଳର ସମସ୍ୟା ସହିତ ଯୋଡ଼ି ହେବା। ରାଜ୍ୟ ଓ ଦେଶର ପ୍ରଗତି ପାଇଁ ଉଭୟ ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଭଣ୍ଡାରିପୋଖରୀରୁ ଆଜି ପୂର୍ବାହ୍ନରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ, ପ୍ରାକ୍ତନ ପିସିସି ସଭାପତି ଜୟଦେବ ଜେନା, ବାଲେଶ୍ବର ସଂସଦୀୟ କ୍ଷେତ୍ର ନେତା ନବଜ୍ୟୋତି ପଟ୍ଟନାୟକ, ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ବନ୍ଦିତା ପରିଡ଼ା, ବାଙ୍କନିଧି ବେହେରା, ଜିଆଉଲ୍ଲ ହକ୍‌, ପଦ୍ମାକର ଗୁରୁ ପ୍ରମୁଖଙ୍କ ନେତୃତ୍ୱରେ ଏହି ପଦଯାତ୍ରା ବାହାରି ଭଦ୍ରକରେ ପହଞ୍ଚିଥିଲା। ଆରଡ଼ି ଛକଠାରେ ଭଦ୍ରକ ବିଧାନସଭା ନେତା ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ପ୍ରଫୁଲ୍ଲ ସାମଲ, ଅବଦୁଲ ମୋକିଦ ଖାନ, ରାଜନ ଲାହା, ପୀତବାସ ଧଳ, ଅାଶ୍ରଫ ଅଲ୍ଲୀ ଖାନ, ବିଜୟ ବାରିକ, ଗୋଲକ ମହାପାତ୍ର, ଗୟାଧର ସେଠୀଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଓ ନେତୃମଣ୍ଡଳୀ ପଦାଯାତ୍ରୀ ଦଳଙ୍କୁ ସ୍ୱାଗତ ଜଣାଇଥିଲେ । ପରେ ଏହି ପଦଯାତ୍ରା ମହାତାବ ଛକ, ଷ୍ଟେଟ୍ ବ୍ୟାଙ୍କ ଛକ, ଟାଉନ ହଲ ଛକ, ନୂଆବଜାର, ରାଜଘାଟ ଛକ ଦେଇ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। ଅପରାହ୍ନ ୩ଟା ପରେ ଏହି ପଦଯାତ୍ରା ବାଇପାସ ଛକ, ଡାହାଣିଗଡ଼ିଆ ଛକ ଓ ଚରମ୍ପା ଦେଇ ଆଗକୁ ବଢ଼ିଥିଲା। ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ଅବଦୁଲ ସଲାମ, ରାଜୁ ରାୟ, ଟୋନୀ ଅଲ୍ଲୀ, ସେକ ସାହିଲ କାଦ୍ରୀ, ତନଭୀର ଖାନ, ଏନାମୁଲ ହକ୍‌, ଫେଣ୍ଟୁ ଆଲାମ, ରଂଜନ ଜେନା, ଇଲ୍ଲିୟାସ ଅଲ୍ଲୀ ଖାନ, ମିର୍ଜା ଏକ୍ରାମ ବେଗ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ସମ୍ବନ୍ଧିତ ଖବର