ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୨୦୯ ପଞ୍ଚାୟତ ପାଇଁ ୧୬୫୦ ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର : ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୯ଟି ଜିଲ୍ଲାର ୧୦ଟି ବ୍ଲକ୍‌ର ୨୦୯ ପଞ୍ଚାୟତ ପାଇଁ ୧୬୫୦ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ୍‌ଗୁଡ଼ିକ ହେଲା ଗଞ୍ଜାମ ଜିଲ୍ଲାର ଆସ୍କା, ପୁରୀ ଜିଲ୍ଲାର ପିପିଲି, ନୂଆପଡ଼ା ଜିଲ୍ଲାର ନୂଆପଡ଼ା, ଭଦ୍ରକ ଜିଲ୍ଲାର ଭଦ୍ରକ, କେନ୍ଦୁଝର ଜିଲ୍ଲାର ସଦର, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ଓ ଜଟଣୀ, ସମ୍ବଲପୁର ଜିଲ୍ଲାର ଢଙ୍କାଉଦା, ବରଗଡ଼ ଜିଲ୍ଲାର ଝାରବନ୍ଧ ଓ କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ୍‌। ମୋଟ୍‌ ପ୍ରକଳ୍ପର ମୂଲ୍ୟ ରହିଛି ୪୯.୬୯ କୋଟି ଟଙ୍କା।

ଆସ୍କା ବ୍ଲକ୍‌ର ୨୬ଟି ପଞ୍ଚାୟତ ପାଇଁ ୬.୫୦ କୋଟି ଟଙ୍କାରେ ୧୨୯ଟି ପ୍ରକଳ୍ପ, ପିପିଲି ବ୍ଲକ୍‌ର ୨୫ଟି ପଞ୍ଚାୟତ ପାଇଁ ୬.୫୭ କୋଟି ଟଙ୍କାରେ ୨୮୬ଟି ପ୍ରକଳ୍ପ, ନୂଆପଡ଼ା ବ୍ଲକ୍‌ର ୩୧ଟି ପଞ୍ଚାୟତ ପାଇଁ ୫.୮୨ କୋଟି ଟଙ୍କାରେ ୨୭୮ଟି ପ୍ରକଳ୍ପ, ଭଦ୍ରକ ବ୍ଲକ୍‌ର ୩୬ଟି ପଞ୍ଚାୟତ ପାଇଁ ୯ କୋଟି ଟଙ୍କାରେ ୨୯୩ଟି ପ୍ରକଳ୍ପ, କେନ୍ଦୁଝର ସଦର ବ୍ଲକ୍‌ର ୨୪ଟି ପଞ୍ଚାୟତ ପାଇଁ ୬ କୋଟି ଟଙ୍କାରେ ୧୭୬ଟି ପ୍ରକଳ୍ପ, ଭୁବନେଶ୍ୱର ବ୍ଲକ୍‌ର ୨୦ଟି ପଞ୍ଚାୟତ ପାଇଁ ୫ କୋଟି ଟଙ୍କାରେ ୧୦୯ଟି ପ୍ରକଳ୍ପ, ଜଟଣୀ ବ୍ଲକ୍‌ର ୧୫ଟି ପଞ୍ଚାୟତ ପାଇଁ ୩.୭୫ କୋଟି ଟଙ୍କାରେ ୧୦୭ଟି ପ୍ରକଳ୍ପ, ଢଙ୍କାଉଦା ବ୍ଲକ୍‌ର ୮ଟି ପଞ୍ଚାୟତ ପାଇଁ ୨.୨୫ କୋଟି ଟଙ୍କାରେ ୧୦୮ଟି ପ୍ରକଳ୍ପ, ଝାରବନ୍ଧ ବ୍ଲକ୍‌ର ୧୪ଟି ପଞ୍ଚାୟତ ପାଇଁ ୨.୮୦ କୋଟି ଟଙ୍କାରେ ୭୧ଟି ପ୍ରକଳ୍ପ ଏବଂ ଫୁଲବାଣୀ ବ୍ଲକ୍‌ର ୧୦ଟି ପଞ୍ଚାୟତ ପାଇଁ ୨ କୋଟି ଟଙ୍କାରେ ୯୩ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ରାଜ୍ୟର ୧୬୫ଟି ବ୍ଲକ୍‌ର ୩୭୧୭ଟି ଗ୍ରାମ ପଞ୍ଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏ ପର୍ଯ୍ୟନ୍ତ ୩୪୧୧୨ଟି ପ୍ରକଳ୍ପ ପାଇଁ ୮୪୩.୬୫ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ସମ୍ବନ୍ଧିତ ଖବର