ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୭ଟି ବ୍ଲକ ପାଇଁ ୩୬ କୋଟି ମଞ୍ଜୁର

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭ଟି ବ୍ଲକର ୧୪୮ଟି ପଞ୍ଚାୟତ ପାଇଁ ୧୫୦୬ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହିସବୁ ପ୍ରକଳ୍ପର ମୂଲ୍ୟ ମିଶି ୩୫ କୋଟି ୮୪ଲକ୍ଷ ଟଙ୍କା ହେବ ବୋଲି ହିସାବ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ, ମାଲକାନଗିରି ଜିଲ୍ଲାର କୋରକୁଣ୍ଡା, କଟକ ଜିଲ୍ଲାର ବାଙ୍କୀ ବ୍ଲକ, ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଲକ, କେନ୍ଦ୍ରାପଡା ଜିଲ୍ଲାର ମହାକାଳପ଼ଡା ବ୍ଲକ, ଖୋର୍ଧା ଜିଲ୍ଲାର ଟାଙ୍ଗୀ ଓ ପୁରୀ ଜିଲ୍ଲାର କଣାସ ବ୍ଲକର ଜନସାଧାରଣଙ୍କ ସହିତ ଅଲୋଚନା ପରେ ସେମାନଙ୍କ ପ୍ରସ୍ତାବକୁ ତତ୍କାଳ ମଞ୍ଜୁର କରାଯାଇଥିଲା। ଆଜି ମୁଖ୍ୟମନ୍ତ୍ରୀ ଏହି ଅବସରରେ ସୂଚନା ଦେଇ କହିଥିଲେ, ଏ ଟଙ୍କା ଆପଣମାନଙ୍କର, ଓଡ଼ିଶାବାସୀଙ୍କର। ଯେଉଁସବୁ ପ୍ରକଳ୍ପ ମଞ୍ଜୁର କରାଯାଉଛି, ସେଗୁଡିକୁ ଭଲ ଭାବରେ ଓ ଶୀଘ୍ର କରାଯିବା ଦରକାର। ଅନ୍ୟପକ୍ଷରେ ପ୍ରକଳ୍ପ ଗୁଡିକ ତୁରନ୍ତ ମଞ୍ଜୁର କରାଯାଇଥିବା ପରିପ୍ରେକ୍ଷୀରେ ପଞ୍ଚାୟତ ପ୍ରତିନିଧି ଓ ଜନସାଧାରଣ ଖୁସି ବ୍ୟକ୍ତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଠାରେ ଉଲ୍ଲେଖଥାଉକି, ଟାଙ୍ଗରପାଲି ବ୍ଲକର ୧୨ଟି ପଞ୍ଚାୟତ ପାଇଁ ୨ କୋଟି ୮୩ଲକ୍ଷ ଟଙ୍କାର ୮୭ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। କୋରକୁଣ୍ଡା ବ୍ଲକର ୧୧ଟି ପଞ୍ଚାୟତ ପାଇଁ ୨ କୋଟି ୨୦ଲକ୍ଷ ଟଙ୍କାର ୧୪୩ଟି ପ୍ରକଳ୍ପ ମଞ୍ଜୁର ଲାଭ କରିଥିବା ବେଳେ ବାଙ୍କୀ ବ୍ଲକର ୨୦ଟି ପଞ୍ଚାୟତ ୩୨୩ଟି ପ୍ରକଳ୍ପକୁ ଅର୍ଥ ଦିଆଯାଇଛି, ଯାହାର ମୂଲ୍ୟ ୪ କୋଟି ୮୮ଲକ୍ଷ ଟଙ୍କା ହେବ। ସେହିଭଳି କାମାକ୍ଷାନଗର ବ୍ଲକର ୨୧ଟି ପଞ୍ଚାୟତ ପାଇଁ ୫ କୋଟି ୨୮ଲକ୍ଷ ଟଙ୍କାର ୨୧୬ଟି ପ୍ରକଳ୍ପ, ମହାକାଳପଡା ବ୍ଲକର ୩୦ଟି ପଞ୍ଚାୟତ ପାଇଁ ୭ କୋଟି ୬୩ଲକ୍ଷ ଟଙ୍କାର ୨୬୮ଟି ପ୍ରକଳ୍ପ, ଟାଙ୍ଗୀ ବ୍ଲକର ୨୬ଟି ପଞ୍ଚାୟତ ପାଇଁ ୬ କୋଟି ୫୦ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଥିଲା। କଣାସ ବ୍ଲକର ୨୮ଟି ପଞ୍ଚାୟତ ପାଇଁ ୬ କୋଟି ୫୨ଲକ୍ଷ ଟଙ୍କା ବ୍ୟୟରେ ୨୩୩ଟି ପ୍ରକଳ୍ପ ମଞ୍ଜୁର କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଦେଓରଂଜନ ସିଂହ, ସଂପୃକ୍ତ ଅଞ୍ଚଳର ସାଂସଦ, ବିଧାୟକ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର