ସମ୍ବଲପୁର/କେନ୍ଦୁଝର/ନୟାଗଡ଼/କଙ୍କଡ଼ାହାଡ଼: ଓଡ଼ିଶାରେ ଏବେ ତାମିଲ ଶାସନ ଚାଲିଛି। ନବୀନବାବୁ କୌଣସି ନିଷ୍ପତ୍ତି ନେଇପାରୁନାହାନ୍ତି। ସେ ନାମକୁ ମାତ୍ର ଅଛନ୍ତି। ରାଜ୍ୟରେ ବାସ୍ତବରେ ବାବୁ ରାଜ୍ ଚାଲିଛି। ନବୀନ ବାବୁଙ୍କ ପଛରେ ଥିବା ଜଣେ ତାମିଲ୍ ଶାସନ କରି ରାଜ୍ୟ ରାଜକୋଷକୁ ହଡ଼ପ କରୁଛି। ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢ଼ିବାରେ ଲାଗିଛି। ଏହା ଓଡ଼ିଆଙ୍କ ପ୍ରତି ଅପମାନ। ଆଜି ଏମିତି କଡ଼ା ଭାଷାରେ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଓଡ଼ିଶାର ଶାସନ ଭାର କୌଣସି ଅଣଓଡ଼ିଆ ନୁହେଁ, ଜଣେ ଯୁବ ଓଡ଼ିଆଙ୍କ ହାତରେ ରହିବା ଦରକାର ବୋଲି ସେ କହିଛନ୍ତି। ଆଜି ଏକା ଦିନେ ଓଡ଼ିଶାର ଚାରିଟି ଜାଗାରେ ଆୟୋଜିତ ନିର୍ବାଚନୀ ସଭାରେ ଅମିତ ଶାହ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ସମ୍ବଲପୁର, ଅନୁଗୁଳ, କେନ୍ଦୁଝର ଓ ନୟାଗଡ଼ରେ ଆୟୋଜିତ ବିଶାଳ ନସମାବେଶଗୁଡ଼ିକରେ ସେ ଉଦ୍ବୋଧନ ଦେଇଥିଲେ। ସବୁ ସଭାରେ ସିଧାସଳଖ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ହମ୍ଲା କରିଥିଲେ। ସେ କହିଥିଲେ ଯେ ଓଡ଼ିଶାରେ ପ୍ରତିଭାଶାଳୀ ବ୍ୟକ୍ତି, ପରିଶ୍ରମ କରିବା ଲୋକ ଅଛନ୍ତି, କିନ୍ତୁ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ନାହାନ୍ତି। ନବୀନ ବାବୁ ଓଡ଼ିଶାକୁ ପଛକୁ ଠେଲି ଦେଇଛନ୍ତି। ତାଙ୍କର ବୟସ ବଢ଼ିଗଲାଣି। ସେ ଆଉ କାମ କରିପାରୁ ନାହାନ୍ତି। ଓଡ଼ିଶାର ଉନ୍ନତି ପାଇଁ ଜଣେ ଯୁବ ଓ ଉତ୍ସାହୀ ମୁଖ୍ୟମନ୍ତ୍ରୀର ଆବଶ୍ୟକତା ରହିଛି। ଓଡ଼ିଶାରେ ବିଜେପି ସରକାର ଗଢ଼ିଲେ ଜଣେ ଭୂମିପୁତ୍ର ଏଠାକାର ମୁଖ୍ୟମନ୍ତ୍ରୀ ହେବେ। ଆଉ ନବୀନବାବୁଙ୍କ କାର୍ଯ୍ୟକାଳରେ ଏବେ ଅବଲୁପ୍ତ ଆଡ଼କୁ ଗତି କରୁଥିବା ଓଡ଼ିଶାର ମହାନ ସଂସ୍କୃତି ଓ ପରମ୍ପରା, ଓଡ଼ିଆ ଅସ୍ମିତାର ସୁରକ୍ଷା ସହ ଏହାକୁ ଆଗକୁ ବଢ଼ାଇବା ପାଇଁ ସେ କାମ କରିବେ। ତେଣୁ ବିଜେଡି ସରକାରକୁ ବଙ୍ଗୋପସାଗରରେ ଫୋପାଡ଼ି ଦେଇ ବିଜେପିକୁ ସୁଯୋଗ ଦେବାକୁ ଶ୍ରୀ ଶାହ ଆହ୍ବାନ ଦେଇଛନ୍ତି।
ଓଡ଼ିଶାରେ ତାମିଲ ଶାସନ ଚାଲିଛି: ଅମିତ ଶାହ
ନବୀନ ବାବୁ ନିଷ୍ପତ୍ତି ନେଇପାରୁ ନାହାନ୍ତି, ନାମକୁ ମାତ୍ର ଅଛନ୍ତି
ଓଡ଼ିଶାର ଶାସନ ଭାର ଯୁବ ଓଡ଼ିଆଙ୍କ ହାତରେ ରହିବା ଦରକାର
ସଭାଗୁଡ଼ିକରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ କାଠଗଡ଼ାରେ ଠିଆ କରାଇଥିଲେ ଶାହ। ସେ କହିଲେ ଯେ ରାଜ୍ୟ ସରକାର ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ କରିବା ପାଇଁ ଉଦ୍ୟମ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ପରେ ରଥଯାତ୍ରା ସଂପନ୍ନ ହୋଇଥିଲା। ରତ୍ନ ଭଣ୍ଡାର ଚାବି ଗଲା କୁଆଡ଼େ? ନକଲି ଚାବି ଦ୍ବାରା ରତ୍ନଭଣ୍ଡାର ଖୋଲାଯାଇଛି କି ନାହିଁ? ବିଜେପି ସରକାର ଆସିଲେ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ହଜିବା ଘଟଣାର ତଦନ୍ତ ହେବ ଏବଂ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ବି ନିଆଯିବ। ଏହା ସହ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲାଯିବ। ସମ୍ବଲପୁରର ଅଇଁଠାପାଲି ପିଏଚ୍ଡି ପଡ଼ିଆରେ ଆୟୋଜିତ ସଭାରେ ଶାହ କହିଥିଲେ, ସମଗ୍ର ଓଡ଼ିଶାର ପ୍ରଗତି ସହିତ ଅବହେଳିତ ପଶ୍ଚିମ ଓଡ଼ିଶାର ବିକାଶକୁ ପ୍ରାଥମିକତା ଦିଆଯିବ। ଓଡ଼ିଶାରେ ୨୬ ଲକ୍ଷ ଘରକୁ ପିଇବା ପାଣି ସଂଯୋଗ ନାହିଁ। ୬୪୦୦ ଗାଁକୁ ରାସ୍ତା ନାହିଁ। ୮ ହଜାର ସ୍କୁଲ ବନ୍ଦ ହୋଇଯାଇଛି। ଓଡ଼ିଶାରେ ବିଜେପି ସରକାର ଆସିଲେ ବିଡି କାରିଗରଙ୍କ ପାଇଁ ୩ ମାସ ମଧ୍ୟରେ ଭବିଷ୍ୟନିଧି ପାଣ୍ଠି ବ୍ୟବସ୍ଥା କରିବ। କେନ୍ଦୁପତ୍ର ତୋଳାଳିମାନେ ପାଉଥିବା ପାରିଶ୍ରମିକ ୧ ଟଙ୍କା ୬୦ ପଇସାରୁ ୨ ଟଙ୍କା କରାଯିବ। ରାଜ୍ୟରେ ୧୫ ଲକ୍ଷ ଆବାସ ଗରିବ ହିତାଧିକାରୀଙ୍କୁ ଦିଆଯିବ। ସମ୍ବଲପୁରରେ ୫୦୦ ଶଯ୍ୟା ବିଶିଷ୍ଟ ଏକ ମେଡିକାଲ କଲେଜ ଓ ହସପିଟାଲ ସ୍ଥାପନ କରାଯିବ। ଓଡ଼ିଶା ସରକାର ଆଦିବାସୀମାନଙ୍କ ଜମି ବିକ୍ରି ପାଇଁ ପଦକ୍ଷେପ ନେଉଛନ୍ତି, କିନ୍ତୁ ବିଜେପି କ୍ଷମତାକୁ ଆସିଲେ ଆଦିବାସୀଙ୍କ ହିତ ପାଇଁ ବିଭିନ୍ନ ପଦକ୍ଷେପ ନେବା ସହିତ ମଧ୍ୟପ୍ରଦେଶ ଭଳି ପେସା ଆଇନ ଏଠାରେ ବି କାର୍ଯ୍ୟକାରୀ କରାଯିବ। ଚିଟ୍ଫଣ୍ଡ ଦୁର୍ନୀତିରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ଜମାକାରୀଙ୍କୁ ସେମାନଙ୍କ ଅର୍ଥ ଫେରସ୍ତ କରାଯିବ। ଧାନର କୁଇଣ୍ଟାଲ ପ୍ରତି ଦର ୩୧୦୦ ଟଙ୍କା କରାଯିବା, ଧାନ ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଟଙ୍କା ପ୍ରଦାନ, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର୍ ସହିତ ବୁଣାକାର, ମତ୍ସ୍ୟଜୀବୀ ଆଦି ସବୁ ବର୍ଗର ମଂଗଳ ପାଇଁ ପଦପେକ୍ଷ ନିଆଯିବ ବୋଲି କହିଥିଲେ। ସମ୍ବଲପୁରର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିର ବିଧାୟକ ପ୍ରାର୍ଥୀମାନଙ୍କୁ ଜିତାଇବାକୁ ଶାହ ନିବେଦନ କରିଥିଲେ।
କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ଶାହ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦିବାସୀଙ୍କ ବିକାଶ ପାଇଁ ଅହରହ ଚିନ୍ତା କରୁଛନ୍ତି। ପୂର୍ବରୁ ଆଦିବାସୀଙ୍କ ବିକାଶ ପାଇଁ ମାତ୍ର ୨୫ ହଜାର କୋଟି ଟଙ୍କାର ବଜେଟ କରାଯାଉଥିଲା। ଏବେ ୧ ଲକ୍ଷ ୨୫ ହଜାର କୋଟି ଟଙ୍କାର ବଜେଟ ହେଉଛି। ଓଡ଼ିଶାର ଜଣେ ଆଦିବାସୀ ଭଉଣୀଙ୍କୁ ଦେଶର ରାଷ୍ଟ୍ରପତି ଭାବେ ଅବସ୍ଥାପିତ କରାଯାଇଛି। କେନ୍ଦୁଝର ଏକ ରତ୍ନଗର୍ଭା ଜିଲ୍ଲା ହୋଇଥିବା ବେଳେ ଏହାର ଅଧିବାସୀ କାହିଁକି ଗରିବ ବୋଲି ସେ ପ୍ରଶ୍ନ କରିଛନ୍ତି। ରତ୍ନଗର୍ଭା ଜିଲ୍ଲାକୁ ରାଜ୍ୟ ସରକାରଙ୍କ ସହଯୋଗରେ ବାହାର ଲୋକେ ଲୁଟୁଛନ୍ତି। ବିଜେପି ସରକାରକୁ ଆସିଲେ କେନ୍ଦୁଝରରେ ୫୦୦ ଶଯ୍ୟା ବିଶିଷ୍ଟ ଏକ ବୃହତ ଚିକିତ୍ସାଳୟ ନିର୍ମାଣ କରାଯିବ। କେନ୍ଦୁଝର ଲୋକସଭା କ୍ଷେତ୍ରର ୭ ବିଧାନସଭା ଆସନରେ ବିଜେପି ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀ ଅନନ୍ତ ନାୟକଙ୍କୁ ଜିତାଇବାକୁ ସେ ଆହ୍ବାନ ଦେଇଥିଲେ। ନୟାଗଡ଼ର ଲାଠିପଡ଼ାରେ ଆୟୋଜିତ ସମାବେଶରେ ଶାହ କହିଲେ, ନୟାଗଡ଼ରେ ସମସ୍ତ ପ୍ରକାର ସୁଯୋଗ ରହିଛି। ମାତ୍ର ଏଠାରେ କିଛି ବି ଉନ୍ନତି ହୋଇନାହିଁ। ନବୀନ ବାବୁଙ୍କୁ ୨୫ ବର୍ଷ ସୁଯୋଗ ଦେଲ, ବିଜେପିକୁ ମାତ୍ର ୫ ବର୍ଷ ଦିଅ। ନୟାଗଡ଼ ପରି ସହରକୁ ଦେଶର ଏକ ପ୍ରମୁଖ ଜିଲ୍ଲା କରି ଦେଖାଇବୁ। ନୟାଗଡ଼ରେ ବନ୍ଦ ପଡ଼ିଥିବା ଚିନିକଳକୁ ତିନି ମାସ ମଧ୍ୟରେ ଖୋଲାଯିବ। ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସହ ବିଜେପି ବିଧାୟକ ପ୍ରାର୍ଥୀମାନଙ୍କୁ ଭୋଟ୍ ଦେବାକୁ ସେ ନିବେଦନ କରିଥିଲେ। ଅନୁଗୁଳ ଜିଲ୍ଲାର ପର୍ଜଙ୍ଗ ନିର୍ବାଚନମଣ୍ଡଳୀ କଙ୍କଡ଼ାହାଡ଼ ବ୍ଲକ୍ ବାଟଗାଁଠାରେ ଆୟୋଜିତ ସମାବେଶରେ ଶାହ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣିଙ୍କ ସମେତ ବିଧାୟକ ପ୍ରାର୍ଥୀମାନଙ୍କ ପାଇଁ ଭୋଟ୍ ମାଗିଥିଲେ।