ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏବେ ନିଜର ଓ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି। ଶ୍ରୀ ମିଶ୍ର ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ସମ୍ବଲପୁରରେ ଆମ ଘର ଆଗରେ ବିକ୍ଷୋଭ ହେଉଛି। ଆପଣ ଦେଖିଥିବେ କିଛି ଦିନ ତଳେ ବିଜେଡି କର୍ମୀମାନେ ସମ୍ବଲପୁର ସର୍କିଟ ହାଉସ୍‌କୁ ଧସେଇ ପଶିଥିଲେ, ଆଉ ଭଙ୍ଗାରୁଜା କରିଥିଲେ। ମୁଁ ଯଦି ସେଠି ଥା’ନ୍ତି ତେବେ ସେଦିନ ବୋଧେ ମୋତେ ହତ୍ୟା କରିଦିଆଯାଇଥାନ୍ତା। ଆଜି ମୁଁ ଗୃହରେ ଓ ଗୃହ ବାହାରେ ସଂପୂର୍ଣ୍ଣ ଭାବେ ଅସୁରକ୍ଷିତ।

Advertisment

ଯଦିଓ ମୁଁ ଆଜି ଅସୁରକ୍ଷିତ କିନ୍ତୁ ମୁଁ ସରକାରଙ୍କ ସହଯୋଗ ଲୋଡ଼ୁ ନାହିଁ। ମୁଁ ମୋର ସୁରକ୍ଷାକର୍ମୀଙ୍କୁ ଫେରସ୍ତ କରିଦେଇଛି। କିନ୍ତୁ ମୋର କିମ୍ବା ମୋ ପରିବାରର ଯଦି କିଛି କ୍ଷତି ହୁଏ ତାହେଲେ ନବୀନ ବାବୁ ଦାୟୀ ରହିବେ। ବିରୋଧୀ ଦଳ ନେତାଙ୍କ ଅଭିଯୋଗ ଉପରେ ଜବାବ୍ ରଖି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ଯେ ଏହା ଗୋଟେ ରାଜନୈତିକ ଡ୍ରାମା। ଏଇଟା ଜମ୍ମୁ କଶ୍ମୀର କି ପଞ୍ଜାବ ନୁହେଁ ଯେ ତାଙ୍କ ଜୀବନ ପ୍ରତି ବିପଦ ଅଛି। ନିଜେ ଘଟାଉଥିବା ଘଟଣା ଉପରେ ଘଣ୍ଟ ଘୋଡ଼ାଇବା ପାଇଁ ଏବଂ ଆଲୋଚନାରୁ ନଜର ହଟାଇବା ପାଇଁ ଏହିଭଳି ଉଦ୍ଭଟ ଚିନ୍ତାଧାରା ଆସୁଛି।