ଭୁବନେଶ୍ବର: ନବୀନବାବୁଙ୍କ ଜୀବନୀ ଏକ ଅଦ୍ଭୁତ ପ୍ରେମକାହାଣୀ। ଏକ ପ୍ରେମ ଓ ପ୍ରତାରଣାର କାହାଣୀ। ଓଡ଼ିଶାର ଲୋକେ ତାଙ୍କୁ ଭଲ ପାଇବାରେ ଆଦୌ କାର୍ପଣ୍ୟ କରିନାହାନ୍ତି। ତାଙ୍କୁ ଭଲ ପାଇ ପ୍ରତିଥର ଅଧିକରୁ ଅଧିକ ଭୋଟ୍ ଦେଇ ନିର୍ବାଚିତ କରିଛନ୍ତି। ଏବେ ମଧ୍ୟ ସବୁ ଓଡ଼ିଆଙ୍କର ସେ ହୃଦୟ ସମ୍ରାଟ କହିଲେ ଅତ୍ୟୁକ୍ତି ହେବନାହିଁ। ନବୀନବାବୁ ଏତେ ସଫଳ, ନିରଙ୍କୁଶ କ୍ଷମତା, ସମର୍ଥନ ପାଇ ମଧ୍ୟ ଆଜି କାହିଁକି ଓଡ଼ିଶା ପଛରେ ଏ ପ୍ରଶ୍ନର ଉତ୍ତର ନେତୃତ୍ବମାନଙ୍କୁ ଦେବାକୁ ପଡ଼ିବ। ଓଡ଼ିଆ ଝିଅକୁ ପ୍ରେମ କରୁଥିବା ପ୍ରେମିକଟି କିଛି ଦିନ ଭିତରେ ଓଡ଼ିଆ ଭାଷା ଶିଖିପାରୁଛି। ହେଲେ ସେ ୨୪ ବର୍ଷ ପରେ ମଧ୍ୟ ଓଡ଼ିଆ ଭାଷା କହିବାକୁ ଚେଷ୍ଟା କଲେ ନାହିଁ। ଭଲ ପାଇବାର ପ୍ରତିଦାନରେ ଓଡ଼ିଆ ଭାଷା, ଖାଦ୍ୟ, ପୋଷାକ ଓ ଓଡ଼ିଆପଣକୁ ଆପଣାର କରିପାରିଲେ ନାହିଁ। ଏବେ ମଧ୍ୟ ଓଡ଼ିଆ ଜାତିକୁ ଚିନ୍ତା କରିବାକୁ ପଡ଼ିବ, ଆମେ ଯାହାକୁ ଏତେ ଭଲ ପାଇଲୁ, ତା ବଦଳରେ ପାଇଲୁ କ’ଣ? ଆମ ଖଣି ଗଲା, ଆମ କୃଷି ଗଲା, ମହାନଦୀ ପାଣି ଗଲା। ଦେଲୁ କେତେ? ପାଇଲୁ କେତେ ? ଏ ଗଣିତ ଲେଖିବା ପାଇଁ ଆଉ ଜଣେ ପଞ୍ଚାନନଙ୍କ ଆବଶ୍ୟକତା ଅଛି। ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋଙ୍କ ଲିଖିତ ‘ମାନ୍ୟବର ମୁଖ୍ୟମନ୍ତ୍ରୀ: ସମ୍ପର୍କ ଓ ସମ୍ପର୍କିତ’ ପୁସ୍ତକ ପାଠକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ।
ପଞ୍ଚାନନ କାନୁନ୍ଗୋଙ୍କ ‘ମାନ୍ୟବର ମୁଖ୍ୟମନ୍ତ୍ରୀ: ସମ୍ପର୍କ ଓ ସମ୍ପର୍କିତ’ ପୁସ୍ତକ ପାଠକାର୍ପିତ
ପୁସ୍ତକର ପ୍ରକାଶକ ବିକେ ପବ୍ଲିକେସନ ଦ୍ବାରା ଆୟୋଜିତ ଏହି ଉତ୍ସବରେ ସଭାପତିତ୍ବ କରି ବିଶିଷ୍ଟ କଥାଶିଳ୍ପୀ ଅଧ୍ୟାପକ ବିଶ୍ବରଂଜନ କହିଲେ, ରାଜନୀତିରେ କେବଳ ରୂପ ବଦଳିଛି। କିନ୍ତୁ ରଙ୍ଗ ବଦଳି ନାହିଁ। ପୂର୍ବରୁ ଓ ଏବେ ରାଜ୍ୟରେ ବିଜେଡି ଓ ବିଜେପି ମିଳିମିଶି ଶାସନ କରୁଛନ୍ତି। ଏହି ପୁସ୍ତକ ରାଜନୈତିକ ଘଟଣାବଳୀର ଏକ ଐତିହାସିକ ଦସ୍ତାବିଜ୍। ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାଶିଳ୍ପୀ ଦାଶ ବେନହୁର ପୁସ୍ତକ ସମୀକ୍ଷା କରି କହିଲେ, ୨୭୨ ପୃଷ୍ଠା ଓ ୨୮ ବିଭାଗ ଥିବା ଏହି ପୁସ୍ତକ ଏକ ନିର୍ଦ୍ଦିଷ୍ଟ କାଳଖଣ୍ଡ ତଥା ନବୀନ ପଟ୍ଟନାୟକଙ୍କ ଉପରେ ଲେଖାଯାଇଛି। ଏହି ପୁସ୍ତକ କୌଣସି ଗଳ୍ପ, କବିତା କିମ୍ବା ପ୍ରବନ୍ଧ ନୁହେଁ। ସମାଲୋଚନା ଓ ଅନୁଶୀଳନର ପୁସ୍ତକ। ଏହି ପୁସ୍ତକ ଜନଶିକ୍ଷାର ଏକ ମାଧ୍ୟମ। ଏଥିରେ ଅନେକ ଅନାଲୋଚିତ ତଥ୍ୟ ରହିଛି। ନବୀନଙ୍କ ଆକସ୍ମିକ ପ୍ରବେଶ, ବିଜେଡି ଗଠନ, ବିଜେଡିର ସମ୍ବିଧାନ, ନବୀନ-ପଞ୍ଚାନନଙ୍କ ସମ୍ପର୍କ, ପ୍ୟାରୀମୋହନଙ୍କ ସମୟକାଳ ସହ ଅନେକ କଥା ବର୍ଣ୍ଣନା କରାଯାଇଛି। ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରି ଶ୍ରୀ କାନୁନ୍ଗୋ କହିଲେ, ଇତିହାସକୁ ଭୁଲ୍ ବାଟରେ ନେଲେ ତାହା ଅକ୍ଷମଣୀୟ। ଏହି ପୁସ୍ତକ ତଥ୍ୟ ଓ ସତ୍ୟ ଘଟଣାକୁ ନେଇ ଉପସ୍ଥାପନା କରାଯାଇଛି। ଯଦି ପୁସ୍ତକରେ କୌଣସି ଅସଙ୍ଗତି ବା ଭୁଲ୍ ତଥ୍ୟ ରହିଛି ତେବେ ପାଠକ ସମାଜ ଚିଠି ଯୋଗେ ଜଣାଇବା ପାଇଁ ସେ ନିବେଦନ କରିଥିଲେ। ଉପସ୍ଥାପିକା ମଧୁମିତା ଅତିଥିଙ୍କୁ ସ୍ବାଗତ କରିଥିବା ବେଳେ ପ୍ରକାଶକ ବିଜୟ ମହାପାତ୍ର ଧନ୍ୟବାଦ ଦେଇଥିଲେ।