ନୀତି ଆୟୋଗ ବୈଠକରେ ନବୀନ : ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟ ପାହ୍ୟା ଲାଗି ମାପଦଣ୍ଡ ପରିବର୍ତ୍ତନ ଦାବି ସହ ଦେଶରେ ଏକକ ନିର୍ବାଚନ ପାଇଁ ପରାମର୍ଶ ଦେଲେ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୀତି ଆୟୋଗ ବୈଠକରେ ଯୋଗ ଦେଇ ବାତ୍ୟା ଫନି ପରବର୍ତ୍ତୀ ପୁନରୁଦ୍ଧାର ପାଇଁ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ସହାୟତା ଏବଂ ଓଡ଼ିଶାକୁ  ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟ ପାହ୍ୟା ଦେବାକୁ ଦାବି କରିଛନ୍ତି। ଏଥିସହ ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟ ପାହ୍ୟା ଲାଗି ରହିଥିବା ମାପଦଣ୍ଡକୁ ବଦଳା ଯିବାକୁ ଦାବି ଉପସ୍ଥାପନ କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟକୁସ୍ୱତନ୍ତ୍ର ଫୋକସ୍‌ ରାଜ୍ୟ ପାହ୍ୟା ଦିଆଯାଉ।

ବୈଠକରେ ଦେଶରେ ଏକକ ନିର୍ବାଚନ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ। ସେ କହିଥିଲେ କି ବାରମ୍ବାର ନିର୍ବାଚନ ହେବା ଫଳରେ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ତେଣୁ ଦେଶରେ ଏକ ସଙ୍ଗେ ସବୁ ରାଜ୍ୟର ବିଧାନସଭା ଓ ଲୋକସଭା ନିର୍ବାଚନ ଏକକାଳୀନ କରାଯାଉ। ଏଥିସହ ସବୁ କ୍ଷେତ୍ରରେ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦିଆଯାଉ।

NDTV.com

ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ୩ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି ଅନ୍ୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥିଲେ। ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ବୈଠକକୁ ବର୍ଜନ କରିଥିଲେ।

ନୀତି ଆୟୋଗ ବୈଠକରେ ଯୋଗ ଦେବା ପରେ ସପ୍ତାହ ବ୍ୟାପୀ ରହଣି ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ଯୋଗେ ଆଜି ସଂଧ୍ୟାରେ ଭୁବନେଶ୍ୱର ଫେରି ଯାଇଛନ୍ତି। ନବୀନ ତାଙ୍କ ଦିଲ୍ଲୀ ରହଣି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

ସମ୍ବନ୍ଧିତ ଖବର