ଭୁବନେଶ୍ବର: ପ୍ରତିଷ୍ଠା ଦିବସରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ବିରୋଧରେ ପ୍ରତ୍ୟକ୍ଷ ରାଜନୈତିକ ଯୁଦ୍ଧ ଡାକରା ଦେଇଛନ୍ତି। କହିଛନ୍ତି ଯେ ମହିଳାଙ୍କୁ ଆଗ ସଂରକ୍ଷଣ ଦିଅ। ଅନ୍ୟଥା ବିଜେଡି ଗୋଟିଏ ଆଞ୍ଚଳିକ ଦଳ ହେଲେ ମଧ୍ୟ ସଂସଦ ଓ ବିଧାନସଭାରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦେବାକୁ ତା’ର ସ୍ୱରକୁ ଜୋରଦାର କରିବ। ପ୍ରତି ଲୋକସଭା ଓ ରାଜ୍ୟସଭା ଅଧିବେଶନରେ ବିଜେଡି ସାଂସଦମାନେ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ଉପରେ ଚାପ ସୃଷ୍ଟି କରିବେ। ଭାରତର ସବୁ ମହିଳାଙ୍କ ନିକଟରେ ଏହି କଥାଟି ପହଞ୍ଚାଇବେ। କେବଳ ସେତିକି ନୁହେଁ, ବିଧାନସଭାର ପ୍ରତି ଅଧିବେଶନରେ ବି ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇବ ବିଜେଡି। ବିଜେପି ବିରୋଧରେ ନବୀନ ନିଜ ଆଭିମୁଖ୍ୟ ଆହୁରି ସ୍ପଷ୍ଟ କରି କହିଛନ୍ତି ଯେ ସଂସଦ କିମ୍ବା ବିଧାନସଭାରେ ଏହି ପ୍ରସଙ୍ଗ ସୀମିତ ରହିବ ତା ନୁହେଁ, ମହିଳା ସଂରକ୍ଷଣ ପ୍ରସଙ୍ଗରେ ଗାଁ ଗାଁରେ ଓ ସବୁ ଘରେ ଘରେ ମା’ମାନଙ୍କୁ ସଚେତନ କରାଯିବ। ମହିଳାମାନଙ୍କୁ ସେମାନଙ୍କ ହକ୍ ମିଳିବା ପର୍ଯ୍ୟନ୍ତ ଉଭୟ ରାଜ୍ୟ ଏବଂ ଜାତୀୟସ୍ତରରେ ବିଜେଡି ଲଢ଼େଇ ଜାରି ରହିବ ଓ ଏହାକୁ ଏକ ଆନ୍ଦୋଳନର ରୂପ ଦିଆଯିବ। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ପୂର୍ବରୁ କେନ୍ଦ୍ରକୁ ଟାର୍ଗେଟ୍ କରିଥିବା ନବୀନ ଆଜି ତାଙ୍କର ଆଭିମୁଖ୍ୟକୁ ଆହୁରି କଠୋର କରିବା ଘଟଣା ଉଭୟ ରାଜ୍ୟ ଓ ଜାତୀୟସ୍ତରର ରାଜନୈତିକ ପର୍ଯ୍ୟବେକ୍ଷକଙ୍କୁ ଆନ୍ଦୋଳିତ କରିଛି।
ସଂସଦ, ବିଧାନସଭାର ସବୁ ଅଧିବେଶନରେ ଏ ପ୍ରସଙ୍ଗ ଉଠିବ
ଓଡ଼ିଶାରେ ଗାଁ ଗାଁରେ ମା’ଙ୍କୁ ସଚେତନ କରାଯିବ, ହକ୍ ମିଳିବା ଯାଏ ଲଢ଼ିବ
ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଜୁ ବାବୁଙ୍କୁ ଆଗକୁ ଆଣି ନବୀନ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଥିଲେ। ବିଜୁ ବାବୁ ଏକଦା କହିଥିଲେ, ‘‘ ମୁଁ ନିଶ୍ଚିତ ଯେ ମା’ ଓ ଭଉଣୀମାନେ ଯେଉଁମାନେ ଅତ୍ୟନ୍ତ ଦକ୍ଷତାର ସହିତ ନିଜ ପରିବାର ଚଳାଉଛନ୍ତି, ସେମାନେ ଅନୁରୂପ ଦକ୍ଷତାର ସହିତ ପଞ୍ଚାୟତସମିତି ଓ ଜିଲ୍ଲା ପରିଷଦ ଚଳାଇପାରିବେ।’’ ମା’ ମାନେ ହେଉଛନ୍ତି ସମାଜ ଅଖ। ସେମାନଙ୍କ ବିନା ପ୍ରଗତିରେ ରଥ ଆଗକୁ ବଢ଼ି ପାରିବ ନାହିଁ। ତାଙ୍କ ନିଜର ମଧ୍ୟ ମହିଳା ସଶକ୍ତୀକରଣ ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ବୋଲି ନବୀନ ସୂଚାଇଥିଲେ। କହିଥିଲେ, ମା’ ମାନେ ଆଗେଇଲେ ହିଁ ସମାଜ ଆଗେଇବ।
ନବୀନ ଆଜି ବିଜୁଙ୍କ ଶାସନକାଳର କଥା ସ୍ମରକଣ କରାଇଥିଲେ। କହିଥିଲେ, ୧୯୯୨ ରେ ବିଜୁ ବାବୁ ମହିଳାମାନଙ୍କ ପାଇଁ ପଞ୍ଚାୟତ, ପୌରସଂସ୍ଥା ଓ ସରକାରୀ ଚାକିରିରେ ୩୩% ସ୍ଥାନ ସଂରକ୍ଷଣ କରି ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲେ। ବିଜୁ ବାବୁଙ୍କ ଆଦର୍ଶରେ ଚାଲିଥିବା ତାଙ୍କ ସରକାର ପଞ୍ଚାୟତ ଓ ପୌରସଂସ୍ଥାଗୁଡ଼ିକରେ ମା’ମାନଙ୍କ ପାଇଁ ୫୦% ଆସନ ସଂରକ୍ଷଣ କରିଛନ୍ତି। ସଂସଦ ଓ ବିଧାନସଭାରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦେବା ପାଇଁ ବିଜେଡି ଲଢ଼େଇ କରୁଛି। ବିଜେଡି କଥାରେ ନୁହେଁ, କାମରେ ବିଶ୍ୱାସ କରେ। ଏଣୁ ଦେଶର ଏକମାତ୍ର ଦଳ ଭାବେ କେବଳ ବିଜେଡି ହିଁ ୨୦୧୯ ସାଧାରଣ ନିର୍ବାଚନରେ ୩୩% ମହିଳାଙ୍କୁ ଟିକେଟ ଦେଇଥିଲା। କେନ୍ଦ୍ର ବିରୋଧରେ ବିଷୋଦ୍ଗାର କରି ନବୀନ କହିଥିଲେ, ନିର୍ବାଚନ ଆସିଲେ ଜାତୀୟ ଦଳଗୁଡ଼ିକ ସେମାନଙ୍କ ଇସ୍ତାହାରରେ ମହିଳା ସଂରକ୍ଷଣ ବିଷୟରେ ବଡ଼ ବଡ଼ କଥା କହୁଛନ୍ତି । କିନ୍ତୁ ନିର୍ବାଚନ ସରିଗଲେ ଆରାମରେ ସେକଥା ଭୁଲିଯାଉଛନ୍ତି। କିନ୍ତୁ ଆମେ ଆମର ଅଧା ଜନସଂଖ୍ୟାକୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିପାରିବା ନାହିଁ । ଦେଶର ରାଜନୀତିରେ ସେମାନଙ୍କୁ ଠିକଣା ସ୍ଥାନ ମିଳିବା ଦରକାର। ସମାଜରେ ନାରୀର ଗୁରୁତ୍ୱ କେତେ ତାହା ଆମ ଲକ୍ଷ୍ମୀପୁରାଣରେ କୁହାଯାଇଛି। ନିଜେ ମହାପ୍ରଭୁ ମଧ୍ୟ ଏହା ସ୍ୱୀକାର କରିଛନ୍ତି। ଏକ ଆଞ୍ଚଳିକ ଦଳ ହେଲେ ବି ବିଜେଡି ଏ ଲଢ଼େଇ ଲଢ଼ିବ।
ନବୀନ ଆଜି ବୁଲେଇ ବଙ୍କେଇ ନିଜର ଏ କ୍ଷେତ୍ରରେ ସାମର୍ଥ୍ୟ ସଂପର୍କରେ ସୂଚାଇବାକୁ ମଧ୍ୟ ଭୁଲିନାହାନ୍ତି। ନବୀନ କହିଥିଲେ, ଆମ ଓଡ଼ିଶାରେ ୮୦ ଲକ୍ଷ ମହିଳା ମିସନ ଶକ୍ତି ଆନ୍ଦୋଳନରେ ସାମିଲ ହେଲେଣି। ବିଜେଡି ଯେଉଁ ଏକ ସାମାଜିକ ଆନ୍ଦୋଳନ ଆରମ୍ଭ କରିଛି, ତାର ଆତ୍ମା ହେଉଛନ୍ତି ମା’ମାନେ। ଏକ ସଶକ୍ତ ମହିଳା ସମାଜ ହିଁ ଏକ ସଶକ୍ତ ଓଡ଼ିଶା ଗଠନ କରିପାରିବ। ତେଣୁ ଆମ ସମାଜ ଓ ରାଜ୍ୟ ପାଇଁ ମା’ମାନେ ଚାହୁଁଥିବା ପରିବର୍ତ୍ତନକୁ ସାକାର କରିବା ପାଇଁ ଏହି ସାମାଜିକ ଆନ୍ଦୋଳନରେ ସମସ୍ତଙ୍କୁ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆହ୍ବାନ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଭୁବନେଶ୍ବର ଜିଲ୍ଲା ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବିଜୁ ବାବୁଙ୍କ ଆଦର୍ଶେର ଅନୁପ୍ରାଣିତ ହୋଇ ନବୀନ ପଟ୍ଟନାୟକ କିଭଳି ସରଳ, ନିରାଡ଼ମ୍ବର ଓ ସମୟାନୁବର୍ତ୍ତିତା ଜୀବନ ଯାପନ କରୁଛନ୍ତି, ତାକୁ ଅନୁକରଣ କରି ଆଗକୁ ବଢ଼ିବା ପାଇଁ କର୍ମୀମାନଙ୍କୁ ପରାମର୍ଶ େଦଇଥିଲେ। ମୁଖ୍ୟାଳୟ ସମ୍ପାଦକ ସଞ୍ଜୟ ଦାସବର୍ମା ଓଡ଼ିଶା ପ୍ରଦେଶ ଗଠନର ଅସ୍ମିତା ସମ୍ପର୍କରେ କହିଥିଲେ। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଦିବ୍ୟାଙ୍ଗ, ଅସହାୟ ଓ ବୟସ୍କମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଂସଦ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ‘ଓଡ଼ିଶା-ମୋ ପରିବାର’ ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ଓ ସାଧାରଣ ସମ୍ପାଦକ(ଗଣମାଧ୍ୟମ) ମାନସ ମଙ୍ଗରାଜଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଆଜି ସବୁ ନିର୍ବାଚନମଣ୍ଡଳୀ ସ୍ତରରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/jgd4j4d6g54j56gd4j56gj4jg64g654j6gd4j65gjgjgjdgjdgjdg.jpg)