ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ପ୍ରଥମ ଥର ପାଇଁ ବିଦେଶରୁ ରାଜ୍ୟ କ୍ୟାବିନେଟ୍ ବୈଠକ କରାଇଛନ୍ତି। ଏହି କ୍ୟାବିନେଟ୍ ମାଧ୍ୟମରେ ନିଜେ ପ୍ରବାସରେ ଥାଇ ପ୍ରବାସୀଙ୍କ ପାଇଁ ବଡ଼ ପଦକ୍ଷେପ ନେବା ସହ ଅନ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକୁ ପାରିତ କରାଇଛନ୍ତି। ୨୦୧୭ ଡିସେମ୍ବର ମାସରେ ପ୍ରଥମ ପାଇଁ ଭୁବନେଶ୍ବର ବାହାରେ(ପୁରୀ) କ୍ୟାବିନେଟ୍‌ ବୈଠକ କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଚକିତ କରାଇଥିଲେ। ଏବେ ଟେକ୍ନୋଲୋଜିର ବ୍ୟବହାର କରି ସୁଦୂର ଜାପାନର କ୍ୟୋଟୋରୁ କ୍ୟାବିନେଟ୍‌ ‌ବୈଠକରେ ଅଧ୍ୟକ୍ଷତା କରି ଚର୍ଚ୍ଚାର ଖୋରାକ ଯୋଗାଇଛନ୍ତି।

Advertisment

ବିଭିନ୍ନ ସମୟରେ ପ୍ରବାସୀମାନେ ସେମାନଙ୍କ ସୁବିଧା, ଅସୁବିଧା ବୁଝିବା ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଖୋଲିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇ ଆସୁଛନ୍ତି। ଏବେ ଜାପାନରେ ପ୍ରବାସୀ ଓଡ଼ିଆମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ମଧ୍ୟ ଏହି ପ୍ରସ୍ତାବକୁ ଦୋହରାଇଥିଲେ। ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ବର ସହ ନେଇଥିଲେ ଓ ପ୍ରସ୍ତାବଟି କେଉଁଠି ଅଟକିଛି ବୋଲି ୫-ଟି ସଚିବ ଭି କେ ପାଣ୍ଡିଆନ୍‌ଙ୍କୁ ପଚାରିଥିଲେ। ଏହି ପ୍ରସ୍ତାବ କ୍ୟାବିନେଟ୍‌ ମଞ୍ଜୁରି ପାଇଁ ପ୍ରସ୍ତୁତ ହୋଇ ରହିଛି ଓ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିଲା ପରେ ଏହାକୁ ଅନୁମୋଦନ କରାଯିବ। ଏହା ଶୁଣି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ, ‘ଆମେ କାହିଁକି ଏହାକୁ ତୁରନ୍ତ କରିପାରିବା ନାହିଁ? ଟେ‌କ୍ନୋଲୋଜି ପ୍ଲାଟ୍‌ଫର୍ମ ବ୍ୟବହାର କରି କ୍ୟାବିନେଟ୍‌ କରାଯାଇପାରିବ।’

ସୁଶାସନ ପାଇଁ ଟେକ୍ନୋଲୋଜି ପ୍ରଭାବଶାଳୀ ଅସ୍ତ୍ର: ମୁଖ୍ୟମନ୍ତ୍ରୀ

publive-image

ଏହା ପରେ ସରକାରୀ ଛୁଟି ସତ୍ତ୍ବେ କ୍ୟାବିନେଟ୍‌ ପାଇଁ ଆବଶ୍ୟକ ପ୍ରସ୍ତୁତି ଚାଲିଲା। ଭିଡିଓ କନ୍‌ଫରେନ୍ସିଂ ଜରିଆରେ କ୍ୟାବିନେଟ୍‌ ବୈଠକରେ ଯୋଗ ଦେବାକୁ ଗତକାଲି ସନ୍ଧ୍ୟାରେ ମନ୍ତ୍ରୀମାନଙ୍କୁ କୁହାଗଲା। ଭୁବନେଶ୍ବରରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନରୁ ଓ ନିଜ ନିଜ ନିର୍ବାଚନମଣ୍ଡଳୀରେ ଥିବା ମନ୍ତ୍ରୀଙ୍କୁ ଜିଲ୍ଲା ମୁଖ୍ୟାଳୟରୁ ଭିଡିଓ କନ୍‌ଫରେନ୍ସିଂରେ ବସିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଗଲା। ନିର୍ଦ୍ଧାରିତ ସମୟରେ ଲୋକସେବା ଭବନରେ କିଛି ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବିଭାଗର ସଚିବମାନେ ବୈଠକରେ ଯୋଗ ଦେଲେ। ମୁଖ୍ୟମନ୍ତ୍ରୀ ଅପରାହ୍ନ ୧ଟା ୩୦ରେ ଜାପାନରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଓଡ଼ିଶା ଷ୍ଟେଟ୍‌ ୱାଇଡ୍‌ ଏରିଆ ନେଟ୍‌ୱର୍କ(ଓସ୍ବାନ୍‌) ମାଧ୍ୟମରେ ଫାଇଲ୍‌ ପ୍ରକ୍ରିୟା କରାଯିବା ସହ କାଗଜପତ୍ର ଦସ୍ତଖତ କରାଗଲା।

ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଶାସନିକ ବ୍ୟବସ୍ଥା ତଥା ଜନସେବା ପ୍ରଦାନ ପ୍ରକ୍ରିୟାକୁ ଅଧିକ ଫଳପ୍ରଦ କରିବା ପାଇଁ ୫-ଟି ଉପକ୍ରମର ଏକ ଅଂଶ ଭାବେ ଟେକ୍ନୋଲୋଜିର ବ୍ୟବହାରକୁ ସରକାର ଗୁରୁତ୍ବ ଦେଉଛନ୍ତି। ସୁଶାସନ ପାଇଁ ଟେକ୍ନୋଲୋଜି ଏକ ପ୍ରଭାବଶାଳୀ ଅସ୍ତ୍ର ଭାବେ କାମ କରୁଛି। ସରକାରୀ ବ୍ୟବସ୍ଥା ଭିତରେ ଏକ ସହଯୋଗଭିତ୍ତିକ ପରିବେଶରେ ଶାରୀରିକ ଉପସ୍ଥିତିର ଆବଶ୍ୟକତାକୁ ଟେକ୍ନୋଲୋଜି ଦୂର କରିପାରିଛି। ଡିଜିଟାଲ୍‌ କ୍ୟାବିନେଟ୍‌ ଟେକ୍ନୋଲୋଜି ବ୍ୟବହାରର ସୀମାକୁ ଆହୁରି ବ୍ୟାପକ କରିବା ସହ ପ୍ରଶାସନକୁ ଦ୍ରୁତ କରିଛି।