ବିଜେଡି ପ୍ରାର୍ଥୀ ଅବନ୍ତୀଙ୍କ ପାଇଁ ପ୍ରଚାର କଲେ ନବୀନ: ‘ଧାମନଗରର ବିକାଶ ଦାୟିତ୍ବ ମୋର’

ମୁଖ୍ୟମନ୍ତ୍ରୀଙ୍କ ରେକର୍ଡିଂ ଭିଡିଓ ବାର୍ତ୍ତାର ପ୍ରଭାବ ପଡ଼ିବନି: ଜୟନାରାୟଣ

ଭଦ୍ରକ / ଧାମନଗର / ତିହିଡ଼ି : ରାଜ୍ୟରେ ମାଆମାନେ ସଶକ୍ତ ହେଉଛନ୍ତି। ମିସନ୍‌ ଶକ୍ତି ସେମାନଙ୍କର ନୂଆ ପରିଚୟ ହୋଇଛି। ମାଆମାନଙ୍କର ଭଲ କାମ ମୋତେ ବହୁତ ଖୁସି ଦେଉଛି। ତେଣୁ ଜଣେ ମାଆଙ୍କୁ ମୁଁ ଆପଣମାନଙ୍କର ବିଧାୟିକା ଭାବେ ଦେଖିବାକୁ ଚାହେଁ। ଆପଣମାନେ ବି ଚାହାନ୍ତି। ମାଆମାନେ ସବୁ ଦାୟିତ୍ବକୁ ସୁନ୍ଦର ଭାବେ ନିର୍ବାହ କରି ପାରୁଛନ୍ତି। ଆପଣମାନଙ୍କ ସହଯୋଗରେ ଓଡ଼ିଶା ଆଜି ବିକାଶ କ୍ଷେତ୍ରରେ ସାରାଦେଶରେ ସୁନାମ ଆଣୁଛି। ଧାମନଗରର ବିକାଶ ଦାୟିତ୍ବ ମୋର। ଆପଣମାନଙ୍କ ସହଯୋଗରେ ଏ ଧାରା ଆହୁରି ଆଗକୁ ବଢ଼ିବ ବୋଲି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଧାମନଗରବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଭର୍ଚୁଆଲ୍‌ ମାଧ୍ୟମରେ ପ୍ରଚାର କରି ଧାମନଗରବାସୀଙ୍କୁ ନମସ୍କାର ଜଣାଇ କହିଥିଲେ, ଆପଣମାନେ ଜାଣନ୍ତି ବିଜୁ ଜନତା ଦଳ ସବୁବେଳେ ଆପଣମାନଙ୍କ ସାଥୀରେ ଅଛି। ସୁଖଦୁଃଖ ସବୁବେଳେ ସବୁବର୍ଗର ଲୋକଙ୍କ କଲ୍ୟାଣ ପାଇଁ କାମ କରୁଛି। ଧାମନଗର ହେଉଛି ଶାନ୍ତି ଓ ସଦ୍‌ଭାବର ଭୂମି। ଭାଇଚାରାର ଭୂମି। ଏହା ଧାମନଗରର ସବୁଠାରୁ ବଡ଼ ପରିଚୟ। ଏହି ପରିଚୟର ସୁରକ୍ଷା ପାଇଁ ଆମେ ସମସ୍ତେ କାମ କରିଛୁ। ମୁଁ ବହୁତ ଖୁସି ଯେ, କାଳିଆ ଯୋଜନା ହେଉ ବା ମିସନ୍‌ ଶକ୍ତି ବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା; ସବୁ ଯୋଜନାର ସୁବିଧା ଆପଣମାନଙ୍କ ପାଖରେ ପହଞ୍ଚିପାରିଛି। ୨୦୧୯ ସାଧାରଣ ନିର୍ବାଚନ, ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନରେ ଆପଣମାନେ ଅକୁଣ୍ଠ ଚିତ୍ତରେ ସହଯୋଗ କରିଛନ୍ତି। ଶଙ୍ଖ ଚିହ୍ନରେ ବିଶ୍ବାସ ରଖିଛନ୍ତି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଆପଣମାନେ ବିଜୁ ଜନତା ଦଳକୁ ଯେଭଳି ବିପୁଳ ସମର୍ଥନ ଦେଇ ସେବାର ସୁଯୋଗ ଦେଇଛନ୍ତି, ସେଥିପାଇଁ ମୁଁ ଋଣୀ। ଧାମନଗରରେ ୬ଟି ଯାକ ଜିଲ୍ଲା ପରିଷଦ ଆସନରୁ ଆପଣମାନେ ବିଜେଡିକୁ ସେବା କରିବା ଲାଗି ସୁଯୋଗ ଦେଇଛନ୍ତି। ଏନ୍‌ଏସିର ୧୧ଟି ୱାର୍ଡରୁ ୯ଟି ୱାର୍ଡ ସହିତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଆସନ ମଧ୍ୟ ଆପଣମାନେ ବିଜେଡିକୁ ଦେଇଛନ୍ତି। ମୋର ପୂରା ବିଶ୍ବାସ ଏ ନିର୍ବାଚନରେ ବି ସେହି ସହଯୋଗର ଧାରା ଜାରି ରହିବ। ଧାମନଗରର ବିକାଶ ଆହୁରି ଆଗକୁ ବଢ଼ିବ। ସାଧାରଣ ନିର୍ବାଚନ ଆଉ ମାତ୍ର ୧୮ ମାସ ରହିଥିବା ବେଳେ ଏ ସମୟ ଭିତରେ ଆମେ ୫ ବର୍ଷର କାମ କରିପାରିବା। ଏହା ମୁଁ ନିଜେ ଦେଖିବି। ଆପଣମାନେ ଏ ନିର୍ବାଚନରେ ବିଜେଡିକୁ ଭୋଟ୍‌ ଦେଇ ଆଶୀର୍ବାଦ କରନ୍ତୁ। ଧାମନଗର ନିର୍ବାଚନମଣ୍ଡଳୀର ବିକାଶ ଦାୟିତ୍ବ ମୋର ବୋଲି କହି ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ବିପୁଳ ଭୋଟ୍‌ରେ ବିଜୟୀ କରିବାକୁ ନିବେଦନ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ୍‌ ସଭା ପାଇଁ ଧାମନଗର ବ୍ଲକର ୯ଟି ଓ ତିହିଡ଼ି ବ୍ଲକର ୪ଟିକୁ ମିଶାଇ ମୋଟ ୧୩ଟି ସ୍ଥାନରେ ଏଲ୍‌ଇଡିର ବ୍ୟବସ୍ଥା ହୋଇଥିଲା। ଭର୍ଚୁଆଲ୍‌ ସଭାରେ ସବୁ ଜୋନ୍‌ରୁ ହଜାର ହଜାର ସଂଖ୍ୟାରେ ବିଜେଡି ନେତା, କର୍ମୀ ଓ ସାଧାରଣ ଜନତା ଯୋଗ ଦେଇଥିଲେ। ଦଳର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଭଦ୍ରକରେ ରହି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାରକୁ ପରିଚାଳନା କରିଥିଲେ। କାଁପଡ଼ା ପଞ୍ଚାୟତରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ତଳ, ରାଜସ୍ବମନ୍ତ୍ରୀ ପ୍ରମିଳା ମଲ୍ଲିକ, ଅଚକ ପଞ୍ଚାୟତରେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବରିଷ୍ଠ ବିଜେଡି ନେତା ଅସିତ ପଟ୍ଟନାୟକ, ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ରାଜ୍ୟ ସମ୍ପାଦିକା ରଶ୍ମିତା ନାୟକ, ଦୋଳସାହି ପଞ୍ଚାୟତରେ ସୋର ବିଧାୟକ ପର୍ଶୁରାମ ଧଡ଼ା, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବୋଡ଼କ ପଞ୍ଚାୟତରେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟ, ବିଧାୟକ ଅରୁଣ କୁମାର ସାହୁ, ପୂର୍ବତନ ବିଧାୟକ ବିଜୟ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟା ବିଦ୍ୟୁତଲତା ନାୟକ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ରେକର୍ଡିଂ ଭିଡିଓ ବାର୍ତ୍ତାର ପ୍ରଭାବ ପଡ଼ିବନି: ଜୟନାରାୟଣ

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପ୍ରଚାର ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଭିଡିଓ ବାର୍ତ୍ତା ମାଧ୍ୟମରେ ଧାମନଗରବାସୀଙ୍କୁ ସମ୍ବୋଧନ କରିଥିଲେ। ଏହାକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଟୁଇଟର୍‌ରେ ସମାଲୋଚନା କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ସ୍ବାଭିମାନୀ ଧାମନଗରବାସୀଙ୍କୁ ପ୍ରଭାବିତ କରିବନି।

ଶ୍ରୀ ମିଶ୍ର ଟୁଇଟ୍‌ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କ ରେକର୍ଡିଂ ଭିଡିଓ ବାର୍ତ୍ତାରେ ଯେଉଁ କଥାକୁ ଉଠାଇଛନ୍ତି ଏହି ବାର୍ତ୍ତାରେ କିଛି ନୂଆ ନାହିଁ। ବିଜେପୁରରେ ଦୁଇଟି ଉପନିର୍ବାଚନ, ପାଟକୁରା, ବାଲେଶ୍ୱର, ତିର୍ତ୍ତୋଲ, ପିପିଲି, ବ୍ରଜରାଜନଗର ଉପନିର୍ବାଚନ ସମୟରେ କହିଥିବା ସମାନ କଥାକୁ ମୁଖ୍ୟମନ୍ତ୍ରୀ ଆଜି ଦୋହରାଇଛନ୍ତି । ସ୍କ୍ରିପ୍ଟ ସମାନ, ରେକର୍ଡିଂ ସମାନ ଓ ପ୍ରସାରଣ ବି ସମାନ ଢଙ୍ଗରେ ହୋଇଛି। ଯାହା ସ୍ୱାଭିମାନୀ ଧାମନଗରବାସୀଙ୍କ ସହ ଛଳନା ଭଳି ମନେ ହେଉଛି। ବିଗତ ଦିନରେ ଧାମନଗରବାସୀଙ୍କ ସହିତ ଛଳନା କରିଥିବାରୁ ଧାମନଗରବାସୀ ୨୦୧୯ ନିର୍ବାଚନରେ ବିଜେଡିକୁ ପରାସ୍ତ କରି ବିଜେପିର ଟାଣୁଆ ନେତା ସ୍ୱର୍ଗୀୟ ବିଷ୍ଣୁ ସେଠୀଙ୍କୁ ବିଜୟୀ କରିଥିଲେ।

ଶ୍ରୀ ମିଶ୍ର କହିଛନ୍ତି, ଧାମନଗର କ’ଣ ରାଜ୍ୟ ଭିତରେ ନୁହେଁ କି? ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତାରୁ ଲାଗୁଛି, ନିର୍ବାଚିତ ବିଧାୟକଙ୍କ ଦେହାବସାନ ହେଲେ ହିଁ ବିଜୁ ଜନତା ଦଳର ନେତାମାନେ ଦାୟିତ୍ୱ ନେବା ପାଇଁ ଆଗଭର ହୁଅନ୍ତି । ଏହା କ’ଣ ସାଢ଼େ ଚାରି କୋଟି ଓଡ଼ିଆଙ୍କର ପ୍ରତୀକ ବୋଲି ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀଙ୍କ ଅସଲ ଚେହେରା ? ମୁଖ୍ୟମନ୍ତ୍ରୀ ଦାୟିତ୍ୱ କ’ଣ ନିଅନ୍ତି, ଓଡ଼ିଶାବାସୀ ଭଲ ଭାବରେ ଜାଣିଲେଣି। ମୁଖ୍ୟମନ୍ତ୍ରୀ ଯେଉଁ ଅଞ୍ଚଳର ଦାୟିତ୍ୱ ନେବାର ଘୋଷଣା କରନ୍ତି ସେ ଅଞ୍ଚଳରେ ବିକାଶ ତଳକୁ ଖସୁଥିବା ସେଠାକାର ଜନସାଧାରଣମାନେ ଅନୁଭବ କଲେଣି ବୋଲି ଶ୍ରୀମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର