ଭୁବନେଶ୍ବର: ବିରୋଧୀଙ୍କ ଅସ୍ତ୍ର ମିଛ ଓ ଅପପ୍ରଚାର। କିନ୍ତୁ ବିଜେଡିର ଅସ୍ତ୍ର ବିକାଶ। ବିରୋଧୀଙ୍କ କୁମ୍ଭୀର କାନ୍ଦଣା ଚଳିବନି। ଆଜି ବିରୋଧୀ ଦଳଙ୍କ ଉପରେ ଏମିତି ଆକ୍ରମଣ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଲୋକମାନେ ବିରୋଧୀଙ୍କ ପ୍ରତି ସତର୍କ ରହିବାକୁ ସେ ଆହ୍ବାନ ଦେଇଛନ୍ତି। ଆଜି କେନ୍ଦୁଝର ସଦର, ଆନନ୍ଦପୁର ଓ ଭଦ୍ରକରେ ଆୟୋଜିତ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବୀନ ମାରାଥନ୍ ପ୍ରଚାର କରିଥିଲେ। ବିଏସ୍କେୱାଇ, ମିସନ ଶକ୍ତି, ଲକ୍ଷ୍ମୀ ବସ୍, ମମତା, ୫-ଟି ସ୍କୁଲ, ଛାତ୍ରବୃତ୍ତି, କାଳିଆ, ମଧୁବାବୁ ପେନ୍ସନ, ଚାଉଳ କାର୍ଡ ଇତ୍ୟାଦି ବିଭିନ୍ନ ଜଲକଲ୍ୟାଣକାରୀ ଯୋଜନାର ସୁଫଳ ସଂପର୍କରେ ନବୀନ ଲୋକଙ୍କୁ ପଚାରିଥିଲେ। ନବୀନ ପଟ୍ଟନାୟକ ଭଲ କି ବୋଲି ପଚାରିଥିଲେ। ସଭାସ୍ଥଳରେ ଲୋକମାନେ ‘ହଁ’ ମାରିଥିଲେ। ନବୀନ ପଚାରିଥିଲେ, ଜୁଲାଇରୁ ବିଜୁଳ ବିଲ୍ ଆସିବ ନାହିଁ, ବିଜୁ ଜନତା ଦଳ ସରକାର ମାଗଣାରେ ବିଜୁଳି ଦେବ, ଆପଣଣାନେ ଖୁସି ତ? ସମବେତ ଜନତା ନିଜର ଖୁସି ପ୍ରକଟ କରିଥିଲେ। ପୁରୀ ପରିକ୍ରମା ପ୍ରକଳ୍ପ କାମ ଓ ମା’ ସମଲେଇ ପ୍ରକଳ୍ପ କାମ ସମ୍ପର୍କରେ ମଧ୍ୟ ପଚାରିଥିଲେ। କେନ୍ଦୁଝର ଓ ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳର ସମସ୍ତ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।
କେନ୍ଦୁଝର ସଦର ଓ ଆନନ୍ଦପୁର ସଭାରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଲେ, ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ସବୁଠାରୁ ଭଲ ଜାଗାରେ ଅଛନ୍ତି ଆଦିବାସୀ ଭାଇଭଉଣୀ। ସେମାନଙ୍କର କଳା, ସଂସ୍କୃତି, ପୂଜାସ୍ଥଳୀର ରକ୍ଷଣାବେକ୍ଷଣ ଓ ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଭାରତବର୍ଷର କୌଣସି ରାଜ୍ୟରେ ହୋଇନାହିଁ। ଆଦିବାସୀ ଭାଇଭଉଣୀ ମାନଙ୍କ ଉପରୁ ୫୦ ହଜାର ଛୋଟ ବଡ଼ ପୁଲିସ ମାମଲା ରଦ୍ଦ କରିଛନ୍ତି। ହଜାର ହଜାର ହଷ୍ଟେଲ ମାଧ୍ୟମରେ ଲକ୍ଷ ଲକ୍ଷ ଆଦିବାସୀ ପିଲା ପାଠ ପଢୁଛନ୍ତି। ବିରୋଧୀ ବିଜେପିକୁ ଆକ୍ରମଣ କରି ପାଣ୍ଡିଆନ କହିଲେ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆସି ନିର୍ବାଚନ ପାଇଁ ଏଠାରେ ବୁଲୁଛନ୍ତି। ସେମାନଙ୍କୁ ପଚାରନ୍ତୁ, ତାଙ୍କ ରାଜ୍ୟରେ ସେମାନେ ଏଭଳି କିଛି କରିଛନ୍ତି କି? ଏଠାରେ ଆସି ବଡ଼ ବଡ଼ କଥା କହୁଛନ୍ତି। ପୂର୍ବରୁ ବିଜେପି କହିଥିଲା ଆମେ କ୍ଷମତାକୁ ଆସିଲେ ଦରଦାମ କମାଇବୁ, ରୋଜଗାର ବୃଦ୍ଧି କରିବୁ, କିଛି କଲେ ନାହିଁ। ଏବେ ଆସି ଭୋଟ ପାଇଁ ମିଛ କଥା କହୁଛନ୍ତି, ଅପପ୍ରଚାର କରୁଛନ୍ତି। ଏମାନେ ଲୋକଙ୍କ ପାଇଁ କାମ କରନ୍ତି ନାହିଁ, ଭୋଟ ପାଇଁ ମିଛ କଥା କୁହନ୍ତି। ଆମ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କାମ କରିଥା’ନ୍ତି। ଆପଣମାନଙ୍କ ଖୁସିରେ ମୁଖ୍ୟମନ୍ତ୍ରୀ ଖୁସି ହୁଅନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତାକୁ
ଘରେ ଘରେ ପହଞ୍ଚାନ୍ତୁ।
ବିକାଶକୁ ଅସ୍ତ୍ର କରିଛି ବିଜେଡି ବିରୋଧୀଙ୍କୁ ସତର୍କ
ରହିବାକୁ ଆହ୍ବାନ ଲୋକଙ୍କ ଜୋସ୍ ଦେଖି ବିରୋଧୀଙ୍କ ନିଦ
ହଜିଗଲାଣି: ପାଣ୍ଡିଆନ
ପାଣ୍ଡିଆନ ପୁଣି ଜୋର୍ ଦେଇଥିଲେ ଯେ ଜୁନ ୯ ରେ ୧୧.୩୦ ରୁ ୧ଟା ମଧ୍ୟରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ନେବା ପରେ ପ୍ରଥମ ଦସ୍ତଖତ ହେବ ଓଡିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍ ଛାଡ଼। ଦ୍ବିତୀୟ ଦସ୍ତଖତ ପରେ ସମସ୍ତେ ବିଏସ୍କେଵାଇରେ ସାମିଲ ହେବେ, ସମସ୍ତଙ୍କୁ ମିଳିବ ସ୍ବାସ୍ଥ୍ୟ ସୁରକ୍ଷା। ତୃତୀୟ ଦସ୍ତଖତ ହେବ ୬୦ ବର୍ଷ ପରେ ମିସନ ଶକ୍ତି ସଦସ୍ୟା ଓ କର୍ମୀମାନଙ୍କ ପାଇଁ ପେନ୍ସନ ବ୍ୟବସ୍ଥା। ବିଜେପି କହୁଛି ମାଗଣା ବିଜୁଳି ଦେବ। କିନ୍ତୁ ଏଥିପାଇଁ ଆପଣଙ୍କୁ ୫୦ ହଜାର ଖର୍ଚ୍ଚ କରିବାକୁ ପଡ଼ିବ। ତା’ପରେ ସୂର୍ଯ୍ୟକିରଣରୁ ପାଇବେ ମାଗଣା ବିଜୁଳି, ଦିନରେ ଲଣ୍ଠନ ଦେଖାଉଛି ବିଜେପି। ଭଦ୍ରକର ଇଡ୍କୋ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ନବୀନ ପ୍ରଚାର କରିଥିଲେ। ଏହି ସଭାରେ ପାଣ୍ଡିଆନ କହିଥିଲେ, ସବୁ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ଭଲ ପାଇବା, ସ୍ନେହ ଓ ଜୋସ୍ ଦେଖି ବିରୋଧୀ ଦଳର ନିଦ ହଜିଗଲାଣି। ଆସାମ ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ, ତାହେଲେ ତାଙ୍କ ରାଜ୍ୟକୁ କ’ଣ କରିବେ? ସାରା ଭାରତବର୍ଷ ଜାଣିଛି ଏକ ନମ୍ବର ମୁଖ୍ୟମନ୍ତ୍ରୀ କିଏ। ଆପଣମାନଙ୍କ ଗୋଟିଏ ଗୋଟିଏ ଆଶୀର୍ବାଦ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ମଜଭୁତ କରିବ, ମୁଖ୍ୟମନ୍ତ୍ରୀ ଆହୁରି ସଶକ୍ତ ହେବେ। ଆପଣମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ମୁଖ୍ୟମନ୍ତ୍ରୀ ଦିନରାତି ୨୪ ଘଣ୍ଟା କଠିନ ପରିଶ୍ରମ କରୁଛନ୍ତି। ୫ ବର୍ଷରେ ଥରେ ଆପଣମାନଙ୍କ ପାଖକୁ ସୁଯୋଗ ଆସିଛି ତାଙ୍କୁ ଆଶୀର୍ବାଦ କରିବାକୁ। ଆପଣମାନେ ବିପୁଳ ସଂଖ୍ୟାରେ ତାଙ୍କୁ ଆଶୀର୍ବାଦ କରନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ମଜଭୁତ ହେବ ଓ ସେ ଆହୁରି ସଶକ୍ତ ହେବେ। ଭଦ୍ରକ ରିଙ୍ଗ ରୋଡ ପାଇଁ ମୁଖ୍ୟମନ୍ତ୍ରୀ ୪୦୦ କୋଟି ମଞ୍ଜୁର କରିଛନ୍ତି ଓ ଭଦ୍ରକାଳୀ ମନ୍ଦିର ପାଇଁ ୪୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ସେ ସୂଚନା ଦେଇଥିଲେ।