ଆଦିବାସୀ ମହିଳା ଜୟନ୍ତୀଙ୍କ ଦମ୍ଭୋକ୍ତି : ‘ମୁଖ୍ୟମନ୍ତ୍ରୀ, ମୋ କାହାଣୀ ଶୁଣନ୍ତୁ’
ଚୋରି ଭୟରେ ଗଛରେ ଟାଙ୍ଗିଥିଲେ ୭ ଲକ୍ଷ ଟଙ୍କା
ଭୁବନେଶ୍ବର :ମୁଖ୍ୟମନ୍ତ୍ରୀ ମୋ କାହାଣୀ ଶୁଣନ୍ତୁ। ସ୍ବୟଂ ସହାୟକ ଗୋଷ୍ଠୀ ବା ଏସ୍ଏଚ୍ଜି କଥା ଶୁଣିବାକୁ ମୁଖ୍ୟମନ୍ତ୍ରୀ ବାଧ୍ୟ। ମୁଖ୍ୟମନ୍ତ୍ରୀଙ୍କ ସଭାରେ ଏହା ଥିଲା ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍ ବାଲିଶଙ୍କରା ଗ୍ରାମର ଜୟନ୍ତୀ ଏକ୍କାଙ୍କର ଦୃଢ଼ୋକ୍ତି। ଜନତା ମଇଦାନରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଆଜି ଥିଲା ଚତୁର୍ଥ ଦିନ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମହିଳା ଉଦ୍ୟୋଗିତା ଉପରେ ଆୟୋଜିତ ପ୍ଲେନାରି ଅଧିବେଶନରେ ମୁଖ୍ୟ ଅତିଥି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଭାର କାର୍ଯ୍ୟନିଘଣ୍ଟ ପୂର୍ବରୁ ପ୍ରସ୍ତୁତ ହୋଇଥିଲା। ସମୟ ବି ଥିଲା ସୀମିତ। ଜୟନ୍ତୀଙ୍କ ସଂକ୍ଷିପ୍ତ ଭାଷଣ ପରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ। କିନ୍ତୁ ଏତେବଡ଼ ସଭାରେ ନିର୍ଭୟରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅତିଥିମାନଙ୍କୁ ନିଜ ସଫଳତାର କାହାଣୀ ଶୁଣାଇ ଆଜି ଜୟନ୍ତୀ ସାଜିଥିଲେ ଆକର୍ଷଣର କେନ୍ଦ୍ରବିନ୍ଦୁ। ଜୟନ୍ତୀ ପୋଡିୟମ ଛାଡ଼ିଲେ ମୁଖ୍ୟମନ୍ତ୍ରୀ ଭାଷଣ ଦେବେ। ଏଥିପାଇଁ ମଞ୍ଚ ସଂଚାଳନା କରୁଥିବା ମହିଳା ତାଙ୍କ ନିକଟକୁ ଯାଇ ବାରମ୍ବାର ପୋଡିୟମ ଛାଡ଼ିବା ପାଇଁ କହିଥିଲେ। କିନ୍ତୁ ଜୟନ୍ତୀ ତାଙ୍କ ଜିଦ୍ରେ ଅଟଳ ଥିଲେ। ଆଉ କିଛି ସମୟ ତାଙ୍କୁ କହିବାକୁ ଦିଆଯାଉ ବୋଲି ସେ କହିବା ସହିତ ବଖାଣି ଚାଲିଥିଲେ ତାଙ୍କ ସଫଳତାର କାହାଣୀ। ତାଙ୍କ କାହାଣୀ ଶୁଣିବା ପରେ ଦର୍ଶକମାନେ ତାଙ୍କର ବାହା ବାହା କରିଥିଲେ ଏବଂ ଅତିଥିମାନେ ମଧ୍ୟ ଛିଡ଼ା ହୋଇ ତାଙ୍କର ସଫଳତାକୁ ସମ୍ମାନ ଜଣାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଜୟନ୍ତୀ କହିଥିଲେ ୨୦୦୧ରେ ଅନ୍ୟ ମହିଳାମାନଙ୍କ ସହ ମିଶି ସେ ଏକ ଏସ୍ଏଚ୍ଜି ଗଠନ କରିଥିଲେ। ଦୁଇ ତିନିବର୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ସହିତ ତାଙ୍କ ସଂସ୍ଥାର ଆର୍ଥିକ କାରବାର ଚାଲିଥିଲା। ୨୦୦୪ରେ ତାଙ୍କ ଏସ୍ଏଚ୍ଜି ଗୋଟିଏ ସ୍କୁଲ ପାଇଁ ମଧ୍ୟାହ୍ନ ଭୋଜନ ଯୋଗାଇବା ଦାୟିତ୍ବ ପାଇଥିଲା। ୨୦୦୬ରେ ୨ଟି ସ୍କୁଲର ଦାୟିତ୍ବ ମିଳିଥିଲା। ତା ପରେ ତାଙ୍କ ଏସ୍ଏଚ୍ଜିକୁ ଗୋଟିଏ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ୪ଟି ବ୍ଲକ (ବାଲିଶଙ୍କରା, ସବଡେଗା, ସଦର ବ୍ଲକ୍ ଓ ହେମଗିରି)କୁ ଅଣ୍ଡା ଯୋଗାଣ କାର୍ଯ୍ୟ ମିଳିଥିଲା। ତେବେ ଏହି ସମୟରେ ଅଣ୍ଡା ଦର ବଢ଼ିଯିବାରୁ ତାଙ୍କ ସଂସ୍ଥାକୁ କ୍ଷତି ସହିବାକୁ ପଡ଼ିଥିଲା। ଆର୍ଥିକ କ୍ଷତି ହୋଇଥିଲେ ମଧ୍ୟ ସେମାନଙ୍କ ଇଚ୍ଛାଶକ୍ତି ମରି ନଥିଲା। କିଭଳି କ୍ଷତିପୂରଣ ପାଇବେ ସେ ନେଇ ବ୍ଲକ ଓ ଜିଲ୍ଲା ପ୍ରଶାସନ ନିକଟକୁ ବାରମ୍ବାର ଦୌଡ଼ିଥିଲେ। ତତ୍କାଳୀନ ଜିଲ୍ଲାପାଳ ସୁଜାତା କାର୍ତ୍ତିକେୟନ ତାଙ୍କ ଯୁକ୍ତି ଶୁଣି ସଂସ୍ଥାକୁ କ୍ଷତିପୂରଣ ଦେବାର ବ୍ୟବସ୍ଥା କରିଥିଲେ। ଏ ବାବଦରେ ତାଙ୍କର ୧ ଲକ୍ଷ ୧୫ ହଜାର ଟଙ୍କା କ୍ଷତି ହୋଇଥିବାବେଳେ ସେମାନଙ୍କୁ ୧ ଲକ୍ଷ ୯୬ ହଜାର ଟଙ୍କାର କ୍ଷତିପୂରଣ ମିଳିଥିଲା। ଏହାପରେ ତାଙ୍କ ଏସ୍ଏଚ୍ଜି କାମ ଆଗକୁ ବଢ଼ିଥିଲା। ୨୦୦୮-୦୯ ବେଳକୁ ସରକାର ସେମାନଙ୍କୁ ଚାଷୀଙ୍କଠାରୁ ଧାନ କିଣିବା ଅନୁମତି ଦେଇଥିଲେ। କିନ୍ତୁ ସେତେବେଳେ ଏସଏଚଜି ଗୁଡ଼ିକୁ ଚେକ୍ ବହି ମିଳୁ ନଥିଲା। ତେଣୁ ସେମାନେ ଧାନ ବିକ୍ରି ବାବଦ ଅର୍ଥ ବ୍ୟାଙ୍କରୁ ଟଙ୍କା ଆକାରରେ ଆଣୁଥିଲେ। ଦିନେ ଗାଁଠାରୁ ୧୫ କିମି ଦୂର ସବଡେଗାସ୍ଥିତ ଷ୍ଟେଟ ବ୍ୟାଙ୍କରୁ ଗୋଟିଏ ବସ୍ତାରେ ୭ ଲକ୍ଷ ଟଙ୍କା ଭର୍ତ୍ତିକରି ଆଣିଥିଲେ। ୩/୪ ଜଣ ସଦସ୍ୟ ସେହି ଟଙ୍କାକୁ ବସରେ ଆଣିଥିଲେ। ଘରେ ରଖିଲେ ରାତିରେ ଚୋରି ହୋଇଯିବା ଆଶଙ୍କା କରି ସେହି ଟଙ୍କାକୁ ଘର ନିକଟ ଆମ୍ବ ଗଛରେ ଟାଙ୍ଗିଥିଲେ। ପରଦିନ ଚାଷୀମାନଙ୍କୁ ଡାକି ସେହି ଟଙ୍କା ବାଣ୍ଟିଥିଲେ ବୋଲି ଜୟନ୍ତୀ କହିଥିଲେ। ଏବେ ତାଙ୍କ ଏସଏଚଜି ଗ୍ୟାସ ଏଜେନ୍ସି ନେଇ ମହିଳାଙ୍କୁ ଗ୍ୟାସ ଯୋଗାଉଛି। ଏଥିସହିତ ଛତୁଆ ମେସିନ, ଧାନ ମେସିନ ଓ ଚିନି ଗୁଣ୍ଡ ମେସିନ ପକାଇ ଛତୁଆ, ଚାଉଳ ଓ ଚିନି ଗୁଣ୍ଡ ପ୍ରସ୍ତୁତ କରୁଛି। ତାଙ୍କ ଏସଏଚଜିରେ ଦୈନିକ ଏବେ ୧୭ରୁ ୧୮ ଜଣ କାମ କରୁଛନ୍ତି। ସଦସ୍ୟମାନଙ୍କ ନାମରେ ମୋଟା ଅଙ୍କର ବୀମା ପ୍ରିମିୟମ ଦାଖଲ କରାଯାଉଛି। ୪ ଜଣ ସଦସ୍ୟଙ୍କ ଝିଅ ବାହାଘର ପାଇଁ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯାଇଛି। ଏଥିସହିତ ନିକଟରେ ଏକ ପ୍ଲାଏ ଆସ୍ ଇଟା ନିର୍ମାଣ କାରଖାନାକୁ ତାଙ୍କ ସଂସ୍ଥା ନିଲାମ ନେଇଛି ବୋଲି ଜୟନ୍ତୀ କୁହନ୍ତି।