ପୁନେରି ପଗଡ଼ି, ଷ୍ଟାଣ୍ଡିଂ ଓଭେସନ୍‌

ଆୟୋଜକମାନେ ନବୀନ ପଟ୍ଟନାୟକଙ୍କ ମୁଣ୍ଡରେ ପାରମ୍ପରିକ ’ପୁନେରି ପଗଡ଼ି’ ପିନ୍ଧାଇ ସମ୍ବର୍ଦ୍ଧିତ କରିଛନ୍ତି। ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ସ୍ୱରୂପ ତାଙ୍କୁ ଏକ ସ୍ୱତନ୍ତ୍ର ପ୍ରଶସ୍ତି ଫଳକ ଏବଂ ମାନପତ୍ର ଦିଆଯାଇଛି। ପାରମ୍ପରିକ ଉତ୍ତରୀୟ ସହ ଅନୁଷ୍ଠାନ ପକ୍ଷରୁ ସମ୍ମାନ ପ୍ରଦାନ କରାଯାଇଛି। ଏ ଅବସରରେ ଉପସ୍ଥିତ ଅତିଥି ଏବଂ ଦର୍ଶକମାନେ ଠିଆ ହୋଇ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ନବୀନଙ୍କୁ ଷ୍ଟାଣ୍ଡିଂ ଓଭେସନ୍‌ ଦେଇଥିଲେ।

ନବୀନ ଆଉଥରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଦାବିଦାର: ଯୋଶୀ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁରଲୀ ମନୋହର ଯୋଶୀ ଆଜି ତାଙ୍କ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭୂୟଶୀ ପ୍ରଶଂସା କରିଥିଲେ। ଯଦିଓ ରାଜ୍ୟ ଓ କେନ୍ଦ୍ରରେ ବିଜେପି ନେତାମାନେ ଖୋଲାଖୋଲି ନବୀନଙ୍କୁ ବିରୋଧ କରୁଛନ୍ତି, ଶ୍ରୀ ଯୋଶୀ କିନ୍ତୁ ତାଙ୍କ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସରଳତା ଓ ଶାନ୍ତ ସ୍ୱଭାବ ଓ କାର୍ଯ୍ୟଦକ୍ଷତା ଉଲ୍ଲେଖନୀୟ ବୋଲି ଦର୍ଶାଇଥିଲେ। କହିଥିଲେ, ଖାସ୍‌ ଏଥିପାଇଁ ନବୀନ ଦୁୁଇ ଦଶନ୍ଧି ଧରି କ୍ଷମତାରେ ରହିଛନ୍ତି। କେବଳ ସେତିକି ନୁହେଁ, ଶ୍ରୀ ଯୋଶୀ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ ଯେ ଏହି ବିକାଶ ପ୍ରକ୍ରିୟାର ତ୍ୱରାନ୍ଵିତ ପାଇଁ ନବୀନ ଆଉ ଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ।

ଭିଡିଓରେ ଦେଖାଇଲେ ବିକାଶର ଚିତ୍ର

ଆଦର୍ଶ ମୁଖ୍ୟମନ୍ତ୍ରୀଭାବେ ନବୀନ ପଟ୍ଟନାୟକଙ୍କୁ ପୁରସ୍କୃତ କରିବା ଅବସରରେ ଅନୁଷ୍ଠାନ ପକ୍ଷରୁ ଏକ ସ୍ୱତନ୍ତ୍ର ଅଡିଓ ଭିଜୁଆଲ୍‌ ପ୍ରଦର୍ଶନ କରାଯାଇଥିଲା। ସେଥିରେ ୧୯୯୯ ମହାବାତ୍ୟା ପରେ ଓଡ଼ିଶାରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଦର୍ଶାଯାଇଥିଲା। ଗୋଟିଏ ପଛୁଆ ଏବଂ ଅଭାବୀ ରାଜ୍ୟକୁ ଏକ ପ୍ରଗତିଶୀଳ ରାଜ୍ୟ ସ୍ତରରେ ପହଞ୍ଚାଇବା ପଛରେ ଥିବା ବିଭିନ୍ନ ଉଦ୍ୟମଗୁଡ଼ିକୁ ଭିଡିଓ ଜରିଆରେ ଉପସ୍ଥାପିତ କରାଯାଇଥିଲା।

ଓଡ଼ିଶାରେ ୮ ନିୟୁତରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ନେବା, ମହିଳା ସଶକ୍ତିକରଣ, ଆଦିବାସୀ ବିକାଶ, ବସ୍ତି ବାସିନ୍ଦାଙ୍କୁ ଜମିପଟ୍ଟା ଓ ଆବାସ, କୃଷକଙ୍କ ଆୟ ଦୁଇଗୁଣା ସହିତ ଶିଳ୍ପ ବିକାଶ ଓ ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତି ବାବଦରେ ଏହି ଭିଡିଓରେ ଦେଖାଯାଇଥିଲା। ଏଥିରେ ନବୀନ ପଟ୍ଟନାୟକଙ୍କୁ ଲେଖକ, ପ୍ରକୃତିପ୍ରେମୀ ବୋଲି ଚିତ୍ରଣ କରାଯାଇଥିଲା।

ଆସିଲେନି ଉପରାଷ୍ଟ୍ରପତି, କେନ୍ଦ୍ରମନ୍ତ୍ରୀ

ଆଜିର ଏହି ଉତ୍ସବରେ ଭାରତର ଉପରାଷ୍ଟ୍ରପତି ଏମ୍‌ ଭେଙ୍କିୟାନାଇଡୁ ଓ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ମାତ୍ର ଶେଷ ମୁହୂର୍ତରେ ଉଭୟ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ। ରାଜନୈତିକ ମହଲରେଚର୍ଚ୍ଚା ହେଉଛି, ବିଜେପି ଚାପରେ କେନ୍ଦ୍ରମନ୍ତ୍ରୀ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ। ହେଲେ ଦଳର ଚାପ କିନ୍ତୁ ମୁରଲୀ ମନୋହର ଯୋଶୀଙ୍କ ପାଖରେ କାମ ଦେଇନଥିଲା।

ସ୍ୱାଗତ ପାଇଁ ଜୋର୍‌ଦାର୍‌ ପ୍ରସ୍ତୁତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁନେରେ ପାଇଛନ୍ତି ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନ। ଏହି ସମ୍ମାନକୁ ଅଧିକ ପ୍ରଚାର ଓ ପ୍ରସାର କରି ରାଜନୈତିକ ଫାଇଦା ଉଠାଇବା ଓ ନବୀନଙ୍କ ଭାବମୂର୍ତ୍ତି ଉଜ୍ଜ୍ୱଳ କରିବାର ସୁଯୋଗକୁ ବିଜେଡି ହାତଛଡ଼ା କରିବାକୁ ଚାହୁଁ ନାହିଁ। ସେଥି ପାଇଁ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବିମାନବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ନବୀନଙ୍କୁ ପାଛୋଟି ଆଣିବା ପାଇଁ ବନ୍ଦୋବସ୍ତ କରାଯାଇଛି। ଆସନ୍ତାକାଲି ୩୦ ହଜାରରୁ ଅଧିକ ଲୋକଙ୍କୁ ବିମାନବନ୍ଦରରେ ଏକାଠି କରିବାକୁ ନେତାମାନେ କସରତ୍‌ ଚଳାଇଛନ୍ତି। ଯେହେତୁ କମ୍‌ ସମୟ ମଧ୍ୟରେ ପ୍ରସ୍ତୁତି କରାଯାଇଛି, ତେଣୁ ରାଜଧାନୀ ନିକଟବର୍ତ୍ତୀ ନିର୍ବାଚନମଣ୍ଡଳୀଗୁଡ଼ିକରୁ ଅଧିକ ଲୋକ ଆଣିବା ପାଇଁ ବିଧାୟକମାନଙ୍କୁ ଦାୟିତ୍ୱ ଦିଆଯାଇଛି। ବହୁ ସଂଖ୍ୟାରେ ପ୍ଲାକାର୍ଡ, ବ୍ୟାନର୍‌ ଆଜି ପ୍ରସ୍ତୁତ କରାଯାଇଛି। ସହରର ପ୍ରମୁଖ ସ୍ଥାନରେ ଆଜି ହିଁ ହୋର୍ଡିଂ ଲଗାଇଦିଆଯାଇଛି। ଗତ ଅଗଷ୍ଟ ମାସରେ ଇଂରାଜୀ ପତ୍ରିକା ‘ଆଉଟ୍‌ଲୁକ୍‌’ ପକ୍ଷରୁ ‘ଶ୍ରେଷ୍ଠ ପ୍ରଶାସକ’ ସମ୍ମାନ ପାଇଲା ପରେ ନବୀନଙ୍କୁ ସ୍ୱାଗତ କରିବା ପାଇଁ ଏହିପରି ପ୍ରସ୍ତୁତି କରାଯାଇଥିଲା। ଶେଷ ମୂହୁର୍ତ୍ତରେ ଏକ ରେଳ ଦୁର୍ଘଟଣା ପାଇଁ ତାହାକୁ ନିରାଡ଼ମ୍ବର ଭାବେ ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର