ବିଶ୍ୱର ଶ୍ରେଷ୍ଠ ୨୦ ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱର, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ବିଶ୍ୱର ଶ୍ରେଷ୍ଠ ୨୦ଟି ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱରକୁ ସ୍ଥାନ ମିିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକମାତ୍ର ଭାରତୀୟ ସହର ଭାବରେ ଭୁବନେଶ୍ୱରକୁ ସ୍ଥାନ ମିଳିବା ନିଶ୍ଚିତ ଭାବରେ ଗର୍ବ ଓ ଗୌରବର ବିଷୟ ବୋଲି ସେ କହିଛନ୍ତି। ନିଶ୍ଚିତ ଭାବରେ ଏହା ମୋ ପାଇଁ ଏକ ଖୁସିର ଖବର। ବର୍ଷ ୧୯୯୯ରେ ଘଟି ଯାଇଥିବା ମହାବାତ୍ୟାକୁ ମୋର ମନେ ପଡୁଛି। ସେଇ ଦିନଠାରୁ ଆମେ ଓଡ଼ିଶାର ବିକାଶ ଦିଗରେ କାମ କରି ଆସୁଛୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ନବୀନ କହିଛନ୍ତି, ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେରେ ଭୁବନେଶ୍ୱରକୁ ସ୍ଥାନ ମିିଳିବାରେ ଭୁବନେଶ୍ୱରବାସୀଙ୍କ ଭୂମିକା ରହିଛି। ସେମାନଙ୍କର ଭଲ ପାଇବା ହିଁ ଏଭଳି ଅପୂର୍ବ ଅନୁଭୂତି ଆଣି ଦେଇଛି। ଆମ ଉପରେ ଓଡ଼ିଶାବାସୀଙ୍କ ଭରସା ଓ ବିଶ୍ୱାସ ରହିଛି।

ଆମର ସଂସ୍କୃତି ଓ ଐତିହ୍ୟ ମହାନ। ସେହିଭଳି ଭୁବନେଶ୍ୱର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଛି। ବର୍ତ୍ତମାନ ଭୁବନେଶ୍ୱର ଖେଳର ରାଜଧାନୀ ପାଲଟିଛି। ଭୁବନେଶ୍ୱରକୁ ଆହୁରି ଭଲ ଭାବରେ ଗଢ଼ିବାକୁ ଆମେ ସମସ୍ତ ପ୍ରକାର ଉଦ୍ୟମ କରିବୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି, ଏହି ମୂହୁର୍ତ୍ତ ସମସ୍ତ ଓଡ଼ିଆଙ୍କ ପାଇଁ ଗୌରବର ସମୟ।

ଭାରତର ଏକମାତ୍ର ସ୍ମାର୍ଟ ସିଟି ଭାବେ ଭୁବନେଶ୍ୱର ‘ବେଷ୍ଟ୍‌ ପରଫରମିିଙ୍ଗ୍‌ ସ୍ମାର୍ଟ ସିଟି’ ତାଲିକାରେ ସ୍ଥାନ ପାଇ ଦେଶର ଗୌରବ ବୃଦ୍ଧି କରିଛି। ଏହି ସର୍ଭେରେ ନିଆଯାଇଥିବା ୪ଟି ଯାକ ମାପକାଠିରେ ସିଙ୍ଗାପୁର ପ୍ରଥମ ସ୍ଥାନରେ ରହିଥିବାବେଳେ ଭୁବନେଶ୍ୱର ଗମନାଗମନ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଉତ୍ପାଦକତାରେ ୨୦ତମ ସ୍ଥାନରେ ରହିଛି। ନିରାପତ୍ତାରେ ଭୁବନେଶ୍ୱର ବାର୍ସିଲୋନା, ବର୍ଲିନ୍‌, ପୋର୍ଟଲ୍ୟାଣ୍ଡ, ମେକ୍ସିକୋ ସିଟି, ଉକ୍ସି, ୟିନ୍‌ଚୁଆନ୍‌, ହ୍ୟାଙ୍ଗଝୋଉ ଭଳି ସହରକୁ ପଛରେ ପକାଇ ୧୩ତମ ସ୍ଥାନରେ ରହିଛି। ତେଣୁ ହାରାହାରି ଭାବେ ଭୁବନେଶ୍ୱର ଶ୍ରେଷ୍ଠ ୨୦ ତାଲିକାର ୧୯ତମ ସ୍ଥାନରେ ରହିଛି।

ସ୍ମାର୍ଟ ସିଟି ଭୁବନେଶ୍ୱରର ଏହି ସଫଳତା ନେଇ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ କୁହାଯାଇଛି ଯେ, ସ୍ମାର୍ଟ ସିଟି ବାସିନ୍ଦାଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ବିଏମ୍‌ସି ଓ ବିଡିଏ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଏବଂ ସ୍ମାର୍ଟ ସିଟି ଯୋଜନାରେ ହେବାକୁ ଥିବାକୁ ପ୍ରକଳ୍ପ ପାଇଁ ଏହି ସଫଳତା ମିଳିଛି।

ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଏବଂ ୟୁଏନ୍‌ଏଫ୍‌ପିଏ ସହଯୋଗରେ ମହିଳା ଏବଂ ଯୁବତୀମାନଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ଦିଆଯାଇଛି। ଏହାବାଦ୍‌ ରାଜଧାନୀର ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିଛି, ଇଣ୍ଟେଲିଜେଣ୍ଟ ସିଟି ଅପରେସନ୍‌ସ ଆଣ୍ଡ ମ୍ୟାନେଜମେଣ୍ଟ୍‌ ସେଣ୍ଟର (ଆଇସିଓଏମ୍‌ସି) ମାଧ୍ୟମରେ ପୂରା ରାଜଧାନୀ ଉପରେ ନଜର ରଖିବାକୁ ଯୋଜନା ହୋଇଛି। ଏହି ଦୃଷ୍ଟିରୁ ଭୁବନେଶ୍ୱର ନିରାପତ୍ତା ମାପକାଠିରେ ଅନ୍ୟ ୭ଟି ସ୍ମାର୍ଟ ସିଟିକୁ ପଛରେ ପକାଇ ୧୩ତମ ସ୍ଥାନ ହାସଲ କରିଛି।

 

ସମ୍ବନ୍ଧିତ ଖବର