ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତରଫରୁ ଜି-୨୦ ଉପଲକ୍ଷେ ଆୟୋଜିତ ସ୍ବତନ୍ତ୍ର ରାତ୍ରଭୋଜନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇନାହାନ୍ତି। ରାତ୍ରଭୋଜନରେ ଯୋଗ ନ ଦେବା ପଛର ନିର୍ଦ୍ଦିଷ୍ଟ କାରଣ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କିଛି ସୂଚନା ଦିଆଯାଇନାହିଁ। ନବୀନଙ୍କ ବ୍ୟତୀତ ଆଉ ୬ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏଥିରେ ସାମିଲ ହୋଇନାହାନ୍ତି। ସବୁ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ବିଜେଡି ସମର୍ଥନ ଦେଇ ଆସୁଛି। ଏ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ଜି-୨୦ ରାତ୍ରଭୋଜନରେ ଯୋଗଦେଲେ ନାହିଁ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଜି-୨୦ର ସ୍ବତନ୍ତ୍ର ରାତ୍ରଭୋଜନ ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରିତ କରାଯାଇଥିଲା। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଦିଲ୍ଲୀରେ ବିମାନ ଚଳାଚଳରେ କଟକଣା ପାଇଁ ରାତ୍ରଭୋଜନରେ ଯୋଗ ଦେଇନାହାନ୍ତି। ସେହିପରି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଲଣ୍ଡନରେ ରହିଥିବା କାରଣରୁ ଏଥିରେ ଯୋଗଦେଇନାହାନ୍ତି। ଏହାସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ମଧ୍ୟ ରାତ୍ରଭୋଜନରେ ଯୋଗ ଦେଇ ନାହାନ୍ତି। ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କର ଜି-୨୦ ରାତ୍ରଭୋଜନରେ ଯୋଗ ନ ଦେବା ପଛର କିଛି କାରଣ ସ୍ପଷ୍ଟ ହେଉଥିବା ବେଳେ ନବୀନ ଯୋଗ ନ ଦେବା ପଛର କାରଣ କ’ଣ ?
କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀ ଜି-୨୦ ରାତ୍ରଭୋଜନରେ ଯୋଗ ନ ଦେବା ଅତ୍ୟନ୍ତ ଚିନ୍ତାର କାରଣ। ମୁଖ୍ୟମନ୍ତ୍ରୀ ଶାରୀରିକ ଅସୁସ୍ଥତା ହୁଏତ ବହୁ ପରିମାଣର ବୃଦ୍ଧି ପାଇଛି। ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ଆଉ ଘରୁ ଆଉ ବାହାରି ପାରୁନାହାନ୍ତି ବୋଲି ଅନୁମାନ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ସଂପର୍କରେ ରାଜ୍ୟବାସୀଙ୍କ ଜାଣିବାର ଅଧିକାର ରହିଛି। ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ସଂପର୍କିତ ଖବର ରାଜ୍ୟବାସୀଙ୍କଠାରୁ ଲୁଚେଇ ରଖାଯିବାର କାରଣ କ’ଣ ? ଏହାସହ ବିଜେଡି ଦଳ ମଧ୍ୟ ବହୁ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇ ଆସୁଛି। ତେଣୁ ଜି-୨୦ ରାତ୍ରଭୋଜନରେ ମୁଖ୍ୟମନ୍ତ୍ରୀ ଯୋଗ ନ ଦେବା ପଛର ପ୍ରମୁଖ କାରଣ ସ୍ବାସ୍ଥ୍ୟ ନା ଆଉ କ’ଣ ତାହା ଦଳର ନେତୃବର୍ଗ ତୁରନ୍ତ ପ୍ରକାଶ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି ହୋଇଛି।
ରାଜ୍ୟ ବିଜେପିର ଗଣମାଧ୍ୟମ ସେଲ୍ର ମୁଖ୍ୟ ଦିଲ୍ଲୀପ ମଲ୍ଲିକ କହିଛନ୍ତି, ଜି-୨୦ ଆମ ଦେଶ ପାଇଁ ଏକ ଗୌରବର ବିଷୟ। ସବୁ ଦେଶର ନେତୃତ୍ବ ଭାରତ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ରାତ୍ରଭୋଜନରେ ସାମିଲ ହେବା ଉଚିତ୍ ଥିଲା। ମାତ୍ର ମୁଖ୍ୟମନ୍ତ୍ରୀ ଏଭଳି ଏକ କାର୍ଯ୍ୟକ୍ରମରେ ଯୋଗ ନ ଦେବା ଶୋଭନୀୟ ନୁହେଁ। କାହିଁକି ଯୋଗ ଦେଲେନି ତାହାର ସ୍ପଷ୍ଟୀକରଣ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରଦାନ କରିବାର ଦରକାର।