ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁକ୍ରବାର ଦିନ ବାରିପଦା ସହିଦ ସ୍ମୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିବା ସହ ଜିଲ୍ଲାର ୨୧ ଲକ୍ଷ ୪୦ ହଜାର ହିତାଧିକାରୀ ସ୍ବାସ୍ଥ୍ୟସେବା ସୁବିଧା ପାଇବେ ବୋଲି ଘୋଷଣା କରିଛନ୍ତି। ଏଥିସହ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜ ପାଇଁ ହାତ ଖୋଲି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଜିଲ୍ଲାରେ ପାନୀୟ ଜଳଯୋଗାଣ, ସ୍ବାସ୍ଥ୍ୟସେବା ନିମନ୍ତେ ଭିତ୍ତିଭୂମି ବିକାଶ, ଗମନାଗମନ କ୍ଷେତ୍ରରେ ଉନ୍ନତି ଆଦି ବିଭିନ୍ନ କ୍ଷେତ୍ରର ବିକାଶ ନିମନ୍ତେ ୨୪୮୪ କୋଟିର ପ୍ରକଳ୍ପ ଭେଟି ଦେଇଛନ୍ତି।
ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ସ୍ବାସ୍ଥ୍ୟସେବା ଇତିହାସରେ ଚଳିତ ବର୍ଷ ଏକ ନୂଆ ଯୁଗ ଆରମ୍ଭ ହେଲା। ଗତ ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ପ୍ରଦାନ କରାଯାଉଛି। ଏହାଦ୍ବାରା ଜନସାଧାରଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବ। ଏହି କାର୍ଡ ବିପଦ ସମୟର ପ୍ରକୃତ ବନ୍ଧୁ ପାଲଟିବ। ମୟୂରଭଞ୍ଜ ଜିଲ୍ଲାରେ ବିକାଶକୁ ତ୍ବରାନ୍ବିତ କରାଯାଉଥିବା ପ୍ରକାଶ କରି ସେ ଆହୁରି କହିଲେ, ଜୁଲାଇ ମାସରୁ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ କେନାଲରୁ ପାଣି ଛଡ଼ାଯାଉଛି। ଏହାଦ୍ବାରା ୯୪ଟି ଗାଁର ୧୫ ହଜାର ହେକ୍ଟର ଚାଷଜମି ଜଳସେଚିତ ହୋଇପାରୁଛି। ସେହିପରି ଜିଲ୍ଲାର ସବୁ ପରିବାରକୁ ପାଇପ୍ ପାଣି ଯୋଗାଇ ଦେବା ପାଇଁ ୩୨୦୦ କୋଟି ଟଙ୍କାର ମେଗା ପାଇପ୍ ପାଣି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି ଧାରାକୁ ଆଗେଇ ନେଇ ଆଜି ୨୩୦୦ କୋଟି ଟଙ୍କାର ୫୦୦ରୁ ଅଧିକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର କରାଯାଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ମାଟିରେ ଜନ୍ମ ନେଇଥିବା ମହାପୁରୁଷ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାସୁମନ ଜଣାଇଥିଲେ। ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନକୁ ମନେ ପକାଇବା ସହ ଭାଷା ଓ ଜାତିକୁ ସଶକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପଣ୍ଡିତ ରଘୁନାଥ ମୁର୍ମୁ, ଗୁରୁ ରୋହିଦାସ ସିଂ ନାଗ ଓ ଗୁରୁ ଲାକୋ ବଦ୍ରାଙ୍କ ଅବଦାନକୁ ସ୍ମରଣ କରିଥିଲେ। ମୟୂରଭଞ୍ଜର କଳା ଓ ସାହିତ୍ୟର ଉଚ୍ଚପ୍ରଶଂସା କରି ଝୁମର ଗୀତ ଓ ଛଉନାଚର ପ୍ରସିଦ୍ଧି ସଂପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ; ପୂର୍ବରୁ ରାଜ୍ୟର ୬ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ମନ୍ତ୍ରୀ ଅରୁଣ ସାହୁ, ପ୍ରତାପ ଜେନା, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୁଶାନ୍ତ ସିଂ, ଟୁକୁନୀ ସାହୁ, ବିଧାୟକ ବ୍ୟୋମକେଶ ରାୟ, ସୁଶାନ୍ତ ରାଉତ ପ୍ରମୁଖ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/naveen-patnaik-mayurbhanj.jpg)