ଭୁବନେଶ୍ବର: କେନ୍ଦ୍ର ସରକାର ୨୦୨୬ରେ ସମସ୍ତ ଲୋକସଭା ଓ ବିଧାନସଭା ଆସନର ସୀମା ନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ ଏହାକୁ କଡ଼ା ବିରୋଧ କରୁଥିବାବେଳେ ସେ ମାର୍ଚ୍ଚ ୭ରେ ଓଡ଼ିଶା ସମେତ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସେହି ରାଜ୍ୟର ରାଜନୈତିକ ଦଳର ମୁଖ୍ୟମାନଙ୍କୁ ଚିଠି ଲେଖିଥିଲେ। ମାର୍ଚ୍ଚ ୨୨ରେ ଚେନ୍ନାଇରେ ଯୁଗ୍ମ କ୍ରିୟାନୁଷ୍ଠାନ କମିଟି ବୈଠକ ଡାକିଥିବାବେଳେ ଏଥିରେ ଯୋଗଦେବାକୁ ଆଜି ଡିଏମ୍କେର ସାଂସଦ ଦୟାନିଧି ମାରନ ଏବଂ ତାମିଲନାଡ଼ୁ ଶିଳ୍ପ ମନ୍ତ୍ରୀ ଟିଆର୍ବି ରାଜା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି।
ଏହା ପରେ ବିଜେଡି ନେତା ସଂଜୟ ଦାସବର୍ମା ଗଣମାଧ୍ୟମକୁ କହିଛନ୍ତି ଯେ କେନ୍ଦ୍ର ସରକାର ସୀମା ନିର୍ଦ୍ଧାରଣକୁ ସ୍ବଚ୍ଛତାର ସହ କରିବାକୁ ଚାହୁନାହାନ୍ତି। ସେଥିପାଇଁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ ଦୁଇ ଜଣ ପ୍ରତିନିଧିଙ୍କୁ ବିଜେଡି ସଭାପତିଙ୍କ ନିକଟକୁ ପଠାଇଥିଲେ। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣକୁ ବିଜେଡି ସଭାପତି ଗ୍ରହଣ କରିଛନ୍ତି। ଚେନ୍ନାଇରେ ହେବାକୁ ଥିବା ବୈଠକରେ ବିଜେଡି ଆନୁଷ୍ଠାନିକ ଭାବେ ଯୋଗଦେବ ବୋଲି ସହମତି ଜଣାଇଛନ୍ତି। ଏହାସହ ଶ୍ରୀ ଦାସବର୍ମା କହିଛନ୍ତି, ଓଡ଼ିଶା ବି ଏଥିରେ କ୍ଷତିଗ୍ରସ୍ତ ହେବ। ଆନୁପାତିକ ଭାବେ ସଂସଦ ଓ ବିଧାନସଭାରେ ଯେଉଁ ଅନୁପାତରେ ଓଡ଼ିଶା ଆସନ ପାଇବା କଥା ତାହା ହେବ ନାହିଁ। ଓଡ଼ିଶାର ବାସ୍ତବରେ କ’ଣ କ୍ଷତି ହେବ ସେ ନେଇ ଖୁବ୍ ଶୀଘ୍ର ଭୁବନେଶ୍ବରରେ ଏକ ବୈଠକ ହୋଇ ବ୍ୟାପକ ଆଲୋଚନା ହେବ। ସୂଚନାଯୋଗ୍ୟ ଯେ ଆଜିର ବୈଠକରେ ବିଜେଡି ପକ୍ଷରୁ ନବୀନଙ୍କ ସହ ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା ଓ ପ୍ରଣବପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/12/qQfks0VZd15lxi0KoRCD.jpg)