ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ଆଜି ମୁମ୍ବାଇ ଯାଇଛନ୍ତି। ସର୍ଭିକାଲ୍‌ ଆର୍ଥ୍ରାଇଟିସ୍‌ରେ ପୀଡ଼ିତ ଥିବା ନବୀନଙ୍କର ଆସନ୍ତା ୨୨ ତାରିଖରେ ଚିକିତ୍ସା ହେବ। ବିଜେଡିର ବହୁ ନେତା ଆଜି ନବୀନ ନିବାସ ଓ ବିମାନବନ୍ଦର ଯାଇ ତାଙ୍କୁ ବିଦାୟ ଜଣାଇଥିଲେ। ଏତେ ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ଏକାଠି ହେବାର ଦୃଶ୍ୟ ବିଜେଡିର ଶକ୍ତି ପ୍ରଦର୍ଶନର ଭ୍ରମ ସୃଷ୍ଟି କରୁଥିଲା। ମୋଦୀଙ୍କ ଗସ୍ତ ପୂର୍ବରୁ ନବୀନଙ୍କୁ ବାଟେଇଦେବାର କାର୍ଯ୍ୟକ୍ରମ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। 

Advertisment

ଚିକିତ୍ସା ପାଇଁ ଯିବା ପୂର୍ବରୁ ନବୀନଙ୍କୁ ବିଦାୟ ଜଣାଇବାକୁ ଗତକାଲିଠାରୁ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଏଥି ପାଇଁ ବରିଷ୍ଠ ନେତା ଓ ବିଧାୟକମାନଙ୍କୁ ଦାୟିତ୍ବ ଦିଆଯାଇଥିଲା। ବିଶେଷ କରି ନାରୀ ନେତ୍ରୀମାନେ ସମସ୍ତେ ଉପସ୍ଥିତ ରହିବାକୁ କୁହାଯାଇଥିଲା। ଆଜି ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ଭୁବନେଶ୍ବର ଗସ୍ତ ଥିବାରୁ ବିଜେଡିର ଏହି ଆୟୋଜନ ଯେପରି ପ୍ରଭାବହୀନ ନହୁଏ, ସେଥି ପାଇଁ ବ୍ୟବସ୍ଥା କରାଯାଇଥିଲା। ସକାଳୁ ସକାଳୁ ନବୀନ ନିବାସରେ ନେତାମାନଙ୍କର ଗହଳି ହୋଇଥିଲା। ନାରୀ ନେତ୍ରୀମାନେ ବହୁସଂଖ୍ୟାରେ ‌ସେଠାରେ ପହଞ୍ଚିଥିଲେ। ନବୀନ ନିବାସରେ ନବୀନଙ୍କ ଆରୋଗ୍ୟ କାମନା କରି କଳସ ବସାଇ ତାଙ୍କୁ ବନ୍ଦାପନା କରିଥିଲେ କିଛି ନେତ୍ରୀ। ଶଙ୍ଖ ବି ଫୁଙ୍କିଥିଲେ। ଏହା ପରେ ନବୀନ କାରରେ ବସି ବିମାନବନ୍ଦର ଅଭିମୁଖେ ଯାଇଥିଲେ। ନବୀନ ନିବାସରୁ ବିମାନବନ୍ଦର ପର୍ଯ୍ୟନ୍ତ ରାସ୍ତାର ଦୁଇ କଡ଼ରେ ବିଜେଡି କର୍ମୀମାନେ ଠିଆ ହୋଇ ତାଙ୍କୁ ବିଦାୟ ଜଣାଇଥିଲେ। ‘ଲଙ୍ଗ୍‌ ଲିଭ୍‌ ନବୀନ’ ନାରାରେ କମ୍ପିଥିଲା ରାସ୍ତା। ବରିଷ୍ଠ ନେତା ଓ ବିଧାୟକମାନେ ବିମାନବନ୍ଦର ଫାଟକ ନିକଟରେ ଆଗରୁ ପହଞ୍ଚିଥିଲେ। ବିମାନବନ୍ଦର ଅଞ୍ଚଳ ଲୋକାରଣ୍ୟ ହୋଇଯାଇଥିଲା। ‘ଜୟ ଜଗନ୍ନାଥ’ ଓ ‘ଲଙ୍ଗ୍‌ ଲିଭ୍‌ ନବୀନ’ ନାରା ଦେଇ ତାଙ୍କୁ ଗାଡ଼ିରୁ ବିମାନବନ୍ଦର ଫାଟକ ନିକଟକୁ ନେଇଥିଲେ। ବିମାନବନ୍ଦର ଭିତରକୁ ପଶିବା ପୂର୍ବରୁ ସମସ୍ତଙ୍କୁ ହାତ ‌ହଲାଇ ଅଭିବାଦନ ଜଣାଇଥିଲେ।  

ମୋଦୀଙ୍କ ଗସ୍ତ ପୂର୍ବରୁ ବିମାବନ୍ଦରରେ ବିଜେଡିର ଏହି ଶକ୍ତି ପ୍ରଦର୍ଶନ ରାଜନୈତିକ ମହଲକୁ ଆଲୋଚନାର ଖୋରାକ ଯୋଗାଇଛି। ଚିକିତ୍ସା ନିମନ୍ତେ କମ୍ ଦିନ ପାଇଁ ନବୀନ ମୁମ୍ବାଇ ଯାଉଛନ୍ତି ବୋଲି ବରିଷ୍ଠ ନେତାମାନେ ଗଣମାଧ୍ୟମକୁ କହିଥିଲେ। ଆହୁରି ମଧ୍ୟ ସର୍ଭିକାଲ୍‌ ଆର୍ଥ୍ରାଇଟିସ୍‌ ସେପରି ଜଟିଳ ରୋଗ ନୁହେଁ। ଚିକିତ୍ସା ପରେ ଆରୋଗ୍ୟ ହୋଇପାରିବ। ତେଣୁ ‌ଏହି ଚିକିତ୍ସା ପାଇଁ ନବୀନ ଯାଉଥିଲା ବେଳେ ବିଜେଡି ପକ୍ଷରୁ ଏତେ ବଡ଼ ଆୟୋଜନର ଉଦ୍ଦେଶ୍ୟକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଚାଲିଛି। ବାସ୍ତବରେ ମୋଦୀଙ୍କ ଗସ୍ତ ପୂର୍ବରୁ ବିଜେଡି ନିଜର ରାଜନୈତିକ ସ୍ଥିତି ଓ ନବୀନଙ୍କ ଲୋକପ୍ରିୟତାକୁ ଜାହିର କରାଉଥିଲା ନା ଏହା ପଛରେ ଆଉ କିଛି ବଡ଼ ଯୋଜନା ରହିଛି, ତାହାକୁ ନେଇ ଆଭ୍ୟନ୍ତରୀଣ ମହଲରେ ଖୋଳତାଡ଼ ଚାଲିଛି।