ଜଟଣୀବାସୀଙ୍କ ପୈତୃକ ସଂପତ୍ତି ଛଡ଼ାଇ ନେଇଛନ୍ତି ନବୀନ ସରକାର: କଂଗ୍ରେସ

ଭୁବନେଶ୍ବର : ଜଟଣୀ ମ୍ୟୁନିସିପାଲଟି ଓ ଏହାକୁ ଲାଗିଥିବା ୨୭ଟି ଗାଁର ଅଧିବାସୀଙ୍କ ପୈତୃକ ଘରଡ଼ିହ ଓ ଜମିବାଡ଼ିକୁ ନବୀନ ସରକାର ବଳପୂର୍ବକ ଛଡ଼ାଇ ନେଇଛନ୍ତି। ସରକାରୀ ବାବୁମାନେ ଚକ୍ରାନ୍ତ କରି ୨୦୧୨ ମସିହାରୁ ଜଟଣୀ ଲୋକଙ୍କ ଜମିକୁ ଜଗନ୍ନାଥଙ୍କ ଜମିରେ ପରିଣତ କରିଛନ୍ତି। କାଳ କାଳ ଧରି ଏହି ସଂପତ୍ତି ତାଙ୍କ ପୂର୍ବପୁରୁଷ ଓ ତାଙ୍କ ନାମରେ ରହିଥିଲା। ତେଣୁ ଆସନ୍ତା ୨ମାସ ଭିତରେ ନବୀନ ସରକାର ଯଦି ତ୍ରୁଟି ସଂଶୋଧନ କରି ପ୍ରଭୂ ଜଗନ୍ନାଥଙ୍କ ନାମରୁ ଅସଲ ଜମି ମାଲିକଙ୍କୁ ଜମି ଫେରସ୍ତ ନ କରନ୍ତି ତା’ହାଲେ ହଜାର ହଜାର ଜଟଣୀବାସୀ ନବୀନ ନିବାସ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ।

ବୁଧବାର ଦିନ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉତରାୟ କହିଲେ ୨୦୧୨ ମସିହାରେ ଜଟଣୀବାସୀ ସରକାରୀ ଚକ୍ରାନ୍ତର ଶିକାର ହୋଇଛନ୍ତି। ଜଣେ ଆଇଏଏସ୍‌ ଅଧିକାରୀ ଓ ଜଣେ ସେଟେଲମେଣ୍ଟ ଅଧିକାରୀ ସରକାରଙ୍କ ପ୍ରରୋଚନାରେ ଏପରି କାର୍ଯ୍ୟ କରିଛନ୍ତି। ଏହାଦ୍ବାରା ପ୍ରାୟ ୭ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଜଟଣୀ ମ୍ୟୁନିସିପାଲଟି ସହ ବେରୁଆଁ, ବାଇରଙ୍ଗ, ନିରଞ୍ଜନପୁର, ବୁଢ଼ାପଡ଼ା, ଭଁସର, ହରିରାଜପୁର, କନ୍ତିଆ, ରଥିପୁର, କୁସୁମାଟି, ଛଣଘର ଭଳି ଗାଁ ଲୋକଙ୍କୁ ସରକାର ଭୁଆଁ ବୁଲାଉଛନ୍ତି। ଗାଁ ଲୋକଙ୍କ ଜମି ପ୍ରଭୂ ଜଗନ୍ନାଥଙ୍କ ଜମିରେ ପରିଣତ ହୋଇଯିବା ଫଳରେ ଏଠାରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁ ନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମଙ୍ଗଳକାରୀ ଯୋଜନାର ସୁବିଧା ବାସିନ୍ଦା ପାଇପାରୁ ନାହାନ୍ତି।

ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ରାଜସ୍ବ ମନ୍ତ୍ରୀ, ସଚିବ, ଉନ୍ନୟନ କମିସନର, ଆଇନ ମନ୍ତ୍ରୀ ଓ ସଚିବଙ୍କୁ ଅନେକ ଥର ସାକ୍ଷାତ କରି ସମାଧାନ ପାଇଁ ନିବେଦନ କରାଯାଇଛି। ରାଜସ୍ବ ସଚିବଙ୍କ ତତ୍ତ୍ବାବଧାନରେ ତ୍ରୁଟି ସଂଶୋଧନ କରି ଅସଲ ଜମି ମାଲିକଙ୍କୁ ତାଙ୍କ ଜମି ଫେରାଇବାକୁ ରିଜୋଲ୍ୟୁସନ ହୋଇଥିଲା। ମାତ୍ର ପରବର୍ତୀ ସମୟରେ ସରକାରଙ୍କ ପକ୍ଷରୁ ଏହି ଜମିର ପୁନଃ ବିଚାର ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନଙ୍କ ପାଖକୁ ପଠାଯାଇଛି। ଯାହା ଜଟଣୀବାସୀଙ୍କ ପ୍ରତି ବିଶ୍ବାସଘାତକତା ଛଡ଼ା ଆଉ କିଛି ନୁହେଁ ବୋଲି ଶ୍ରୀ ରାଉତରାୟ କହିଛନ୍ତି।

ସମ୍ବନ୍ଧିତ ଖବର