ଭୁବନେଶ୍ବର : ମେ’ ୨୯, ୨୦୧୯। ନବୀନ ପଟ୍ଟନାୟକଙ୍କ ସରକାର ୫ମ ଥର ପାଇଁ ରାଜ୍ୟର ଶାସନ ଭାର ଗ୍ରହଣ କଲେ। ଓଡ଼ିଶା ଇତିହାସରେ ଦୀର୍ଘ ବର୍ଷ ଶାସନ କ୍ଷମତାରେ ଥିଲେ ବି ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ ଓ କ୍ରୀଡ଼ା କ୍ଷେତ୍ରରେ ଆଖିଦୃଶିଆ ପ୍ରଗତି ପରିଲକ୍ଷିତ ହୋଇନଥିଲା। ପଞ୍ଚମ ପାଳିରେ ଏହି ସବୁ ଦିଗକୁ ଟାର୍ଗେଟ୍ କରିଛନ୍ତି ବିଜେଡି ସରକାର। ଗତ ତିନି ବର୍ଷରେ ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, ପିଇବା ପାଣି, କୃଷି, କ୍ରୀଡ଼ା କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ଲାଗି ଉଦ୍ୟମ ଆରମ୍ଭ ହୋଇଛି। ହେଲେ ବିକାଶ ଉପରେ ଦୁର୍ନୀତି ଭାରି ପଡ଼ୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏହାର ନିଦାନ ପାଇଁ '୫ଟି' ଛାଟ ମାରୁଛନ୍ତି ସରକାର।

Advertisment

ଇତିମଧ୍ୟରେ ୩୧ଟି ବିଭାଗର ୨୫୦ଟି ସେବାକୁ ବି ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ୍‌ କରିଛନ୍ତି। ଗତ ତିନି ବର୍ଷରେ ଅନେକ ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ହେଲେ ଏମଧ୍ୟରୁ କିଛି ଯୋଜନା ତୃଣମୂଳସ୍ତରରେ କାର୍ଯ୍ୟକ୍ଷମ ହେବା କଷ୍ଟକର ହୋଇପଡ଼ିଛି।

publive-image indiamart.com

'ମୋ ସ୍କୁଲ' କାର୍ଯ୍ୟକ୍ରମରେ ଆଧୁନିକ ଜ୍ଞାନକୌଶଳ ଜରିଆରେ ସ୍ମାର୍ଟ କ୍ଲାସ୍‌ରୁମ୍, ଇ-ଲାଇବ୍ରେରି, କମ୍ପ୍ୟୁଟର ଓ ଆଧୁନିକ ଲାବୋରେଟାରି ସୁବିଧା ସରକାରୀ ସ୍କୁଲରେ ଉପଲବ୍ଧ ହୋଇଛି। ଘରୋଇ ସ୍କୁଲର ଭିତ୍ତିଭୂମିକୁ ବଳିଯାଇଛି ସରକାରୀ ସ୍କୁଲ। ୨ହଜାର ସ୍କୁଲର ରୂପାନ୍ତରଣ ହୋଇଥିବା ବେଳେ ଦେଢ଼ବର୍ଷ ମଧ୍ୟରେ ସମସ୍ତ ସରକାରୀ ସ୍କୁଲକୁ ରୂପାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ବିଭିନ୍ନ ଧର୍ମାନୁଷ୍ଠାନର ଉନ୍ନତୀକରଣ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡରେ ସ୍ବାସ୍ଥ୍ୟ ସେବା, ଥାନାରେ ଲୋକଙ୍କୁ ପୂର୍ବାପେକ୍ଷା ଅଧିକ ସମ୍ମାନ ଓ ଅଭିଯୋଗ ଗ୍ରହଣ, ସହରାଞ୍ଚଳବାସୀଙ୍କୁ ଜାଗା ମିସନ୍, ମୁକ୍ତା, ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାରେ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଇଛି।

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିଏସ୍‌କେୱାଇ ସ୍ମାର୍ଟ ହେଲ୍‌ଥ କାର୍ଡ ଏକ ଐତିହାସିକ ସଫଳତା ବୋଲି ସରକାର ଦାବି କରିଛନ୍ତି। ୯୬ଲକ୍ଷ ପରିବାରର ସାଢ଼େ ତିନିକୋଟି ଲୋକ ଏହି ଯୋଜନାରେ ସାମିଲ୍‌ ହୋଇଥିବାବେଳେ ମହିଳାଙ୍କୁ ବର୍ଷକରେ ୧୦ଲକ୍ଷ ଏବଂ ଅନ୍ୟମାନଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ମିଳୁଛି। ରାଜ୍ୟ ବାହାରେ ୬୫ଟି ହସ୍ପିଟାଲ ଏବଂ ରାଜ୍ୟରେ ୩୨୮ଟି ଘରୋଇ ହସ୍ପିଟାଲ ସମେତ ସମସ୍ତ ସରକାରୀ ହସ୍ପିଟାଲରେ ଏହି କାର୍ଡ ମାଧ୍ୟମରେ ନିରନ୍ତର ଚିକିତ୍ସା ସୁବିଧା ମିଳୁଛି। ଏପରିକି ଦିନକୁ ରାଜ୍ୟ ସରକାର ଏବାବଦକୁ ୩.୧୨ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏହି ଯୋଜନାକୁ କିଛି ଘରୋଇ ହସ୍ପିଟାଲ ବାଟବଣା କରିବା ସହ ରୋଗୀଙ୍କୁ ଲୁଟୁଥିବାରୁ ଅସନ୍ତୋଷ ଦେଖାଦେଲାଣି।

publive-image top-rated.online

ଜଳସେଚନରେ ପଛୁଆ ରାଜ୍ୟ ଭାବେ ଗଣାଯାଉଥିବା ଓଡ଼ିଶାକୁ ନୂଆ ପରିଚୟ ଦେବା ପାଇଁ ରାଜ୍ୟ ସରକାର ବଡ଼ ଯୋଜନା କରିଛନ୍ତି। ୨୦୨୪ ସୁଦ୍ଧା ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଅଛନ୍ତି। ଏହାସହ ବିଭିନ୍ନ ନଦୀରେ ବହୁମୁଖୀ ବ୍ୟାରେଜ୍, ମେଗା ଲିଫ୍ଟ, ଉଠାଜଳସେଚନ ପ୍ରକଳ୍ପ ଆରମ୍ଭ କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅନେକ ପ୍ରକଳ୍ପକୁ ଶେଷ କରିବାକୁ ‌ଲକ୍ଷ୍ୟ ରଖାଯାଇଥିବାରୁ ପଞ୍ଚମ ପାଳିରେ ଜଳସେଚନ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି।

ସେହିପରି ଓଡ଼ିଶାକୁ ଦେଶର କ୍ରୀଡ଼ା ହବ୍ ଭାବେ ପରିଚୟ ଦିଆଯାଇପାରିଛି। ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀଙ୍କୁ ଅଲମ୍ପିକ୍ସ ପାଇଁ ପ୍ରସ୍ତୁତ କରିବାକୁ ପାଠ ପଢ଼ାଇବା ଓ ଖେଳକୁଦରେ ସାମିଲ୍‌ କରିବାକୁ ଅଲମ୍ପିକ୍ସ ମୂଲ୍ୟଯୁକ୍ତ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସାରା ଦେଶରେ ପ୍ରଥମ କରି ଓଡ଼ିଶାରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଭାରତୀୟ ହକି ଦଳର ପ୍ରଯୋଜକ ହେବା ସହ ରାଉରକେଲାରେ ଅନ୍ତର୍ଜାତୀୟ ସ୍ତରର ଷ୍ଟାଡିୟମ, କଳିଙ୍ଗ ଷ୍ଟାଡିୟମରେ ୧୨୦କୋଟି ବ୍ୟୟରେ ଇନଡୋର୍‌ ଆଥଲେଟିକ୍ ଷ୍ଟାଡିୟମ,୩୦୦କୋଟି ବ୍ୟୟରେ କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପ ହେଉଛି। ୬୯୩କୋଟି ବ୍ୟୟରେ ରାଜ୍ୟରେ ୮୯ଟି ବହୁମୁଖୀ ଇନଡୋର୍‌ ଷ୍ଟାଡିୟମ ନିର୍ମାଣ ନିଷ୍ପତ୍ତି ସରକାର କ୍ରୀଡ଼ା ପ୍ରତି କେତେ ତତ୍ପର ତାହା ପ୍ରମାଣିତ କରୁଛି।

publive-image

ଏତେ ସବୁ ସଫଳତା ସତ୍ତ୍ବେ ସରକାରୀ କାର୍ଯ୍ୟାଳୟରେ ଏବେବି ବିନା ଲାଞ୍ଚରେ କାମ ନହେବା ସରକାରଙ୍କ ସବୁ ସଫଳତା ଉପରେ କାଦୁଅ ଛିଟା ଭଳି ପଡ଼ିଯାଉଛି। ଏହି ଛିଟାକୁ ଧୋଇବାକୁ କିରାଣୀରୁ ଆରମ୍ଭ କରି ଆଇଏଏସ୍‌, ଆଇଏଫ୍ଏସ୍ ଅଧିକାରୀଙ୍କୁ ଚାକିରିରୁ ବାଧ୍ୟତାମୂଳକ ବିଦା କରିବାକୁ ସରକାର ପଛଘୁଞ୍ଚା ଦେଉନାହାନ୍ତି। ପଞ୍ଚମ ପାଳିରେ ୧୬୪ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଏହି ପାଳିରେ ସରକାରଙ୍କୁ କିଛି ମନ୍ତ୍ରୀ ବିବାଦ ଘେରକୁ ଟାଣିଥିଲେ ବି ପୂର୍ବଭଳି ମୁଣ୍ଡକାଟ ନୀତି ଆପଣାଇ ପାରିନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସରକାରଙ୍କୁ ଏଥିପାଇଁ ଢେର୍ ଅପବାଦ ମୁଣ୍ଡାଇବାକୁ ପଡ଼ିଲାଣି। କିନ୍ତୁ ଶାସକ ଦଳ ପାଇଁ ଆଶ୍ବାସନାର ବିଷୟ ହେଲା, ସମସ୍ତ ଉପନିର୍ବାଚନ ଏବଂ ସଦ୍ୟ ସମାପ୍ତ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ସେମାନେ ଏକତରଫା ବିଜୟୀ ହୋଇଛନ୍ତି।