ନବୀନ ସରକାର ଆଦିବାସୀ ବିରୋଧୀ: କଂଗ୍ରେସ

ଭୁବନେଶ୍ୱର : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୩୦ଟି ଜିଲ୍ଳାରୁ ୨୩ଟି ଜିଲ୍ଲାରେ ଆଦିବାସୀଙ୍କ ପାଇଁ ଆଦୌ ସଂରକ୍ଷଣ ବ୍ୟବସ୍ଥା କରାଯାଇନି। ଏହା କେବଳ ସମ୍ବିଧାନର ବିରୋଧାଚରଣ ନୁହେଁ ଆଦିବାସୀ ସଂପ୍ରଦାୟର ସ୍ୱାର୍ଥ ବିରୋଧୀ। ବିନା ଆଦିବାସୀ, ବିନା ଓବିସି ସଂରକ୍ଷଣରେ ନିର୍ବାଚନ କଲେ କଂଗ୍ରେସ ପ୍ରତିବାଦକୁ ଅଧିକ ଦୃଢ଼ କରିବ ଓ ଆନ୍ଦୋଳନକୁ ଯିବ ବୋଲି କଂଗ୍ରେସ ଗଣମାଧ୍ୟମ ସେଲ୍‌ ଅଧ୍ୟକ୍ଷ ଗଣେଶ୍ବର ବେହେରା ଚେତାବନୀ ଦେଇଛନ୍ତି।

ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବେହେରା କହିଛନ୍ତି, ଆଦିବାସୀ ମାନଙ୍କ ପାଇଁ ରାଜନୀତିକ ସଂରକ୍ଷଣ ଏକ ସାମ୍ବିଧାନିକ ଅଧିକାର। ଆମ ସମ୍ବିଧାନର ୨୪୩ (ଡି) ଧାରାରେ ଉଭୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାରେ ଆସନ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି। ଏହା ଅନୁଯାୟୀ, ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ୧୯୬୪ ଓ ପଞ୍ଚାୟତ ସମିତି ଆଇନ ୧୯୫୯ରେ ପ୍ରାବଧାନ କରାଯାଇଛି। ପ୍ରତ୍ୟେକ ପଞ୍ଚାୟତ, ପଞ୍ଚାୟତ ସମିତିରେ ଆଦିବାସୀଙ୍କ ନିମନ୍ତେ ଆସନ ସଂରକ୍ଷଣ ସହ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ଗ୍ରାମପଞ୍ଚାୟତ ଆଇନ ୧୯୬୪ର ଧାରା ୧୦ ଓ ପଞ୍ଚାୟତ ସମିତି ଆଇନ ଧାରା ୧୬ରେ ଅତ୍ୟନ୍ତ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ଏପରି ବ୍ୟବସ୍ଥା ଥିବା ସତ୍ତ୍ବେ ରାଜ୍ୟ ସରକାର କିପରି ଓଡ଼ିଶାର ଆଦିବାସୀଙ୍କ ପାଇଁ ୨୩ ଜିଲ୍ଲାରେ ସଂରକ୍ଷଣ ବ୍ୟବସ୍ଥା କରିନାହାନ୍ତି?
କଂଗ୍ରେସ ଏହାର ଦୃଢ଼ ବିରୋଧ କରୁଛି ଓ ଦାବି କରୁଛି ଯେ, ସରକାର ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ଚିଠା ସଂଶୋଧନ କରନ୍ତୁ। ଏହି ଜିଲ୍ଳାରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରି ପୁନଃ ଚିଠା ପ୍ରକାଶନ କରନ୍ତୁ ଓ ତା’ପରେ ନିର୍ବାଚନ କରନ୍ତୁ। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ମନୋଜ ମହାପାତ୍ର, ରାଜ୍ୟ ଆଦିବାସୀ କଂଗ୍ରେସ ଉପସଭାପତି ବିଦ୍ୟାଧର ଦେହୁରି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର