କରୋନା ମୁକାବିଲା ପାଇଁ ହାତ ଖୋଲିଲେ ନବୀନ, ୨୨୦୦ କୋଟିର ପ୍ୟାକେଜ୍

୯୪ଲକ୍ଷ ପରିବାରକୁ ମିଳିବ ହଜାରେ, ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା

ଭୁବନେଶ୍ବର: ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ୯୪ ଲକ୍ଷ ପରିବାରକୁ ରାଜ୍ୟ ସରକାର ୧ହଜାର ଟଙ୍କା ଲେଖାଏଁ ସହାୟତା ଦେବେ। ସେହିଭଳି ୨୨ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସବୁକୁ ନେଇ ମୋଟ ୨୨୦୦ କୋଟି ଟଙ୍କାର ଏକ ବଡ଼ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏକ ଭିଡିଓ ଜାରି କରି ମୁଖ୍ୟମନ୍ତ୍ରୀ ପ୍ରଥମେ ଏ ସଂପର୍କରେ ସୂଚନା ଦେଇଥିଲେ। ପରେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ଆଜି କହିଛନ୍ତି, ‘କରୋନା ଭାଇରସ୍ ଏବେ ସାରା ବିଶ୍ବ ପାଇଁ ସଙ୍କଟ ଭାବେ ଦେଖାଦେଇଛି। ଏହି ସଙ୍କଟ ଦ୍ବାରା ଆମର ଗରିବ ଲୋକଙ୍କ ଜୀବନ ଜୀବିକା ବିଶେଷ ଭାବେ ପ୍ରଭାବିତ ହେଉଛି। ଆମର ଗରିବ ଲୋକଙ୍କ କଲ୍ୟାଣ ପାଇଁ ମୁଁ ଆଜି ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରୁଛି।’

ପ୍ୟାକେଜର ବିସ୍ତୃତ ବିବରଣୀ ଦେଇ ନବୀନ ଆହୁରି କହିଥିଲେ ଯେ ଖାଦ୍ୟ ସୁରକ୍ଷା ଯୋଜନାର ସବୁ ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ତିନିମାସର ରାସନ ଆଗୁଆ ଦେଉଛନ୍ତି। ଏବେ ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ୯୪ ଲକ୍ଷ ପରିବାରକୁ ୧ହଜାର ଟଙ୍କା ଲେଖାଏଁ ଦିଆଯିବ। ଏ ବାବଦରେ ମୋଟ ୯୪୦ କୋଟି ଟଙ୍କା ସରକାର ଖର୍ଚ୍ଚ କରିବେ। ସେହିଭଳି ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ୪ମାସର ଭତ୍ତା ଆଗୁଆ ଦିଆଯାଉଛି।

ଏ ସଂପର୍କରେ ପୂର୍ବରୁ ଘୋଷଣା ହୋଇସାରିଥିଲା। ଏହାକୁ ବିଚାରକୁ ନେଲେ ରାଜ୍ୟ ରାଜକୋଷରୁ ସମୁଦାୟ ୯୩୨ କୋଟି ଟଙ୍କା ଖର୍ଚ୍ଚ ହେଉଛି। ସେହିଭଳି ଲକ୍‌ଡାଉନ୍‌ ପ୍ରଭାବରେ ନିର୍ମାଣ ଶ୍ରମିକ କାମ ହରାଇଥିବା କାରଣରୁ ସରକାର ୨୨ଲକ୍ଷ ଏଭଳି ଶ୍ରମିକଙ୍କୁ ମଧ୍ୟ ୧୫୦୦ ଟଙ୍କା ଲେଖାଏଁ ଯୋଗାଇ ଦେବେ। ଏଥିରେ ୩୩୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ନବୀନ କହିଛନ୍ତି। କରୋନା ପାଇଁ କେନ୍ଦ୍ର ସରକାର ଯେଉଁ ଲକ୍‌ଡାଉନ୍ ଘୋଷଣା କରିଛନ୍ତି, ତାହା ଏବେ ଜନଜୀବନକୁ ବିପର୍ଯ୍ୟସ୍ତ କରିଦେଇଛି। ବିଶେଷକରି ଗରିବ, ଖଟିଖିଆ, ମୂଲିଆ ଶ୍ରେଣୀଙ୍କ ଦୁଃଖ କହିଲେ ନ ସରେ। ନିର୍ମାଣ କାମ ଆଦି ବନ୍ଦ କରାଯାଇଥିବା କାରଣରୁ ଲୋକେ କିଭଳି ଚଳିବେ, ତାହା ଏବେ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି। ଯେଉଁମାନେ କାମ ଆଶାରେ ବାହାର ରାଜ୍ୟକୁ ଯାଇଥିଲେ, ସେମାନେ ମଧ୍ୟ ଏବେ ଓଡ଼ିଶା ଫେରିବା ଆରମ୍ଭ କରିଛନ୍ତି। ଏସବୁ ବର୍ଗ ପାଇଁ କିନ୍ତୁ ଏଠାରେ ସଂପ୍ରତି କୌଣସି କାମ ନାହିଁ। ସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ଗୁରୁବାର କେନ୍ଦ୍ର ସରକାର ମୋଟ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ଏକ ପ୍ୟାକେଜ୍ େଘାଷଣା କରିଥିଲେ। ଏହାର ୨୪ ଘଣ୍ଟା ପୂରିନି, ରାଜ୍ୟ ସରକାର ନିଜ ଢଙ୍ଗରେ ଏକ ପ୍ୟାକେଜ୍ ପ୍ରସ୍ତୁତ କରି ସାମ୍ନାକୁ ଆସିଛନ୍ତି। ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ ପାଇଁ ସମସ୍ତଙ୍କୁ ଘରେ ରହିବା ଲାଗି ପୁଣି ଥରେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର