ଭୁବନେଶ୍ବର: ବିଜୁ ଜନତା ଦଳ ଏବେ ପୂରା ନିର୍ବାଚନମନସ୍କ। ଦଳର ରଣନୀତି ଓ ସରକାରଙ୍କ ଯୋଜନା ବର୍ଷାରୁ ଏହା ସ୍ପଷ୍ଟ ବାରି ହୋଇପଡ଼ୁଛି। ନିଜେ ସୁପ୍ରିମୋ ନବୀନ ପଟ୍ଟନାୟକ ଜିଲ୍ଲା ବୁଲା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟ ବିରୋଧୀ ଦଳ ବିଜେପିର କେନ୍ଦ୍ରୀୟ ନେତାଙ୍କ ହାବଭାବ ନେଇ ନେତା ଓ କର୍ମୀ ଦ୍ବନ୍ଦ୍ବରେ। କେନ୍ଦ୍ର ଓ ରାଜ୍ୟ ବିରୋଧରେ ଯୁଦ୍ଧ ଡାକରା ଦେଇ ଲୋକଙ୍କ ନିକଟତର ହେବାକୁ ସବୁ ସୁଯୋଗ ଥିଲେ ବି କଂଗ୍ରେସ ତାହାର ଉପଯୋଗ କରୁନି। ଅନ୍ୟ ଦଳଗୁଡ଼ିକ ସେତେଟା ପ୍ରଭାବୀ ହୋଇପାରୁ ନାହାନ୍ତି। ସାଧାରଣ ନିର୍ବାଚନର ପାଞ୍ଚ ମାସ ପୂର୍ବରୁ ମୋଟାମୋଟି ଭାବେ ଏହା ରାଜ୍ୟର ରାଜନୈତିକ ଚିତ୍ର।
ଏପ୍ରିଲ୍-ମେ’ ମାସରେ ସାଧାରଣ ନିର୍ବାଚନ। ମାର୍ଚ୍ଚ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ତାରିଖ ଘୋଷଣା ହୋଇପାରେ। ହାତରେ ଆଉ ମାତ୍ର ଚାରି ମାସ ସମୟ। କିନ୍ତୁ ରାଜ୍ୟ ରାଜନୀତିରେ ଉଷ୍ମତା ଏଯାଏ ବାରି ହେଉ ନାହିଁ। ସବୁ ଦଳରେ ଆଶାୟୀମାନେ ବଡ଼ ବଡ଼ ନେତାଙ୍କ ପାଖରେ ଚକ୍କର କାଟୁଛନ୍ତି। କୌଣସି ଦଳର ରଣନୀତିରେ ଆଦୌ ସ୍ପଷ୍ଟତା ନାହିଁ। ଆଶାୟୀଙ୍କ ସଂଖ୍ୟାବୃଦ୍ଧିରେ ଭାରାକ୍ରାନ୍ତ ବିଜେଡି କିନ୍ତୁ ନିର୍ବାଚନ ପ୍ରସ୍ତୁତିରେ ଅନ୍ୟମାନଙ୍କ ଠାରୁ ଟିକେ ଆଗରେ ରହିଛି।
ରାଜ୍ୟ ସରକାର ନିର୍ବାଚନକୁ ଆଖି ଆଗରେ ରଖି ଇତିମଧ୍ୟରେ ଅନେକ ଯୋଜନା ଘୋଷଣା କରିସାରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ‘ଆମ ଗାଁ ଆମ ବିକାଶ’ ଯୋଜନାକୁ ନବୀନଙ୍କ ମାଷ୍ଟର୍ ଷ୍ଟ୍ରୋକ୍ ବୋଲି କୁହାଯାଉଥିଲା। ଏବେ ଅନୁରୂପ ଢାଞ୍ଚାରେ ଚାଲିଛି ‘ଆମ ଓଡ଼ିଶା ନବୀନ ଓଡ଼ିଶା’। ଏହି ଯୋଜନାରେ ଗ୍ରାମାଞ୍ଚଳରେ ଭିତ୍ତିଭୂମି ବିକାଶ ପାଇଁ ହାତଖୋଲା ଖର୍ଚ୍ଚ ଚାଲିଛି। ଯେହେତୁ ଧର୍ମାନୁଷ୍ଠାନର ବିକାଶକୁ ଏଥିରେ ପ୍ରାଧାନ୍ୟ ଦିଆଯାଉଛି, ତେଣୁ ଲୋକଙ୍କ ଭାବାବେଗକୁ ବାନ୍ଧି ରଖିବାରେ ଶାସକ ବିଜେଡି ସଫଳ ହେବ ବୋଲି ଦଳର ବରିଷ୍ଠ ନେତାମାନେ ଦାବି କରୁଛନ୍ତି। ଦଳର ଶୀର୍ଷ ନେତୃତ୍ବଙ୍କର କହିବା କଥା, ଲୋକମାନଙ୍କର ଦୀର୍ଘ ଦିନର ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ସବୁ ଜିଲ୍ଲାକୁ ପାଣ୍ଠି ଦିଆଯାଉଛି। ଲକ୍ଷ୍ମୀ ବସ୍ ଯୋଜନା ବି ଗ୍ରାମାଞ୍ଚଳ ଲୋକଙ୍କୁ ଆକୃଷ୍ଟ କରିବାକୁ ଆଉ ଏକ ସୁଚିନ୍ତିତ ଯୋଜନା। ଏହାବ୍ୟତୀତ ନିଜେ ନବୀନ ଜିଲ୍ଲା ବୁଲା ଆରମ୍ଭ କରିଛନ୍ତି। ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରିସାରିଲେଣି। ଯଦିଓ ସେ ଜିଲ୍ଲାରେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉ ନାହାନ୍ତି, କିନ୍ତୁ ତାଙ୍କର ଗସ୍ତ ଦଳୀୟ ନେତା ଓ କର୍ମୀଙ୍କୁ ବେଶ୍ ଉତ୍ସାହିତ କରୁଛି। ଆସନ୍ତା ତିନି ମାସ ଭିତରେ ପ୍ରତି ଜିଲ୍ଲାକୁ ଅତି କମ୍ରେ ଥରେ ମୁଖ୍ୟମନ୍ତ୍ରୀ ଯିବେ।
ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଲା, ବିଜେଡି ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିସାରିଲାଣି। ଯେଉଁ ବିଧାୟକ ପୁନର୍ବାର ପ୍ରାର୍ଥୀ ହେବାରେ ସମସ୍ୟା ନାହିଁ, ସେମାନଙ୍କୁ ସଙ୍କେତ ଦିଆଯାଇଛି। କିନ୍ତୁ ଯେଉଁଠି ପ୍ରାର୍ଥୀ ବଦଳିବାର ସମ୍ଭାବନା ରହିଛି, ସେଠାରେ ସ୍ପଷ୍ଟ ଚିତ୍ର ଆସିନି। ସେ କ୍ଷେତ୍ରରେ ବିଭିନ୍ନ ଗୋଷ୍ଠୀଙ୍କୁ ଡାକି ବୁଝାସୁଝା ଆରମ୍ଭ ହୋଇଛି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ଜିତିବାର ସମ୍ଭାବନା ଅଧିକ ଥିବାରୁ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବିଜେଡିରେ ଅଧିକ। ଏଣୁ ପ୍ରାର୍ଥୀ ଚୟନ ଦଳ ପାଇଁ କାଠିକର ପାଠ ହୋଇପଡ଼ିବ। ଏହା ସତ୍ତ୍ବେ କୌଣସି ନିର୍ବାଚନମଣ୍ଡଳୀରେ ଯେମିତି ବିଦ୍ରୋହୀ ପ୍ରାର୍ଥୀ ନ ଉଠନ୍ତି, ସେଥିପାଇଁ ଦଳର ତୁଙ୍ଗ ନେତାମାନେ ଅବଶ୍ୟ ସତର୍କ ହେବେ।
ସେପଟେ ବିଜେପିର କାର୍ଯ୍ୟକ୍ରମରୁ ଏ ଯାଏ ନିର୍ବାଚନୀ ପ୍ରସ୍ତୁତିର ଗନ୍ଧ ବାରି ହେଉ ନାହିଁ। ଏହା ଏକ ଜାତୀୟ ଦଳ ହୋଇଥିବାରୁ ଦିଲ୍ଲୀରୁ କୌଣସି ବଡ଼ ନେତା ଆସି ସଭା ନକରିବା ଯାଏ ଦଳର ଛାମୁଆ ନେତା ଓ କର୍ମୀମାନଙ୍କୁ ନିର୍ବାଚନମନସ୍କ କରିବା କଷ୍ଟକର ବ୍ୟାପାର ବୋଲି ରାଜନୈତିକ ମହଲରେ କୁହାଯାଉଛି। ନିକଟରେ ଗୃହ ମନ୍ତ୍ରୀ ଅମିତ ଶାହ ଆସିଥିଲେ। ହେଲେ ଦଳ ପକ୍ଷରୁ କୌଣସି ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନଥିଲା। ସେହିଭଳି ମନମୋହନ ସାମଲଙ୍କ ପରି ଅନୁଭବୀ ନେତା ସଭାପତି ଦାୟିତ୍ବ ନେଲା ପରେ ଦଳ ସରକାରଙ୍କ ବିରୋଧରେ ଅଭିଯାନ ଜୋର୍ଦାର କରିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଏ ଯାଏ ସେଭଳି ପ୍ରସ୍ତୁତି ଦେଖିବାକୁ ମିଳିନାହିଁ। ଦଳର ନୂଆ କର୍ମକର୍ତ୍ତା ଘୋଷଣାରେ ଅହେତୁକ ବିଳମ୍ବ ହେଲା। ଏ ଯାଏ ଜିଲ୍ଲା କର୍ମକର୍ତ୍ତା ଘୋଷଣା ବି ହୋଇ ନାହିଁ। ପ୍ରତିଦିନ ୩/୪ଟି ସାମ୍ବାଦିକ ସମ୍ମିଳନୀ ଡାକି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାରେ ବିଜେପିର କାର୍ଯ୍ୟକ୍ରମ ସୀମିତ ରହିଛି। କୌଣସି ଏକ ପ୍ରସଙ୍ଗକୁ ଧରି ପୂରା ସରକାରକୁ ଅଡ଼ୁଆରେ ପକାଇବା ପରି କାମ ଏ ଯାଏ ବିଜେପି କରି ନାହିଁ। କେବଳ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ସ୍ଥାନରେ ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ଦଳର ସକ୍ରିୟତା ସଂପର୍କରେ ସଙ୍କେତ ଦେଉଛନ୍ତି। ଆହୁରି ମଧ୍ୟ ବୁଥ୍ ସ୍ତରରେ ସଂଗଠନକୁ ସକ୍ରିୟ କରିବା ନିଷ୍ପତ୍ତି କେବଳ ଘୋଷଣାରେ ଅଟକିଯାଇଛି।
ଓଡ଼ିଶାକୁ କେନ୍ଦ୍ରୀୟ ଅବହେଳା ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ପ୍ରସଙ୍ଗ କରି ରାସ୍ତାକୁ ଓହ୍ଲାଇବା ପାଇଁ କଂଗ୍ରେସ ପାଖରେ ସବୁପ୍ରକାର ସୁଯୋଗ ରହିଛି। କିନ୍ତୁ ଦଳ ପୂର୍ବାପେକ୍ଷା ସକ୍ରିୟ ହୋଇଥିଲେ ହେଁ ଏଯାଏ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକ୍ରମ ଆରମ୍ଭ କରିନାହିଁ। କୌଣସି ବଡ଼ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଜ୍ୟସ୍ତରୀୟ ସମାବେଶ କି ପ୍ରତିବାଦ ସଭା ଏ ଯାଏ ହୋଇ ନାହିଁ। ଦଳର କେନ୍ଦ୍ରୀୟ ନେତୃତ୍ବ ମଧ୍ୟ ଓଡ଼ିଶା ଆସୁ ନାହାନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ କି ଠୋସ୍ ରଣନୀତି ପ୍ରସ୍ତୁତ କରୁଛି, ତାହା କର୍ମୀମାନେ ଅନୁଭବ କରିପାରୁ ନାହାନ୍ତି। କିଛି କିଛି ନିର୍ବାଚନମଣ୍ଡଳୀରେ ଆଶାୟୀ ନେତା ନିଜ ନିଜ ବାଟରେ ସାଂଗଠନିକ କାର୍ଯ୍ୟକ୍ରମ କରୁଛନ୍ତି। ୨୦୧୯ରେ କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିଥିଲା। ତେଣୁ ଟ୍ରାକ୍କୁ ଫେରିବା ପାଇଁ କଂଗ୍ରେସକୁ ଯୋଜନାବଦ୍ଧ ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ଦେଉଛନ୍ତି। ହେଲେ ଦଳର ବରିଷ୍ଠ ନେତାମାନେ ଏକାଠି ବସି ଏ ଦିଗରେ ଏ ଯାଏ ମାନସ ମନ୍ଥନ ନକରିବା ବିସ୍ମିତ କରେ। ଗୋଟିଏ ଧାଡ଼ିରେ କୁହାଯାଇପାରେ ଯେ ଡିସେମ୍ବର ୩ ତାରିଖରେ ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ଓଡ଼ିଶା ସ୍ଥିତିରେ ଉନ୍ନତି ଆସିପାରେ।