ସମ୍ବଲପୁର: ରାଜ୍ୟର ବିକାଶରେ ଶ୍ରମିକମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶାରେ ଯେଉଁସବୁ ନବୀକରଣ କରାଯାଇଛି, ସେସବୁ ଶ୍ରମିକଙ୍କ ଲହୁଲୁହରେ ଜଡ଼ିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରମିକଙ୍କ ସାମଗ୍ରିକ କଲ୍ୟାଣ ପାଇଁ ବହୁତ କିଛି ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ସମ୍ବଲପୁର ବୁର୍ଲାଠାରେ ଆୟୋଜିତ ଶ୍ରମିକ ସମାବେଶରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଏହା କହିଛନ୍ତି ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଆଜି ବିଜୁ ଶ୍ରମିକ ସାମ୍ମୁଖ୍ୟ ତରଫରୁ ଏହି ଜିଲ୍ଲାସ୍ତରୀୟ ଶ୍ରମିକ ସମାବେଶ ଆୟୋଜିତ ହୋଇଥିଲା। ଜଗଦୀଶ ବିଶ୍ବାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଭର୍ଚୁଆଲ ମାଧ୍ୟମରେ ‌ଯୋଗଦେଇ ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାସ୍ତା ନିର୍ମାଣ, ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ରାସ୍ତାଘାଟ ସବୁ ନବୀକରଣ ଶ୍ରମିକର ଲୁହଲହୁରେ ଜଡ଼ିତ ରହିଛି। ଶ୍ରମିକମାନଙ୍କ ଦୈନିକ ମଜୁରି ୧୦୦ ଟଙ୍କା ବୃଦ୍ଧିକରି ସମଗ୍ର ଦେଶରେ ନଜିର ସୃଷ୍ଟି କରିଛନ୍ତି ନବୀନ ପଟ୍ଟନାୟକ।

Advertisment

ଶ୍ରମିକଙ୍କ ଦୈନିକ ମଜୁରି ୧୦୦ ଟଙ୍କା ବୃଦ୍ଧି ସମଗ୍ର ଦେଶରେ ଉଦାହରଣ
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଶ୍ରମିକଙ୍କୁ ସବୁଠାରୁ ଅଧିକ ସୁରକ୍ଷା ଦିଆଯାଇଛି

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଶ୍ରମିକମାନଙ୍କ ସବୁଠାରୁ ଅଧିକ ସୁରକ୍ଷା ପ୍ରଦାନ କରିଛି, ଯାହାକି ସମଗ୍ର ଦେଶରେ ବିରଳ। ସେହିଭଳି ଉଚ୍ଚଶିକ୍ଷା ପାଇଁ ୯୦ ଭାଗ ଶିକ୍ଷାର୍ଥୀଙ୍କୁ ସ୍କଲାରସିପ ପ୍ରଦାନ କରିବାରେ ସମଗ୍ର ଦେଶରେ ଓଡ଼ିଶା ପ୍ରଥମ। କେନ୍ଦୁପତ୍ର ତୋଳାଳି ଓ ବୁଣାକାରମାନଙ୍କୁ ୫୦ ପ୍ରତିଶତ କଲ୍ୟାଣକାରୀ ବ୍ୟୟବରାଦ ବୃଦ୍ଧି ପ୍ରଶଂସନୀୟ। ଶ୍ରମିକମାନେ ୬ଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗର ହାତ ବଢ଼ାଇବାକୁ ଶ୍ରୀ ପାଣ୍ଡିଆନ ନିବେଦନ କରିଥିଲେ। ଏହି ସମାବେଶରେ ସମ୍ବଲପୁର ଜିଲ୍ଲାର ନିର୍ମାଣ ଶ୍ରମିକ, ବିଦ୍ୟୁତ୍‌ କର୍ମଚାରୀ ସଂଘ, ପରିବହନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନେ ସାମିଲ ହୋଇଥିଲେ। ସମାବେଶରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସଚିବ ତଥା କଟକ ମହାନଗର ମେୟର ସୁବାସ ସିଂହ, ବିଧାୟକ ରୋହିତ ପୂଜାରୀ, ଶ୍ରମିକ ଉପଦେଷ୍ଟା ରାଜୀବ ମହାନ୍ତି, ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, ଶ୍ରମିକ ନେତା ଇନ୍ଦ୍ରଜିତ ତାଣ୍ଡି, ଲକ୍ଷ୍ମୀପ୍ରସାଦ ମହାନ୍ତି, ଶୁଭ୍ରାଂଶୁ ପାଢୀ, ପ୍ରଦ୍ୟୁମ୍ନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।