ଭୁବନେଶ୍ବର: ଓଡ଼ିଶା ଲୁହାପଥର, ମାଙ୍ଗାନିଜ୍‌, କ୍ରୋମାଇଟ୍‌, ବକ୍ସାଇଟ୍‌ ଓ କୋଇଲା ଆଦି ଖଣିରେ ଭରପୂର। କିନ୍ତୁ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ରହିବା ସତ୍ତ୍ବେ ଓଡ଼ିଶାକୁ ଶିଳ୍ପ କ୍ଷେତ୍ରରେ ବିକଶିତ କରିବାରେ ନବୀନ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଆମ କୁଶଳୀ ଶ୍ରମିକଙ୍କୁ ରାଜ୍ୟ ବାହାରେ ଦାଦନ ଖଟିବାକୁ ବାଧ୍ୟ କରିଛନ୍ତି। ନିଜ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନା‌ୟକ ଖୋଲିଥିବା ଶିଳ୍ପଗୁଡ଼ିକୁ ବି ସେ ବନ୍ଦ କରିଦେଇଛନ୍ତି ବୋଲି ଆଜି ‘ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ରେ ଏହାର ସମ୍ପାଦକୀୟ ନିର୍ଦ୍ଦେଶକ ପ୍ରଭୁ ଚାୱଲାଙ୍କୁ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। 
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି କହିଛନ୍ତି, ଓଡ଼ିଶାରେ କୌଣସି ଶିଳ୍ପ ନ ଥିବାରୁ କୁଶଳୀ ଶ୍ରମିକମାନେ କାମ ଆଶାରେ ସୁରଟ, କୋଏମ୍ବଟୁର୍‌, ଆବୁଧାବି ଓ ଦିଲ୍ଲୀ ଚାଲିଯାଉଥିଲେ। ଓଡ଼ିଶାରେ ଏହି କୁଶଳୀ ଶ୍ରମିକଙ୍କୁ ରଖି ଓଡ଼ିଶାର ବିକାଶ ସହ ସେମାନଙ୍କର ସାମାଜିକ ଓ ପାରିବାରିକ ବିକାଶ ଆମର ଲକ୍ଷ୍ୟ। ଦକ୍ଷତା ବିକାଶ ସହ ତାଲିମ କେନ୍ଦ୍ର ବି ଖୋଲିବା ଦିଗରେ ବି ଆମେ କାମ କରୁଛୁ।

Advertisment

ଏଥିପାଇଁ ଆମେ ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିବାକୁ ଚିନ୍ତା କରୁଛୁ। ଆମେ ନିକଟ ଅତୀତରେ ‘ଓଡ଼ିଶା ଟେକ୍ସଟାଇଲ୍‌ କନ୍‌କ୍ଲେଭ୍‌’ର ଆୟୋଜନ କରି ଏଠାକୁ ୩୩ କମ୍ପାନିକୁ ଆମନ୍ତ୍ରିତ କରି ୭୮୦୦ କୋଟି ଟଙ୍କାର ଏମ୍‌ଓୟୁ ଦସ୍ତଖତ କରିଛୁ। ଓଡ଼ିଶାର ସମ୍ବଲପୁର, ବ୍ରହ୍ମପୁର, କେନ୍ଦୁଝର ଓ ଭୁବନେଶ୍ବରରେ ସେମାନେ କପଡ଼ା ଶିଳ୍ପ ଖୋଲିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାଦ୍ବାରା ୫୩ ହଜାର ୫୦୦ ନିଯୁକ୍ତି ସୁଯୋଗ ବି ସୃଷ୍ଟି ହେବ। ଓଡ଼ିଆ ଲୋକ ଓଡ଼ିଶାରେ କାମ ପାଇବେ। ନିଜ ରାଜ୍ୟ ଗଠନରେ ସାହାଯ୍ୟ କରିବେ। ନବୀନ ପଟ୍ଟନାୟକ ଓଡ଼ିଆଙ୍କ ପାଇଁ ଓଡ଼ିଶା ପାଇଁ ଏହା କେବେ ବି ଚିନ୍ତା ହିଁ କରିନାହାନ୍ତି। ସେ ତ’ ଓଲଟା ନିଜ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ବାରା ଚୌଦ୍ବାରରେ ସ୍ଥାପିତ ଓଟିଏମ୍‌ ବନ୍ଦ କରିଦେଇଛନ୍ତି। ବିଜୁବାବୁଙ୍କ ସମୟରେ ଖୋଲା ଯାଇଥିବା ଚିନି କଳ, କେନ୍ଦୁଝରରେ ଲୁହାପଥର ଶିଳ୍ପକୁ ନବୀନ ବନ୍ଦ କରିଦେଲେ। 

ବିଜୁ ପଟ୍ଟନାୟକ ଓଡ଼ିଶାର ବରପୁତ୍ର। ଜଣେ ମହାନ ବ୍ୟକ୍ତିତ୍ବ। ତାଙ୍କ ନାମରେ ଥିବା ଯୋଜନା ବା ସ୍ଥାନର ନାମ ଆମେ କେବେ ବଦଳାଇ ନାହୁଁ। ବିଜୁବାବୁଙ୍କ ନାମରେ ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନବନ୍ଦର ରହିଛି। ତାଙ୍କ ନାମରେ ଆମେ ବହୁତ ପୁରସ୍କାର ମଧ୍ୟ ପ୍ରଦାନ କରୁଛୁ। ଆମେ ‌ବିଜୁବାବୁଙ୍କୁ ସମ୍ମାନ କରୁ। ତାଙ୍କ ନାମ ବଦଳାଇନାହୁଁ। ଏ କଥା ନବୀନ ମିଛ କହୁଛନ୍ତି। ଯାହା ଯେମିତି ରହିଲେ ଭଲ ଆମେ ‌ତାହା ହିଁ କରୁଛୁ। କିଛି ଯୋଜନା ମୁଖ୍ୟମନ୍ତ୍ରୀ ଯୋଜନା ଭାବେ ନାମିତ ହୁଏ। ଆବଶ୍ୟକତା ଦେଖି ଆମେ ତାହା ହିଁ କରୁଛୁ।