ବ୍ରହ୍ମପୁର: ସଦ୍ୟ ସମାପ୍ତ ହୋଇଥିବା ସାଧାରଣ ନିର୍ବାଚନ ଫଳାଫଳ ଗଞ୍ଜାମ ଜିଲ୍ଲାରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ୨୪ବର୍ଷ ଧରି ବିଜେଡି କବ୍ଜାରେ ରହିଥିବା ଗଞ୍ଜାମ ଜିଲ୍ଲା ଏବେ ବିଜେପି ହାତକୁ ଯାଇଛି। ବିଜେଡିରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକମାତ୍ର ପ୍ରାର୍ଥୀ ଭାବେ ଜିଲ୍ଲାର ସମ୍ମାନ ଓ ନିଜର ଗଡ଼ ରକ୍ଷା କରି ହିଞ୍ଜିଳିରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସାଧାରଣ ନିର୍ବାଚନ ସରି ୫ ମାସ ସମୟ ଗଲାଣି। ବର୍ତ୍ତମାନ ନବନିର୍ବାଚିତ ବିଧାୟକ ନିଜ ନିଜର ନିର୍ବାଚନମଣ୍ଡଳୀରେ ବୈଠକ କରି ଲୋକଙ୍କ ସମସ୍ୟା ବୁଝୁଛନ୍ତି। କିନ୍ତୁ ହିଞ୍ଜିଳି ବିଧାୟକ ତଥା ବିରୋଧୀଦଳ ନେତା ନବୀନଙ୍କ ବର୍ତ୍ତମାନ ସୁଦ୍ଧା ନିଜ ନିର୍ବାଚନମଣ୍ଡଳୀରେ ଦେଖା ମିଳି ନାହିଁ। ଫଳରେ ନିରାଶ ହୋଇଛନ୍ତି ହିଞ୍ଜିଳି ନିର୍ବାଚନମଣ୍ଡଳୀର ଜନସାଧାରଣ।
ହିଞ୍ଜିଳିରେ ଦଳୀୟ କାର୍ଯ୍ୟକ୍ରମ ପରିଚାଳନା ପାଇଁ ନବୀନ ତାଙ୍କର ପ୍ରତିନିଧିମାନଙ୍କୁ ନିଯୁକ୍ତ କରିଛନ୍ତି। ଏହାଛଡ଼ା ନିକଟରେ ବ୍ଲକ୍, ଜିଲ୍ଲା ପରିଷଦ, ପୌରପାଳିକା ଠାରୁ ଆରମ୍ଭ କରି ବିଭିନ୍ନ କମିଟିରେ ସେ ନୂଆ ପ୍ରତିନିଧି ନିଯୁକ୍ତ କରିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି, ହିଞ୍ଜିଳିର ଦାୟିତ୍ବ ଏବେ ନବୀନଙ୍କ ପ୍ରତିନିଧିଙ୍କ ଉପରେ ନ୍ୟସ୍ତ। ଏଣୁ ହିଞ୍ଜିଳି ନିର୍ବାଚନମଣ୍ଡଳୀର ଜନସାଧାରଣ ବିଧାୟକ ନବୀନଙ୍କୁ ଦେଖିବା ଏକ ପ୍ରକାର ସ୍ବପ୍ନ ହୋଇଯିବ ବୋଲି ଶୁଣିବାକୁ ମିଳୁଛି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ଆସି ଗଞ୍ଜାମ ଜିଲ୍ଲାରୁ ପ୍ରଚାର ଆରମ୍ଭ କରିଥିଲେ। ଜିଲ୍ଲା ସଦର ମହକୁମା ଛତ୍ରପୁରରେ ନାମାଙ୍କନ ଦାଖଲ କରି ରୋଡ୍ ସୋ’ କରିଥିଲେ। ଏହା ପରଠୁ ନବୀନ ରାଜଧାନୀରେ ରହିଛନ୍ତି।
୨୦୧୯ ସାଧାରଣ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ୧୩ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ୧୨ଟି ନିର୍ବାଚନମଣ୍ଡଳୀ ବିଜେଡି କବ୍ଜା ରହିଥିଲା। କିନ୍ତୁ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ୧୧ଟି ନିର୍ବାଚନମଣ୍ଡଳୀ କବ୍ଜା କରିଥିବା ବେଳେ ବିଜେଡି ଓ କଂଗ୍ରେସ ଗୋଟିଏ ଲେଖାଏଁ ନିର୍ବାଚନମଣ୍ଡଳୀରେ ବିଜୟ ହୋଇଥିଲେ। ବିଜେଡିର ଏକ ମାତ୍ର ପ୍ରାର୍ଥୀ ଭାବେ ନବୀନ ହିଞ୍ଜିଳିରୁ ଷଷ୍ଠଥର ପାଇଁ ବିଜୟୀ ହେଲେ। କିନ୍ତୁ ହିଞ୍ଜିଳିବାସୀଙ୍କୁ ଧନ୍ୟବାଦ ଜଣାଇବାକୁ ସେ ନିର୍ବାଚନମଣ୍ଡଳୀକୁ ଆସି ନାହାନ୍ତି। ସେପଟେ ନଭେମ୍ବରରୁ ନବୀନ ଜିଲ୍ଲା ବୁଲିବେ ବୋଲି ଘୋଷଣା କରିଛନ୍ତି। ତେବେ ଏହା ପୂର୍ବରୁ ସେ ନିଜ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କୁ ଭେଟିବାକୁ ଆସୁଛନ୍ତି କି ନାହିଁ ତାହା ଦେଖିବାକୁ ରହିଲା।
ନବୀନ ମୁଖ୍ୟମନ୍ତ୍ରୀ ଥିବା ସମୟରେ ହିଞ୍ଜିଳିକୁ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଉଥିଲା। ବିଭିନ୍ନ ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀ ଲଗାତାର ହିଞ୍ଜିଳି ଗସ୍ତରେ ଆସି ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରୁଥିଲେ। ବର୍ତ୍ତମାନ ଶାସନ କ୍ଷମତା ବଦଳିବା ପରେ ଏହାର ଗୁରୁତ୍ବ ହ୍ରାସ ପାଇଥିବା ଅନୁମାନ କରାଯାଉଛି। ମୁଖ୍ୟମନ୍ତ୍ରୀ ଥିବା ସମୟରେ ଅଧିକାରୀମାନେ ହିଞ୍ଜିଳିର ବିକାଶ ଦାୟିତ୍ବ ନେଇଥିଲେ। ଏବେ ବିଧାୟକ ନବୀନଙ୍କ ପ୍ରତିନିଧିଙ୍କ କାନ୍ଧରେ ସେହି ଦାୟିତ୍ବ ରହିଥିବା ଭଳି ମନେ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/naveen.jpg)