ରାଉରକେଲା: ନିକଟରେ ରାଜଧାନୀ ଭୁବନେଶ୍ବରରେ ଯୁବ କଂଗ୍ରେସ ପକ୍ଷରୁ ‘ନବୀନ ହଟାଓ, ଓଡ଼ିଶା ବଞ୍ଚାଓ’ ରାଲି ଅନୁଷ୍ଠିତ ହୋଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଯୁବକଂଗ୍ରେସ ନେତା ଓ କର୍ମୀ ନବୀନ ନିବାସ ଘେରାଉ କରିଥିଲେ। ରାଲି ଓ ବିକ୍ଷୋଭ ସମାବେଶରେ ସାମିଲ ହୋଇଥିବା ରାଉରକେଲା ଯୁବ କଂଗ୍ରେସ ବ୍ୟାନରରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯୁବକଂଗ୍ରେସ ନେତା ଓ କର୍ମୀମାନେ ଯେଉଁ ବ୍ୟାନର ଧରିଥିଲେ, ସେଥିରେ ରାଉରକେଲାର ବିଜେଡ଼ି ନେତା ବି.ଏନ୍. ପଟ୍ଟନାୟକଙ୍କ ଫଟୋ ରହିଥିଲା। କେବଳ ଏତିକି ନୁହେଁ ‌ସେହି ଯୁବକଂଗ୍ରେସ ନେତା ଓ କର୍ମୀମାନେ ବି.ଏନ୍. ପଟ୍ଟନାୟକ ଜିନ୍ଦାବାଦ୍‌ ନାରା ଦେବାକୁ ମଧ୍ୟ ପଛାଇ ନେଇଥିଲେ। ବ୍ୟାନରରେ ଫଟୋ ଓ ବି.ଏନ୍. ପଟ୍ଟନାୟକ ଜିନ୍ଦାବାଦ୍‌ ନାରା ଶୁଣି ରାଲିରେ ସାମିଲ ହୋଇଥିବା ଯୁବକଂଗ୍ରେସ ନେତାମାନେ ଆଶ୍ଚର୍ଯ୍ୟ ହୋଇଥିଲେ।

Advertisment

ରାଲିରେ ସାମିଲ ହୋଇଥିବା ଅନ୍ୟ ଗୋଷ୍ଠୀର କିଛି ଯୁବନେତା କର୍ମୀମାନଙ୍କୁ ବି.ଏନ୍. ଜିନ୍ଦାବାଦ୍‌ ନାରା ନ ଦେବାକୁ ବାରଣ ମଧ୍ୟ କରିଥିଲେ। କିନ୍ତୁ ନେତା ଓ କର୍ମୀମାନେ ମାନି ନଥିଲେ। କାରଣ ବି.ଏନ୍. ପଟ୍ଟନାୟକ ପୂର୍ବରୁ ରାଉରକେଲାର ଜିଲ୍ଲା କଂଗ୍ରେସ ସଭାପତି ଥିଲେ। ବହୁ ପୂର୍ବରୁ କଂଗ୍ରେସ ଛାଡି ବିଜେଡ଼ିରେ ଯୋଗଦେଇଥିଲେ। ବିଜେଡ଼ିର ପ୍ରାୟ ସମସ୍ତ ଦଳୀୟ କାର୍ଯ୍ୟକ୍ରମରେ ସେ ସାମିଲ ହେଉଥିଲେ। ବିଜେଡ଼ି ଦଳରେ ତାଙ୍କୁ ସେତିକି ଗୁରୁତ୍ବ ନ ମିଳିବା ଅଥବା ବିଭିନ୍ନ କାରଣରୁ ସେ ଗତ କିଛି ମାସ ଧରି ବିଜେଡି କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି। ତାଙ୍କୁ କୌଣସି କାର୍ଯ୍ୟକ୍ରମରେ ପୂର୍ବପରି ଦେଖିବାକୁ ମିଳୁନି। ଏସବୁ ଭିତରେ ବି.ଏନ୍. ପଟ୍ଟନାୟକ ବିଜେଡ଼ି ଦଳରୁ ଇସ୍ତଫା ନ ଦେଇ କଂଗ୍ରେସ ବିଧାୟକ ଟିକେଟ୍‌ ପାଇଁ ଆବେଦନ କରିବା। ତାଙ୍କୁ ରାଉରକେଲା ଜିଲ୍ଲା କଂଗ୍ରେସର ଗୋଟିଏ ଯୁବଗୋଷ୍ଠୀ ସମର୍ଥନ କରିବା।

ଭୁବନେଶ୍ବର ଯୁବକଂଗ୍ରେସ ରାଲିରେ ତାଙ୍କର ଜିନ୍ଦାବାଦ୍‌କୁ ରାଉରକେଲା ଜିଲ୍ଲା ଯୁବକଂକଂଗ୍ରେସ ଅନ୍ୟ ଯୁବଗୋଷ୍ଠୀ ଆଦୌ ଗ୍ରହଣ କରିପାରୁନାହାନ୍ତି। ଯାହାକୁ ନେଇ ଜିଲ୍ଲା କଂଗ୍ରେସ ଦୁଇ ଯୁବଗୋଷ୍ଠୀ ଓ କିଛି ବରିଷ୍ଠ ନେତାଙ୍କ ମଧ୍ୟରେ ନାନା ଆଲୋଚନା ପର୍ଯ୍ୟାଲୋଚନା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ରାଉରକେଲା ନିର୍ବାଚନମଣ୍ଡଳୀରେ କଂଗ୍ରେସ ଦଳ ଗତ ୧୯୯୫ ପରଠାରୁ ବିଜୟର ସ୍ବାଦ ଚାଖିନି। ଦଳର ସ୍ଥିତି ଯାହା, ପୁନର୍ବାର ଏଠାରେ ଜିତିବା କଂଗ୍ରେସ୍‌ ପାଇଁ କାଠିକର ପାଠ। ଏସବୁ ଭିତରେ କିନ୍ତୁ ଦଳୀୟ ନେତାଙ୍କୁ ଘାରିଛି ଟିକଟ୍‌ ନିଶା ଘାରିଛି। ତିନି ବିଜେଡି ନେତା ଜଗଦୀଶ ପ୍ରସାଦ ଅଗ୍ରୱାଲ, ବି.ଏନ୍. ପଟ୍ଟନାୟକ ଓ ସୌଭାଗ୍ୟରଞ୍ଜନ ମଲ୍ଲିକଙ୍କ ସମେତ ମୋଟ ୩୩ ଜଣ ବିଧାୟକ ଟିକେଟ୍‌ ପାଇଁ ଆବେଦନ କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା, ଆଶାୟୀ ପ୍ରାର୍ଥୀ ତାଲିକାରେ ଥିବା ୩୩ ଜଣଙ୍କ ମଧ୍ୟରୁ କେତେକଙ୍କୁ ଆଦୌ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳେ ନାହିଁ।