ଜିଲ୍ଲାପାଳ ଓ ବ୍ୟାଙ୍କ ସହ ଆଲୋଚନା କଲେ ନବୀନ, ଅର୍ଥନୀତିକୁ ଗତିଶୀଳ ପାଇଁ ଋଣ ଦିଅ

ଚାଷ, ଏସ୍‌ଏଚ୍‌ଜି, ଏମ୍‌ଏସ୍‌ଏମ୍‌ଇକୁ ସରକାରଙ୍କ ଗୁରୁତ୍ବ

ଭୁବନେଶ୍ବର: ଓଡ଼ିଶା ସଫଳତାର ସହ କୋଭିଡ୍ ପରିଚାଳନା କରି ଦେଶରେ ଉଦାହରଣ ସୃଷ୍ଟି କରିଛି। ଟିକା ଆସିବାର ସମ୍ଭାବନା ସହିତ ନୂଆବର୍ଷକୁ ଓଡ଼ିଶା ନୂଆ ଆଶା ସହିତ ସ୍ବାଗତ କରିବ। ହେଲେ ଏଭଳି ସମୟରେ ଅର୍ଥନୀତିର ପୁନରୁଦ୍ଧାର ଆଶାକୁ ରାଜ୍ୟର ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚାଇବା ହେଉଛି ସରକାରଙ୍କ ଲକ୍ଷ୍ୟ। ଯଦି ଲୋକଙ୍କର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ସରକାର ପୂରଣ ନ କରିପାରନ୍ତି, ତେବେ ଆମ ବ୍ୟବସ୍ଥା, ଆମର ସଂସ୍ଥା ମାନଙ୍କର କୌଣସି ମୂଲ୍ୟ ରହିବ ନାହିଁ। ରାଜ୍ୟର କୃଷକ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଏମ୍‌ଏସ୍‌ଏମ୍‌ଇକୁ ଋଣ ପ୍ରଦାନ ସଂପର୍କରେ ଜିଲ୍ଲାପାଳ ଓ ବ୍ୟାଙ୍କ ମାନଙ୍କ ସହିତ ସମୀକ୍ଷା କରିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ମତ ରଖିବା ସହିତ ଅତ୍ୟନ୍ତ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ସିଧା ସିଧା ଜଣାଇଛନ୍ତି ଯେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ, ମିସନ ଶକ୍ତି ଗୋଷ୍ଠୀ ଓ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗୀ ମାନଙ୍କର ବର୍ତ୍ତମାନ ଋଣ ହେଉଛି ପ୍ରଥମ ଆବଶ୍ୟକତା। ଋଣ ପାଇଲେ ହିଁ ସେମାନେ ନିଜ ଗୋଡରେ ହିଁ ଠିଆ ହୋଇପାରିବେ। ଏହାଦ୍ବାରା ଅର୍ଥନୀତି ଗତିଶୀଳ ହୋଇପାରିବ। ବ୍ୟାଙ୍କମାନେ ଏହାକୁ ପ୍ରାଥମିକତାର ସହିତ ଗ୍ରହଣ କରି ପଦକ୍ଷେପ ନେବା ଦରକାର। ଯେଉଁ ବ୍ୟାଙ୍କମାନେ ଭଲ ପ୍ରଦର୍ଶନ କରିବେ, ସେମାନଙ୍କ ସଂପର୍କରେ ରାଜ୍ୟ ସରକାର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅବଗତ କରିବେ। ସେମାନଙ୍କୁ ଚଳିତ ଆର୍ଥିକ ବର୍ଷ ଶେଷରେ ପୁରସ୍କୃତ ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଲୋକଙ୍କ ଆବଶ୍ୟକତା ପୂରଣ ନହେଲେ ସଂସ୍ଥାର ମୂଲ୍ୟ ନାହିଁ
ଭଲ କରିଥିବା ବ୍ୟାଙ୍କ ଓ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ଖରାପ ପ୍ରଦର୍ଶନକାରୀଙ୍କୁ ସୁଧୁରିବାକୁ ପରାମର୍ଶ ଦେଲେ

ଗତ କିଛି ସପ୍ତାହ ହେଲା ଯେଉଁ ହାରରେ ଋଣ ପ୍ରଦାନ ହେଇଛି, ତାହା ଅବ୍ୟାହତ ରହିବା ଜରୁରୀ ବୋଲି ମତ ରଖି ନବୀନ କହିଥିଲେ ଯେ ପ୍ରତିବର୍ଷ ଅନିୟମିତ ପାଣିପାଗର କଷ୍ଟ ସହୁଛନ୍ତି। ଏଣୁ ଚାଷୀଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଋଣ ପ୍ରଦାନ କରି ସେମାନଙ୍କୁ ସାହାଯ୍ୟ କରାଯିବା ଦରକାର। ସୁନ୍ଦରଗଡ, ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ ଉନ୍ନତ ପ୍ରଦର୍ଶନ କରିଛନ୍ତି, ଯାହା ପ୍ରଶଂସନୀୟ। ହେଲେ ମାଲକାନଗିରି, ଢେଙ୍କାନାଳ ଓ କଳାହାଣ୍ଡି ଜିଲ୍ଲା ଏ କ୍ଷେତ୍ରରେ ଅଧିକ ଉନ୍ନତି ଆଣିବା ଦରକାର। ସେହିପରି ରାଜ୍ୟ ସମବାୟ ବ୍ୟାଙ୍କ, କାନାରା ବ୍ୟାଙ୍କ ଓ ବନ୍ଧନ ବ୍ୟାଙ୍କ ଋଣ ପ୍ରଦାନରେ ଭଲ ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହିତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନେସ୍‌ନାଲ ବ୍ୟାଙ୍କ ଓ ୟୁକୋ ବ୍ୟାଙ୍କକୁ ଏ କ୍ଷେତ୍ରରେ ଆହୁରି ଭଲ ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିସନ ଶକ୍ତି ଗୋଷ୍ଠୀ ମାନଙ୍କୁ ଋଣ ପ୍ରଦାନ ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା। ସମ୍ବଲପୁର, କନ୍ଧମାଳ, ନୂଆପଡା ଓ ବାଲେଶ୍ବର ଜିଲ୍ଲା ଏ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛନ୍ତି। ଯାଜପୁର, ମୟୂରଭଂଜ, ଗଞ୍ଜାମ ଓ ପୁରୀ ଜିଲ୍ଲା ଉନ୍ନତି ଆଣିବା ଉଚିତ୍। ଗ୍ରାମ୍ୟ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, କାନାରା ବ୍ୟାଙ୍କ ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଭଲ ପ୍ରଦର୍ଶନ କରିଥିଲେ ହେଁ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ, ଆକ୍‌ସିସ ବ୍ୟାଙ୍କ ଆଦି ଅଧିକ ଋଣ ପ୍ରଦାନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ଗୁଡିକ ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏମାନଙ୍କୁ ଋଣ ପ୍ରଦାନର ଧାରା ସନ୍ତୋଷଜନକ ରହିଛି। ନୟାଗଡ, ଯାଜପୁର ଆଦି ଜିଲ୍ଲା ଲକ୍ଷ୍ୟ ଠାରୁ ଅଧିକ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଗଜପତି, ଦେବଗଡ ଓ ନୂଆପଡା ଆଦି ଜିଲ୍ଲା ଗୁଡିକର ପ୍ରଦର୍ଶନରେ ଉନ୍ନତିର ଆବଶ୍ୟକତା ରହିଛି। ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଓ ପଞ୍ଜାବ ନେସନାଲ ବ୍ୟାଙ୍କ ତାଙ୍କର ବାର୍ଷିକ ଋଣପ୍ରଦାନ ଲକ୍ଷ୍ୟ ଠାରୁ ଅଧିକ ଋଣ ପ୍ରଦାନ କରିଛନ୍ତି । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା ଏମ୍‌ଏସ୍‌ଏମ୍ଇ କ୍ଷେତ୍ରକୁ ସର୍ବାଧିକ ୭୨୫୦ କୋଟି ଟଙ୍କା ପ୍ରଦାନ କରିଛି। ତେବେ ବ୍ୟାଙ୍କ ଅଫ ବରୋଦା, ଇଣ୍ଡିଆନ ବ୍ୟାଙ୍କ ଓ ଆକ୍‌ସିସ ବ୍ୟାଙ୍କ ଏ କ୍ଷେତ୍ରରେ ଅଧିକ ଉନ୍ନତି କରିବାର ଆବଶ୍ୟକତା ରହିଛି। ଚଳିତ ଆର୍ଥିକ ବର୍ଷର ଶେଷ ତିନିମାସ ମଧ୍ୟରେ ସବୁ ଜିଲ୍ଲା ଓ ବ୍ୟାଙ୍କ ମାନେ ବର୍ଷ ଶେଷ ସୁଦ୍ଧା ସେମାନଙ୍କର ଋଣ ପ୍ରଦାନର ଲକ୍ଷ୍ୟ ପୂରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ। ଆଗାମୀ ଫେବୃଆରୀ ୨୬ ତାରିଖରେ ଏ ସଂପର୍କରେ ସେ ଆଉ ଥରେ ସମୀକ୍ଷା ହେବ ବୋଲି କହିଥିଲେ।

ବୈଠକରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ ଏବଂ ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗର ସଚିବ ଆର୍‌. ରଘୁପ୍ରସାଦ, ଏମ୍‌ଏସଏମ୍‌ଇ ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ନିଜ ନିଜ ବିଭାଗରେ ଋଣ ପ୍ରଦାନ ସଂପର୍କରେ ଆଲୋଚନା କରିଥିଲେ। ମିସନ ଶକ୍ତି ସଂପର୍କରେ ସୂଚନା ଦେଇ ବିଭାଗର କମିଶନର ତଥା ନିର୍ଦ୍ଦେଶକ ସୁଜାତା କାର୍ତ୍ତିକେୟନ କହିଥିଲେ ଯେ ପ୍ରତ୍ୟେକ ସ୍ବୟଂ ସହାୟକ ଗୋଷ୍ଠୀକୁ ହାରାହାରି ଭାବେ ଅତିକମ୍‌ରେ ୨ ଲକ୍ଷ ଟଙ୍କା ଋଣ ଦେବା ଆବଶ୍ୟକ। ବ୍ୟାଙ୍କ ମାନେ ଋଣପ୍ରଦାନ ଆବେଦନକୁ ପକାଇ ନ ରଖି ତୁରନ୍ତ ଫଇସଲା କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିସନର ରାଜକୁମାର ଶର୍ମା, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ବ୍ୟାଙ୍କମାନଙ୍କ ପଦାଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର