ଅନୁଗୁଳ/ଦେବଗଡ଼/ରାଉରକେଲା: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଆଜି ସମ୍ୱଲପୁର ଲୋକସଭା କ୍ଷେତ୍ରରେ ମାରାଥନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ଦେବଗଡ଼, ଛେଣ୍ଡିପଦା ଓ ଆଠମଲ୍ଲିକରେ ଆୟୋଜିତ ନିର୍ବାଚନୀ ସଭାରେ ବିପୁଳ ଜନସମାଗମ ଦେଖିବାକୁ ମିଳିଥିଲା। ସମସ୍ତେ ଉଚ୍ଛ୍ୱସିତ ସ୍ୱରରେ ଜିନ୍ଦାବାଦ ଧ୍ୱନି କରି ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜେପି ଉପରେ ଶାଣିତ ଆକ୍ରମଣ କରିଥିଲେ। ସିଧା ପଚାରିଥିଲେ, ଅଚ୍ଛେଦିନ୍‌ କୁଆଡ଼େ ଗଲା? ପଚାରିଲେ ଉତ୍ତର ଦେଉନାହାନ୍ତି କାହିଁକି? ବିଜେପି ଦଳ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି।

Advertisment

ମୁଖ୍ୟମନ୍ତ୍ରୀ କହିଲେ ଯେ ଓଡ଼ିଶାରେ ଜୁଲାଇରୁ ମାଗଣା ବିଜୁଳି ମିଳିବ। ଆପଣମାନେ ଖୁସି ତ? ନବୀନ ପଟ୍ଟନାୟକ ଭଲ କି ପ୍ରଶ୍ନରେ ‘ହଁ’ ବୋଲି କହିଥିଲେ ଲୋକେ। ସେ ପୁଣି ତାଙ୍କ ସରକାରର ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ସମ୍ପର୍କରେ ଲୋକଙ୍କୁ ପଚାରିଥିଲେ। ବିଏସ୍‌କେୱାଇ, ମିସନ ଶକ୍ତି, ମମତା, କାଳିଆ, ଲକ୍ଷ୍ମୀ ବସ୍‍, ୫-ଟି ସ୍କୁଲ ରୂପାନ୍ତର, ପିଲାଙ୍କ ସ୍କଲାରସିପ୍‍, ଚାଉଳ କାର୍ଡ ଭଳି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ପଚାରିଥିଲେ। ଲୋକମାନେ ସମ୍ମତି ଜଣାଇଥିଲେ। ମା’ ସମଲେଇ ଓ ପରିକ୍ରମା ପ୍ରକଳ୍ପ ବିଷୟରେ ମତାମତ ନେବା ବେଳେ ଉପସ୍ଥିତ ଲୋକେ ଖୁସି ପ୍ରକାଶ କରିଥିଲେ। ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ।

ସଭାରେ ନିଜର ବକ୍ତବ୍ୟ ରଖି ଦଳର ବରିଷ୍ଠ ନେତା ଭି କେ ପାଣ୍ଡିଆନ କହିଥିଲେ ଯେ କେନ୍ଦ୍ର ସରକାର ଓଡ଼ିଶାର ଯେଉଁ ପରିମାଣର ଅର୍ଥ ବିଭିନ୍ନ କର ଆକାରରେ ନେଉଛି ସେଇ ଅନୁଯାୟୀ ଓଡ଼ିଶାକୁ କିଛି ଦେଉନାହିଁ। ସେ କହିଲେ ‘ବିଜେପି ନେଲାବେଳେ ଚତୁର୍ଭୁଜ, ଦେଲାବେଳେ ଖାଲି ହାତ’। ଉଦାହରଣ ଦେଇ ସେ କହିଲେ, ଏମ୍‍ସିଏଲ୍‌ ପ୍ରତି ବର୍ଷ ଓଡ଼ିଶାରୁ କୋଇଲା ବାବଦକୁ ୨୫ରୁ୨୭ ହଜାର କୋଟି ଟଙ୍କା ପାଉଛି, କିନ୍ତୁ ଓଡ଼ିଶାକୁ ଦେଉଛି ମାତ୍ର ୪ ହଜାର କୋଟି। ବିଜେପି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି। ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜେପି କହିଥିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ଦୁଇ ଗୁଣ କରିବେ। ତେଲ ଦର କମାଇବେ। ଏଲ୍‍ପିଜିଦର, ପେଟ୍ରୋଲ, ଡିଜେଲ ଦର କମାଇବେ। ୧୦ ବର୍ଷ ମଧ୍ୟରେ କମାଇଲେ କି ?

ବିଜେପି ଖାଲି କୁମ୍ଭୀର କାନ୍ଦଣାରେ ବ୍ୟସ୍ତ
ଜୁଲାଇରୁ ବିଜୁଳି ମାଗଣା; ନବୀନ ଗ୍ୟାରେଣ୍ଟି
ବିଜେପି ନେଲାବେଳେ ଚତୁର୍ଭୁଜ, ଦେଲାବେଳେ ଖାଲି ହାତ: ପାଣ୍ଡିଆନ
ରାଉରକେଲା, ଦେବଗଡ଼, ଛେଣ୍ଡିପଦା ଓ ଆଠମଲ୍ଲିକରେ ପ୍ରଚାର

କେନ୍ଦ୍ର ମନ୍ତ୍ରୀଙ୍କୁ ସମାଲୋଚନା କରି ସେ କହିଲେ ଯେ କେନ୍ଦ୍ରରେ ତୈଳ ମନ୍ତ୍ରୀ ଥିବା ବେଳେ ପ୍ରତି ୩ ମାସକୁ ଥରେ ତାଙ୍କ ଦସ୍ତଖତରେ ତେଲ ଏବଂ ୨ ମାସରେ ଥରେ ଏଲ୍‍ପିଜି ଦର ବୃଦ୍ଧି କରାଗଲା । ତାଙ୍କ ଦସ୍ତଖତ ମା’ମାନଙ୍କ ଆଖିରେ ଲୁହ ଦେଇଛି, କଷ୍ଟ ଦେଇଛି । ମା’ମାନେ ତାଙ୍କୁ କ୍ଷମା କରିବେ କି? ତାଙ୍କୁ ଚିହ୍ନିକି ରଖନ୍ତୁ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ ସେ ଚାହିଁଥିଲେ ଛେଣ୍ଡିପଦା ଓ ଦେବଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲି ପାରିଥା’ନ୍ତେ। ଖୋଲିଲେ କି? କେନ୍ଦ୍ର ମନ୍ତ୍ରୀ ଆପଣଙ୍କ ସ୍ୱାର୍ଥ ରକ୍ଷା ପାଇଁ କେବେ ବି ଲଢ଼ିନାହାନ୍ତି, କି ଲଢ଼ିପାରିବେ ନାହିଁ। କ୍ଷମତା ପାଇଲେ ମିସନ ଶକ୍ତି ବନ୍ଦ କରିଦେବେ, ଏଲ୍‍.ପି.ଜି. ଦର ପୁଣି ବୃଦ୍ଧି କରିବେ। ଶିକ୍ଷା ମନ୍ତ୍ରୀ ଭାବେ କାହାକୁ ସ୍କଲାରସିପ୍‍ ଦେଇଛନ୍ତି କି ? ଲୋକଙ୍କ ପାଇଁ କିଛି କରିଛନ୍ତି କି ?

ସେ ପୁଣି କହିଲେ ଯେ ଜୁନ ୯ ତାରିଖରେ ୧୧ଟା୩୦ରୁ ୧ଟା ମଧ୍ୟରେ ନବୀନ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କର ପ୍ରଥମ ତିନିଟି ଦସ୍ତଖତ ହେବ ୧–ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍‌ ଛାଡ଼, ୨- ବିଏସ୍‌କେଵାଇରେ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ମିସନ ଶକ୍ତି ଓ ଆଶାକର୍ମୀ ପର୍ଯ୍ୟନ୍ତ ସମସ୍ତେ ସାମିଲ ହେବେ, ୩ –ମିସନ ଶକ୍ତି ମା’ ଓ କର୍ମଚାରୀଙ୍କ ପାଇଁ ୬୦ ବର୍ଷ ପରେ ଭତ୍ତା ବ୍ୟବସ୍ଥା।
ମା’ ସମଲେଇଙ୍କ ପ୍ରକଳ୍ପକୁ ବିରୋଧ କରୁଥିଲେ ବିଜେପି ନେତା। ବନ୍ଦ କରିଦେବା ପାଇଁ ହାଇକୋର୍ଟ, ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ଯାଇଥିଲେ। କିନ୍ତୁ ମାଆ ସମଲେଇଙ୍କ ଆଶୀର୍ବାଦ, ନବୀନ ପଟ୍ଟନାୟକଙ୍କ ଆନ୍ତରିକତା ଓ ସାଂସଦ ପ୍ରାର୍ଥୀ ବବି ବାବୁଙ୍କ କଠିନ ପରିଶ୍ରମ ଯୋଗୁଁ ଆମେ ଲକ୍ଷ୍ୟ ହାସଲ କଲୁ, ପ୍ରକଳ୍ପ ସମ୍ପୂର୍ଣ୍ଣ କଲୁ। ଦେବଗଡ଼ର ପ୍ରଧାନ ପାଟକୁ ୧ କୋଟି, ଜିଲ୍ଲା ସଦର ମହକୁମା ଡାକ୍ତରଖାନାକୁ ୧୫୦ କୋଟିରେ ରୂପାନ୍ତର, ଦେବଗଡ଼ ୪ ହଜାର ପିଲାଙ୍କୁ ନୂଆ-ଓ ସ୍କଲାରସିପ୍‍ ଦିଆଯାଇଛି ବୋଲି ପାଣ୍ଡିଆନ କହିଥିଲେ।

ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ କହିଥିଲେ ଯେ ବିଜେପି ସରକାର ଯାହା କହନ୍ତି ତାହା କରନ୍ତି ନାହିଁ। କିନ୍ତୁ ଓଡ଼ିଶାରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଯାହା କହିଥା’ନ୍ତି ତା’ଠୁ ଅଧିକ କାମରେ କରିକି ଦେଖାନ୍ତି। ସଭାରେ ସାଂସଦ ପ୍ରାର୍ଥୀ ଶ୍ରୀ ଦାସଙ୍କ ସମେତ ଦେବଗଡ଼ ବିଧାୟକ ପ୍ରାର୍ଥୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, କୁଚିଣ୍ଡା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆ, ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା ଓ ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ନଳିନୀ କାନ୍ତ ପ୍ରଧାନ ନିଜ ନିଜର ଅଭିଭାଷଣରେ ବିଜେଡିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ। ରାଉରକେଲାରେ ମଧ୍ୟ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ରାଉରକେଲା ସେକ୍ଟର-୧୩ ମେଳଣ ପଡ଼ିଆରେ ଏକ ସଭା ଆୟୋଜନ କରାଯାଇଥିଲା। ଏଥିରେ ଶ୍ରୀ ପାଣ୍ଡିଆନ କହିଲେ, ମୁଖ୍ୟମନ୍ତ୍ରୀ ଯାହା କହନ୍ତି, ତାକୁ କାମରେ କରି ଦେଖାଇଥାନ୍ତି। ଜିଲ୍ଲା ସଦର ମହକୁମା ଡାକ୍ତରଖାନା, ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ଏହାର ଉଦାହରଣ। କିନ୍ତୁ ବିଜେପି ପ୍ରତିଶ୍ରୁତି ଦେଇଥିବା ବେଳେ ଗୋଟିଏ ବି ପୂରଣ କରିନି। ଡିଜେଲ ଦର କମିଲାନି କିମ୍ବା ରାଉରକେଲାରେ ସୁପର ସ୍ପେସାଲିଟି ହସ୍‍ପିଟାଲ ହେଲାନି। ପ୍ରଶ୍ନକଲେ, ଆପଣମାନେ ଜଣକୁ ଏଠାରୁ ୨୦ ବର୍ଷ ହେଲା ସଂସଦକୁ ପଠାଉଛନ୍ତି। ସେ ଆପଣଙ୍କ ପାଇଁ କିଛି କରିଛନ୍ତି କି? ସଭାରେ ବିଜେଡି ସାଂସଦ ପ୍ରାର୍ଥୀ ଦିଲୀପ ତିର୍କୀଙ୍କ ସମେତ ସମସ୍ତ ବିଧାନସଭା ପ୍ରାର୍ଥୀ ସାରଦା ପ୍ରସାଦ ନାୟକ, ଅର୍ଚ୍ଚନା ରେଖା ବେହେରା, ଯୋଗେଶ କୁମାର ସିଂ, ରୋହିତ ଯୋଶେଫ ତିର୍କୀ, ଭୀମସେନ ଚୌଧୁରୀ, ଅନୀଲ ବରୁଆ ଓ ବିନୟ ଟପ୍ପୋ ପ୍ରମୁଖ ବକ୍ତବ୍ୟ ରଖି ଭୋଟ୍‌ ଭିକ୍ଷା କରିଥିଲେ।