ଭୁବନେଶ୍ବର: ଏକ ଇଂରାଜୀ ଖବରକାଗଜରେ ବିଜେଡି ଓ ଭି କେ ପାଣ୍ଡିଆନଙ୍କୁ ନେଇ ପ୍ରକାଶିତ ଏକ ଖବର ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ପାଣ୍ଡିଆନ ବିଜେଡିରେ ଫାଟ ସୃଷ୍ଟି କରିବା ସହ ରାଜ୍ୟରେ ବିଜେପି ସଂଗଠନକୁ ଶକ୍ତିଶାଳୀ କରିବାରେ ସହଯୋଗ କରିବେ ବୋଲି ସେ ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କୁ କୁଆଡ଼େ ଅଫର୍ ଦେଇଥିବା ଏହି ରିପୋର୍ଟରେ କୁହାଯାଇଛି। ପାଣ୍ଡିଆନ ଏପରି ଖବରକୁ ଖଣ୍ଡନ କରି ନାହାନ୍ତି। କିନ୍ତୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚୁପ୍ ନ ରହି ମତ ରଖିଛନ୍ତି। କେବଳ ସେତିକି ନୁହେଁ, ପାଣ୍ଡିଆନଙ୍କୁ ସାର୍ଟିଫିକେଟ୍ ଦେଇ ଦଳ ଭିତରେ ତାଙ୍କ ଗୁରୁତ୍ବ ଓ ପ୍ରଭାବକୁ ବଢ଼ାଇବା ଲାଗି ରାସ୍ତା ଖୋଲିଛନ୍ତି। ଇଂରାଜୀ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ‘ବର୍ତ୍ତମାନ ବିଜେପି ଓ ବିଜେଡି ମଧ୍ୟରେ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ବ୍ୟୁରୋକ୍ରାଟ୍ରୁ ନେତା ପାଲଟିଥିବା ନବୀନ ପଟ୍ଟନାୟକଙ୍କ ପୂର୍ବତନ ସହଯୋଗୀ ଭି କେ ପାଣ୍ଡିଆନ। ଏବେ ରାଜ୍ୟସଭା ଗଣିତ ଦୃଷ୍ଟିରୁ ବିଜେପି ପାଇଁ ବିଜେଡିର ସମର୍ଥନ ଜରୁରି ହୋଇପଡ଼ିଛି। ଗତ ସପ୍ତାହ ନବୀନ ବାବୁଙ୍କ ସହ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଥା ହୋଇଥିଲେ। ନବୀନ ବାବୁ ରାଜ୍ୟସଭାରେ ତଥା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏକୁ ସମର୍ଥନ ଦେବେ ବୋଲି କହିଥିଲେ। କିନ୍ତୁ ଏଥିରେ ତାଙ୍କର ଗୋଟିଏ ସର୍ତ୍ତ ଥିଲା। ସର୍ତ୍ତଟି ହେଲା, ପାଣ୍ଡିଆନଙ୍କୁ ବିଜେପିରେ ପୂରାଇ ନଦେବାକୁ ବିଜେପି କଥା ଦେଉ। ଏହାମଧ୍ୟରେ ଶ୍ରୀ ଶାହଙ୍କ ସହ ଭେଟ ହେବା ପାଇଁ ନୂଆଦିଲ୍ଲୀରେ ପାଣ୍ଡିଆନ ଉଦ୍ୟମ ଚଳାଇଛନ୍ତି। ଏଥିରେ ତାଙ୍କୁ ଜଣେ କେନ୍ଦ୍ର ମନ୍ତ୍ରୀ ସହଯୋଗ କରୁଛନ୍ତି। ପାଣ୍ଡିଆନ ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କୁ ବୁଝାଇଛନ୍ତି ଯେ ସେ ବିଜେଡିକୁ ଭାଙ୍ଗି ଦେଇପାରିବେ। ବିଜେଡି ଭାଙ୍ଗିଲେ ଓଡ଼ିଶାରେ ବିଜେପିର ଶକ୍ତି ବୃଦ୍ଧିରେ ଏହା ସହାୟକ ହେବ। ଏଥିପାଇଁ ବାରମ୍ବାର ଦିଲ୍ଲୀ ଆସିଥିଲେ ବି ଅମିତ ଶାହକୁ ଭେଟିବାକୁ ସମର୍ଥ ହୋଇପାରି ନାହାନ୍ତି। ତେବେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ବିଜେପି ସ୍ଥିର କରିଛି ଯେ ବିଜେଡିର ସମର୍ଥନ ଆବଶ୍ୟକତା ଥିବାରୁ ବିଜେପି ନବୀନ ପଟ୍ଟନାୟକଙ୍କ ସାଙ୍ଗରେ ରହିବ ଏବଂ ପାଣ୍ଡିଆନଙ୍କୁ ବିଜେପିରେ ପୂରାଇ ଦିଆଯିବ ନାହିଁ।’
ଏହି ଖବରଟି ଆଜି ସକାଳୁ ପ୍ରକାଶ ପାଇବା ପରେ ଦଳର ଆଭ୍ୟନ୍ତରୀଣ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା। ଘଟଣାର ସତ୍ୟତା ଜାଣିବା ପାଇଁ ବିଭିନ୍ନ ମହଲରେ ଉତ୍ସୁକତା ପ୍ରକାଶ ପାଇଥିଲା। ତେବେ ମଧ୍ୟାହ୍ନ ପର୍ଯ୍ୟନ୍ତ ପାଣ୍ଡିଆନ ଏ ଖବରକୁ ଖଣ୍ଡନ କରି ନଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ବିଧାନସଭା ଗୃହ କାର୍ଯ୍ୟ ସରିଲା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜ ‘ଏକ୍ସ’ ହ୍ୟାଣ୍ଡେଲ୍ରେ ଖବରକୁ ଖଣ୍ଡନ କରିଥିଲେ। ଏଥିରେ ସେ ପାଣ୍ଡିଆନଙ୍କୁ ପ୍ରଶଂସା କରିଥିଲେ। ସେ ଲେଖିଥିଲେ, ଏହି ଖବରଟିର ସମ୍ପୂର୍ଣ୍ଣ ମିଥ୍ୟା, ଉଦ୍ଦେଶ୍ୟପ୍ରଣୋଦିତ, ମାନହାନୀସୂଚକ ଓ ବିଭ୍ରାନ୍ତକାରୀ। ଯାହା ମୁଁ ପୂର୍ବରୁ କହିଛି, ମିଷ୍ଟର୍ ପାଣ୍ଡିଆନ ସମ୍ପୂର୍ଣ୍ଣ ନିଷ୍ଠା, ଦକ୍ଷତା ଓ ସଚ୍ଚୋଟତାର ସହ ରାଜ୍ୟ ଓ ଦଳର ସେବା କରିଛନ୍ତି। ସେ ଏଥିପାଇଁ ବେଶ୍ ଜଣାଶୁଣା। ବିଜେଡିର ପରାଜୟ ପରେ ସମସ୍ତେ ପାଣ୍ଡିଆନଙ୍କୁ ଦାୟୀ କରୁଥିଲା ବେଳେ ନିଜେ ନବୀନ ଗଣମାଧ୍ୟମରେ ପାଣ୍ଡିଆନଙ୍କୁ ସାର୍ଟିଫିକେଟ୍ ଦେଇଥିଲେ। ପାଣ୍ଡିଆନଙ୍କ ଦକ୍ଷତାକୁ ପ୍ରଶଂସା କରିଥିଲେ। ଏବେ ପୁଣି ଥରେ ଏକ ଖବରକୁ ଖଣ୍ଡନ କରିବା ଆଳରେ ମନଭରି ପାଣ୍ଡିଆନଙ୍କୁ ପ୍ରଶଂସା କରିଛନ୍ତି। ନବୀନଙ୍କ ଏପରି ଆଭିମୁଖ୍ୟ ଏବେ ବରିଷ୍ଠ ନେତାମାନଙ୍କୁ ଦ୍ବନ୍ଦ୍ବରେ ପକାଇ ଦେଇଛି। ଏଠାରେ ଉଲ୍ଲେଖଥାଉକି, ଇତିମଧ୍ୟରେ ସଂପୃକ୍ତ ଖବରକାଗଜ ମଧ୍ୟ ପ୍ରକାଶିତ ଏହି ଖବରକୁ ନେଇ ଦୁଃଖପ୍ରକାଶ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/sfhfhshfsfh.jpg)