ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ସମସ୍ତଙ୍କ ଠାକୁର। ମୁଁ ତାଙ୍କ ଆଗରେ ନିମିତ୍ତ ମାତ୍ର। ତେଣୁ ତାଙ୍କୁ ମୁଣ୍ଡିଆ ମାର। ଆଜି ଶ୍ରୀମନ୍ଦିରରେ ଜଣେ ବୃଦ୍ଧା ତାଙ୍କୁ ମୁଣ୍ଡିଆ ମାରିବାକୁ ଉଦ୍ୟତ ହେବା ସମୟରେ ତାଙ୍କୁ ରୋକିଥିଲେ ମୁଖ୍ୟମନ୍ତ୍ରୀ। ମଙ୍ଗଳବାର ଅପରାହ୍ନରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ଆଶୀର୍ବାଦ ଭିକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଣ୍ଟି ଦ୍ବାର ଦେଇ କୀର୍ତ୍ତନ ଚକଡ଼ାକୁ ଓହ୍ଲାଉଥିଲେ। ଏହି ସମୟରେ ଜଣେ ବୃଦ୍ଧା ମୁଖ୍ୟମନ୍ତ୍ରୀଙ୍କୁ ମୁଣ୍ଡିଆ ମାରିବାକୁ ଆସୁଥିବା ଦେଖି ମୁଖ୍ୟମନ୍ତ୍ରୀ ଆଗୁଆ ହାତ ହଲାଇ ତାଙ୍କୁ ବାରଣ କରିଥିଲେ। କହିଥିଲେ, ଏଠି ଠାକୁର ହେଉଛନ୍ତି ମହାପ୍ରଭୁ, ତାଙ୍କୁ ମୁଣ୍ଡିଆ ମାରନ୍ତୁ। ଏତିକି କହି ସେଠାରୁ ଚାଲି ଚାଲି ଫେରିଥିଲେ ସିଂହଦ୍ବାରକୁ। ସିଂହଦ୍ବାରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଭୁବନେଶ୍ବର ଫେରିଥିଲେ ମୁଖ୍ୟମନ୍ତ୍ରୀ।
ପୁରୀ,୨୮/୫(ଇମିସ): ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ। ତା’ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ। ଠାକୁରଙ୍କ ଦର୍ଶନ କରି ଫେରିବା ବାଟରେ ଗଣମାଧ୍ୟମକୁ କହିଲେ, ରାଜ୍ୟବାସୀଙ୍କ କଲ୍ୟାଣ ଓ ମଙ୍ଗଳ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି। ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ରହିଲେ ରାଜ୍ୟର ଆହୁରି ବିକାଶ ହେବ।
ଆଜି ଅପରାହ୍ନ ପ୍ରାୟ ୫ଟା ୧୫ରେ ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟର ଯୋଗେ ଆସି ଏସ୍ସିଏସ୍ କଲେଜ ପଡ଼ିଆରେ ଓହ୍ଲାଇବା ପରେ ସିଧା ସିଂହଦ୍ବାରକୁ ଆସିଥିଲେ। ସେଠାରେ ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ପିପିଲି ବିଧାୟକ ପ୍ରଦୀପ ମହାରଥୀ, ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ବାଇଶି ପାହାଚ ଦେଇ କୀର୍ତ୍ତନ ଚକଡ଼ା ଏବଂ ସେଠାରୁ ଘଣ୍ଟି ଦ୍ବାର ଦେଇ ଭିତର କାଠ ନିକଟକୁ ଯାଇଥିଲେ। ଶ୍ରୀବିଗ୍ରହମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ କାମନା କରିବା ସହ ଦୀପ ଦେଇ ଶ୍ରୀବିଗ୍ରହମାନଙ୍କୁ ବନ୍ଦାପନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Untitled-2-22.jpg)