ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଟି-ସାର୍ଟରେ ନବୀନ: ଜିଲ୍ଲାପାଳଙ୍କୁ ଭର୍ତ୍ସନା କଲେ ଅପରାଜିତା
ଅଫିସର ନେତା ପାଲଟିଗଲେଣି: ପ୍ରସାଦ
ବାରିପଦା/ ଭୁବନେଶ୍ବର: ସରକାରୀ ଦଳ ପ୍ରତି ଆନୁଗତ୍ୟ ଅଭିଯୋଗରେ ପୂର୍ବରୁ ବିବାଦୀୟ ହୋଇ ପଡ଼ିଥିବା ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ପୁଣି ଏକ ବିବାଦରେ ଫସିଛନ୍ତି। ପିନ୍ଧିଥିବା ଏକ ଟି-ସାର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ନେଇ ବିରୋଧୀ ତାଙ୍କୁ ଘେରିଛନ୍ତି। ଗତ ୧୦ ତାରିଖ ରବିବାର ଦିନ ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସ୍ଡିସି) ଆନୁକୂଲ୍ୟରେ ବାରିପଦାରେ ହୋଇଥିବା ଗଣଦୌଡ଼ କାର୍ଯ୍ୟକ୍ରମରେ ସେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ବିରୋଧୀ ତାଙ୍କୁ ନିଶାଣ କରିବା ସହ ଜିଲ୍ଲାପାଳ ନିଜ ପଦମର୍ଯ୍ୟାଦା ଭୁଲି ସରକାରୀ ଦଳର ଏଜେଣ୍ଟ ଭାବେ କାମ କରୁଥିବା ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ବିଜେଡି ବଦନାମ୍ ହେଉଥିବାରୁ ଜିଲ୍ଲାପାଳଙ୍କ ସୁରକ୍ଷା ପାଇଁ ବାହାରିଛି ଦଳ। ବିଜେଡିର ବହୁ ଯୁବ ଓ ଛାତ୍ର ନେତା ସାମାଜିକ ଗଣମାଧ୍ୟମରେ ଜିଲ୍ଲାପାଳଙ୍କ ସମର୍ଥନରେ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି। କାର୍ଯ୍ୟକ୍ରମ ଆୟୋଜନ କରିଥିବା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି ମଧ୍ୟ ପ୍ରେସ୍ ବିବୃତି ମାଧ୍ୟମରେ ଏହା ଏକ ସରକାରୀ କାର୍ଯ୍ୟକ୍ରମ ଥିଲା ବୋଲି କହିଛନ୍ତି। ତେବେ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କୁ କାହିଁକି ଡକାଯାଇନଥିଲା ବୋଲି ପ୍ରଶ୍ନର ଉତ୍ତରରେ ସେମାନଙ୍କ ସହ ଯୋଗାଯୋଗ ହୋଇ ପାରିନଥିଲା ବୋଲି ଡାକ୍ତର ମାରାଣ୍ଡି ସଫେଇ ଦେଇଛନ୍ତି।
ସୂଚନାଯୋଗ୍ୟ, ରବିବାର ଦିନ ବାରିପଦାରେ ‘ଆଦିରନ୍’ ନାମରେ ଏକ ଗଣଦୌଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍, ପୂର୍ବତନ ବିଧାୟକ ଭାଦବ ହାଁସଦା, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଗଣେଶ୍ବର ପାତ୍ରଙ୍କ ସମେତ ବିଜେଡିର ଅନେକ ନେତା ଦଳର ସୁପ୍ରିମୋଙ୍କ ଫଟୋ ଥିବା ଧଳା ଓ ସବୁଜ ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ। ସେମାନଙ୍କ ଗହଣରେ ଜିଲ୍ଲାପାଳ ମଧ୍ୟ ସମାନ ଟି-ସାର୍ଟ ପିନ୍ଧି ଯୋଗ ଦେଇଥିଲେ। ଆଜି ଏହି ଫଟୋକୁ ‘ଏକ୍ସ’ରେ ସେୟାର କରି ଆପତ୍ତି ଉଠାଇଥିଲେ ଜଣେ ବ୍ୟକ୍ତି। ଉକ୍ତ ଟୁଇଟ୍ ଉପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ପ୍ରତିକ୍ରିୟା ରଖି ଜିଲ୍ଲାପାଳଙ୍କୁ ଭର୍ତ୍ସନା କରିଥିଲେ। କହିଥିଲେ, ମୟୂରଭଞ୍ଜ ଜିଲ୍ଲାରେ ସାଢ଼େ ୫ ବର୍ଷ ଧରି ଜଣେ ଜିଲ୍ଲାପାଳ କାହିଁକି ରହିଛନ୍ତି? ବାରିପଦା ବିଧାୟକ ପ୍ରକାଶ ସୋରେନ୍ ମଧ୍ୟ ଜିଲ୍ଲାପାଳଙ୍କୁ ଘେରିଛନ୍ତି। ସାମ୍ବିଧାନିକ ପଦବିର ମର୍ଯ୍ୟାଦାହାନି କରି ଜିଲ୍ଲାପାଳ ବିଜେଡି ପାଇଁ କାମ କରୁଛନ୍ତି। ଏମିତିକି ଦଳ ପାଇଁ ସେ ଚାନ୍ଦା ଆଦାୟ କରି ଉପର ମହଲକୁ ସନ୍ତୁଷ୍ଟ କରୁଛନ୍ତି। ଯେଉଁଥି ପାଇଁ ସାଢ଼େ ୫ ବର୍ଷ ପରେ ବି ତାଙ୍କର ବଦଳି ହେଉନି ବୋଲି ସେ କହିଛନ୍ତି। ଗଣଦୌଡ଼ ଯଦି ସରକାରୀ କାର୍ଯ୍ୟକ୍ରମ ଥିଲା, ତେବେ ପ୍ରୋଟକଲ୍ ଅନୁଯାୟୀ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କୁ କାହିଁକି ଡକାଯାଇନଥିଲା ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ଶ୍ରୀ ସୋରେନ।
ଜିଲ୍ଲାପାଳଙ୍କୁ ଭର୍ତ୍ସନା କଲେ ଅପରାଜିତା
ଅଫିସର ନେତା ପାଲଟିଗଲେଣି: ପ୍ରସାଦ
କିଛି ପ୍ରସଙ୍ଗ ନାହିଁ, ଖାଲି ରାଜନୀତି: ବିଜେଡି
ମୟୂରଭଞ୍ଜ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କ ଚିତ୍ର ଥିବା ଟି-ସାର୍ଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ସେ କହିଛନ୍ତି ଯେ ଓଡ଼ିଶାରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ଥିବା ଟି-ସାର୍ଟ ପିନ୍ଧି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯଦି ଗଣଦୌଡ଼ରେ ଦୌଡ଼ିଲେ ଏଥିରୁ ଜଣାପଡ଼ିଲା ଯେ ଦୁହେଁ ବିଜେଡି ପାଇଁ ପ୍ରଚାର ଆରମ୍ଭ କରିଦେଲେ। ଏଥିରେ କେବଳ ଗାଣତାନ୍ତ୍ରିକ ବ୍ୟବସ୍ଥା ଭୁଶୁଡ଼ିଲା ନାହିଁ ବରଂ ସରକାରୀ କର୍ମଚାରୀ ଓ କର୍ତୃପକ୍ଷଙ୍କ ଯେଉଁ ଆଚରରଣବିଧି ରହିଛି ତାହାର ମଧ୍ୟ ଉଲ୍ଲଂଘନ ହୋଇଛି। ବିଜେଡି ସଂଗଠନର ଏକ ବିକଳ ଚିତ୍ର ସାମ୍ନାକୁ ଆସୁଛି। ବିଜେଡିର କର୍ମୀ ଓ ନେତା ସଂଗଠନରୁ ଅଲଗା ହୋଇଗଲେଣି। ନେତାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ମର୍ଯ୍ୟାଦା ମିଳୁ ନ ଥିବା ବେଳେ କର୍ମୀଙ୍କୁ ଗୁରୁତ୍ବ ମିଳୁନାହିଁ। ଏବେ ବୋଲି ସେ କଟାକ୍ଷ କରିଛନ୍ତି।
ସେପଟେ ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଶାସକ ଦଳର ମୋରଡା ବିଧାୟକ ରାଜକିଶୋର ଦାସ। ସରକାର କହିଲେ ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇଥାଏ। ତେଣୁ ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କ ଚିତ୍ର ଥିବା ଟି-ସାର୍ଟ ପିନ୍ଧିବାରେ କିଛି ଅସୁବିଧା ନାହିଁ। ତେବେ ସରକାରୀ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କୁ କାହିଁକି ଡକାଯାଇନି, ସେ ସଂକ୍ରାନ୍ତରେ ତାଙ୍କ ପାଖରେ ଖବର ନଥିବା ଶ୍ରୀ ଦାସ କହିଛନ୍ତି। ଅନ୍ୟପକ୍ଷରେ ମୟୂରଭଞ୍ଜ ଏସ୍ପି ବାତୁଳ ଗଙ୍ଗାଧର ମଧ୍ୟ ନବୀନଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିଥିଲେ। ଏ ସମ୍ପର୍କରେ ତାଙ୍କୁ ପଚାରିବାରୁ ସେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କହିଥିଲେ। ତେବେ ଭବିଷ୍ୟତରେ ଏ ଦିଗରେ ନିଶ୍ଚୟ ଦୃଷ୍ଟି ଦେବି ବୋଲି ସେ କହିଛନ୍ତି। ତେବେ ଟି-ସାର୍ଟ ପିନ୍ଧିବା ପ୍ରସଙ୍ଗରେ ଜିଲ୍ଲାପାଳଙ୍କର ପ୍ରତିକ୍ରିୟା ମିଳିପାରିନି।
ଉଲ୍ଲେଖଯୋଗ୍ୟ; ୨୦୧୨ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ବିନୀତ ଭରଦ୍ବାଜ ୨୦୧୮ ଏପ୍ରିଲ୍ ୨୬ରୁ ଏଯାବତ ମୟୂରଭଞ୍ଜ ଜିଲ୍ଲାପାଳ ରହିଛନ୍ତି। କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡ଼ୁଙ୍କୁ ଅଣଦେଖା କରିବା, ପ୍ରୋଟକଲ୍ ଅନୁଯାୟୀ ତାଙ୍କୁ ଉଚିତ ସମ୍ମାନ ନ ଦେବା, କରୋନା ସମୟରେ ରୋଗୀ ମୃତ୍ୟୁ ରିପୋର୍ଟ ଲୁଚାଇବା ନେଇ ତାଙ୍କ ନାମରେ ପୂର୍ବରୁ ଅଭିଯୋଗ ରହିଛି। ସେହିପରି ଚଳିତବର୍ଷ ମହାମହିମ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ଉପେକ୍ଷା କରି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭର୍ଚୁଆଲ୍ ମୋଡ୍ରେ ୫ଟି-ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ। ତାଙ୍କ ଅବହେଳା ପାଇଁ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଦ୍ୟୁତ୍ ବିଭ୍ରାଟ ଘଟିଲା ବୋଲି ଅଭିଯୋଗ କରି ଭଞ୍ଜସେନା ଓ ବିଜେପି ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା।