ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ପ୍ରତି ପଞ୍ଚାୟତରୁ ୨ ଚାଷୀଙ୍କୁ ତାଲିମ୍‌

ଭୁବନେଶ୍ୱର : କୃଷିର ଉନ୍ନତି ଓ କୃଷକଙ୍କ କଲ୍ୟାଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ସ୍ୱତନ୍ତ୍ର କୃଷି ବଜେଟ ସହ କୃଷି କ୍ୟାବିନେଟ ଗଠନ କରାଯାଇଛି। ୪ ବର୍ଷ ମଧ୍ୟରେ କୃଷି ବଜେଟ ପରିମାଣ ବୃଦ୍ଧି ପାଇ ୧୪ ହଜାର ଟଙ୍କାରେ ପହଞ୍ଚିଛି। କୃଷିର ଆଧୁନିକୀକରଣ ସହ ଏକ ପ୍ରତିଶତ ସୁଧରେ ଚାଷୀଙ୍କୁ ଋଣ ଦିଆଯାଉଛି ବୋଲି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ପରିସରରେ କୃଷକଙ୍କ ପାଇଁ ଏକ ତାଲିମ ଶିବିରକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଏହି ଶିବିରରେ ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ବ୍ଲକର ଚାଷୀଙ୍କୁ କୃଷି ସମ୍ପର୍କରେ ତାଲିମ ଓ ସଚେତନ କରାଯିବ। ବ୍ଲକର ପ୍ରତି ପଞ୍ଚାୟତରୁ ଦୁଇ ଜଣ ଲେଖାଏ କୃଷକ ଏଥିରେ ଯୋଗଦେବେ। ପ୍ରଥମ ଦିନରେ ବଲାଙ୍ଗୀର ବ୍ଲକର ୫୨ ଜଣ କୃଷକ ଏଥିରେ ଅଂଶଗ୍ରହଣ କରିଥିଲେ। ପର୍ଯ୍ୟାୟକ୍ରମେ ସମସ୍ତ ବ୍ଲକର କୃଷକମାନେ ଅଂଶଗ୍ରହଣ କରି କୃଷି କ୍ଷେତ୍ର ପାଇଁ ଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା, ଜୈବିକ କୃଷି, କୃଷି ଯାନ୍ତ୍ରପାତି, ଖାଦ୍ୟ ପ୍ରକ୍ରିୟାକରଣ ଓ କୃଷିଜାତ ଦ୍ରବ୍ୟର ବିକ୍ରି ସମ୍ପର୍କରେ କୃଷି ବୈଜ୍ଞାନିକଙ୍କ ସହ ଆଲୋଚନା କରିବେ। କୃଷକଙ୍କୁ ବିଭିନ୍ନ ରାଜ୍ୟ ତଥା ଜାତୀୟସ୍ତରୀୟ କୃଷି ଗବେଷଣା ଅନୁଷ୍ଠାନଗୁଡ଼ିକୁ ନିଆଯାଇ କୃଷି ସମ୍ପର୍କରେ ନୂତନ ଜ୍ଞାନକୌଶଳ ବିଷୟରେ ଅବଗତ କରାଯାଉଛି। ଏହାଦ୍ୱାରା ତାଲିମପ୍ରାପ୍ତ କୃଷକମାନେ ଉତ୍ତମ ଫସଲ ପରିଚାଳନା କରିବା ସହ ଉତ୍ପାଦନ ଓ ଉତ୍ପାଦକତାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଆଣିପାରିବେ। କୃଷି କ୍ଷେତ୍ରରେ ସାମୂହିକ ବିକାଶ ଓ କୃଷକଙ୍କ ରୋଜଗାର ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, କୃଷି ଉତ୍ପାଦନ କମିସନର୍‌ ଗଗନ ଧଳ, ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ସମବାୟ ସଚିବ ରଞ୍ଜନା ଚୋପ୍ରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର