ଆନନ୍ଦ ଭବନ ସଂଗ୍ରହାଳୟ ଉଦ୍‌ଘାଟନ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର : କଟକସ୍ଥିତ ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର ଓଡ଼ିଆଙ୍କ ପାଇଁ ଉତ୍ସର୍ଗ ହେବ। ଆସନ୍ତା ମାର୍ଚ୍ଚ ମାସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସି ଏହି ସଂଗ୍ରହାଳୟକୁ ଲୋକାର୍ପିତ କରିବେ। ଆଜି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ନିମନ୍ତ୍ରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ସାକ୍ଷାତ ସମୟରେ ରାଷ୍ଟ୍ରପତିଙ୍କୁ ‘ଦି ଟଲ୍‌ ମ୍ୟାନ୍‌ ବିଜୁ ପଟ୍ଟନାୟକ’ ପୁସ୍ତକ ପ୍ରଦାନ କରିଥିଲେ।

ଆନନ୍ଦ ଭବନ ସଂଗ୍ରହାଳୟକୁ ଉଦ୍‌ଘାଟନ କରିବା ପାଇଁ ରାଷ୍ଟ୍ରପତି ସହମତି ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୧୭ କିମ୍ବା ୧୮ତାରିଖରେ ରାଷ୍ଟ୍ରପତି ଏହାର ଉଦ୍‌ଘାଟନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆନନ୍ଦ ଭବନ ସଂଗ୍ରହାଳୟ ଏବଂ ଅଧ୍ୟୟନ କେନ୍ଦ୍ର ବହୁ ଘରୋଇ, ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ। ସ୍ୱାଧୀନତା ସଂଗ୍ରାମ ସମୟରେ ଆନନ୍ଦ ଭବନର ଭୂମିକା ସମୟରେ ପର୍ଯ୍ୟଟକମାନେ ବହୁତ କିଛି ଜାଣିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିଜୁ ପଟ୍ଟନାୟକଙ୍କ ପୈତୃକ ଘର ଆନନ୍ଦ ଭବନକୁ ମୁଖ୍ୟମନ୍ତ୍ରୀଙ୍କ ସମେତ ତାଙ୍କ ଭାଇ ଓ ଭଉଣୀ ଓଡ଼ିଶା ବାସୀଙ୍କ ପାଇଁ ଉତ୍ସର୍ଗ କରିବା ପରେ ଏହାକୁ ରାଜ୍ୟ ସରକାର ସଂଗ୍ରହାଳୟ ଏବଂ ଅଧ୍ୟୟନ କେନ୍ଦ୍ରରେ ପରିଣତ କରିଛନ୍ତି। ଏଠାରେ ବିଜୁ ବାବୁଙ୍କର ପିଲା ଦିନରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ବହୁ ବିରଳ ଫଟୋ, ସ୍ମୃତି, ବିଭିନ୍ନ ପୁସ୍ତକ, ଭାରତ ଓ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ବିଜୁଙ୍କ ଅବଦାନର ଝଲକ ଦେଖିବାକୁ ମିଳିବ।

ସେହିପରି ଗତକାଲି ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ନେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କାହାକୁ ପ୍ରାର୍ଥୀ କରାଯିବ ସେନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାରର ନିଷ୍ପତ୍ତି ନିଆଯାଇନାହିଁ। ଏନେଇ କିଛି ସମୟ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରବିବାର ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର