୯ରେ ନବୀନ-ଜଗନ ଭେଟ, ବହୁ ବର୍ଷର ବିବାଦ ସମାଧାନ ହେବ କି?

ଭୁବନେଶ୍ବର : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନ ମୋହନ ରେଡ୍ଡି ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ଏଥିପାଇଁ ଶ୍ରୀ ରେଡ୍ଡି ଆସନ୍ତା ୯ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସମ୍ପର୍କ ବିଗିଡ଼ି ଯାଇଥିବାରୁ ଏହି ବୈଠକ ବେଶ୍‌ ଗୁରୁତ୍ବ ବହନ କରୁଛନ୍ତି। ଉଭୟ ରାଜ୍ୟର ସୀମାନ୍ତବାସୀଙ୍କ ନଜର ଏହା ଉପରେ ରହିଛି।

ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନାରେ ତିନିଟି ପ୍ରମୁଖ ପ୍ରସଙ୍ଗ ସ୍ଥାନ ପାଇବାର ସମ୍ଭାବନା ରହିଛି। ଏଗୁଡ଼ିକ ହେଲା ବଂଶଧାରା ନଦୀ ଉପରେ ନେରେଡି ବ୍ୟାରେଜ୍‌ ନିର୍ମାଣ, ‌ପୋଲାଭରମ୍ ପ୍ରକଳ୍ପ ଏବଂ କୋଟିଆରେ ସୀମା ସମସ୍ୟା। ଏହି ତିନିଟି ପ୍ରସଙ୍ଗରେ ବହୁ ବର୍ଷ ହେଲା ବିବାଦ ଲାଗି ରହିଛି। ତିନିଟି ଯାକ ପ୍ରସଙ୍ଗ ଏବେ କୋର୍ଟରେ ବିଚାରାଧୀନ ରହିଛି।

ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ୍‌ ଆନ୍ଧ୍ରପ୍ରଦେଶ ସପକ୍ଷରେ ରାୟ ଦେଇଛନ୍ତି। ନେରେଡି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆଗେଇ ନେବାପାଇଁ ସବୁଜ ସଙ୍କେତ ଦେଇଛନ୍ତି। କିନ୍ତୁ ଏହି ପ୍ରକଳ୍ପ ନିର୍ମାଣ ଦ୍ବାରା ରାୟଗଡ଼ା ଓ ଗଜପତିରେ ବହୁ ଜମି ଜଳମଗ୍ନ ହେବାର ଆଶଙ୍କା ରହିଛି। ଓଡ଼ିଶା ସରକାର ଟ୍ରିବ୍ୟୁନାଲ୍‌ ରାୟ ଉପରେ କିଛିଟା ସ୍ପଷ୍ଟୀକରଣ ମାଗିଛନ୍ତି। ଫଳରେ ଟ୍ରିବ୍ୟୁନାଲଙ୍କ ରାୟ ଏ ଯାଏ କାର୍ଯ୍ୟକାରୀ ହୋଇପାରିନାହିଁ। ସେହିପରି ବହୁଦିନ ଧରି ଆଇନଗତ ଲଢ଼େଇରେ ଛନ୍ଦି ହୋଇଥିବା ପୋଲାଭରମ୍‌ ପ୍ରକଳ୍ପ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି। ଏହାବାଦ୍ କୋଟିଆରେ ସୀମା ସମସ୍ୟା ଏତେ ଗୁରୁତର ଆକାର ଧାରଣ କରିଛି ଯେ ନିୟମିତ ଭାବେ ସେଠାରେ ଅଶାନ୍ତି ସୃଷ୍ଟି ହେଉଛି। ଆନ୍ଧ୍ର ପୁଲିସ, ପ୍ରଶାସନ ଓ ରାଜନେତା ବାରମ୍ବାର ସେଠାରେ ଆସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବାର ଅଭିଯୋଗ ହେଉଛି। ଓଡ଼ିଶା ମଧ୍ୟ ଏହାର ପ୍ରତିବାଦ କରିଛି। ଏହି ବିବାଦ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ଉଭୟ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଓଡ଼ିଶା-ଆନ୍ଧ୍ର ବିବାଦର ସମାଧାନ ବାଟ କିପରି ଦେଖାଉଛି, ସେ ନେଇ ସବୁ ମହଲରେ ଉତ୍ସୁକତା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର