ଲୁହାପଥର ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ନବୀନ ଜିନ୍ଦଲ

ଭୁବନେଶ୍ୱର : ରାଜ୍ୟରେ ଇସ୍ପାତ ଶିଳ୍ପ ଲୁହାପଥର ଯୋଗାଣଜନିତ ଗୁରୁତର ସମସ୍ୟା ଦେଇ ଗତି କରୁଛି। ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରନ୍ତୁ। ଅଧ୍ୟାଦେଶ କିମ୍ବା ଅନ୍ୟ କୌଣସି ଉପାୟରେ ଏହାର ସମାଧାନ କରନ୍ତୁ ବୋଲି ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାଓ୍ଵାର ଲିମିଟେଡ (ଜେଏସ୍‌ପିଏଲ୍‌)ର ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଛନ୍ତି। ଗତକାଲି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏବଂ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରାଙ୍କୁ ଭେଟି ସାରିବା ପରେ ଶ୍ରୀ ଜିନ୍ଦଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଖଣି ବନ୍ଦ ଯୋଗୁଁ ରାଜ୍ୟରେ ଇସ୍ପାତ ନିର୍ମାତାମାନେ କୋଇଲା ଓ ଚୂନପଥର ଆମଦାନୀ କରୁଛନ୍ତି। ଯଦି ସେମାନଙ୍କୁ ଲୁହାପଥର ଆମଦାନୀ କରିବାକୁ ପଡ଼େ ତାହେଲେ ରାଜ୍ୟର ଇସ୍ପାତ ଶିଳ୍ପ ତିଷ୍ଠିବା ସମ୍ଭବ ହେବନାହିଁ ବୋଲି ସେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ୩ଟି କମ୍ପାନିକୁ ବାଦ ଦେଲେ ଅନ୍ୟସବୁ ଇସ୍ପାତ କମ୍ପାନି ଦେବାଳିଆ ଅବସ୍ଥାକୁ ଆସିବା ସହିତ ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି)ରେ ପହଞ୍ଚିଲେଣି। ଜେଏସ୍‌ପିଏଲ୍‌ ଅନୁଗୁଳରେ ୩୩ ହଜାର କୋଟି ଟଙ୍କା ନିବେଶ କରିଛି। ଯଦି ସୁଲଭ ମୂଲ୍ୟରେ ଲୁହାପଥର ନମିଳେ ତା’ହେଲେ କମ୍ପାନି କିଭଳି ବଜାରରେ ପ୍ରତିଯୋଗିତା କରିବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଏଥିସହିତ ନିଯୁକ୍ତି ମଧ୍ୟ ପ୍ରଭାବିତ ହେବ ବୋଲି ସେ କହିଛନ୍ତି।

ଲୁହାପଥର ଖଣି କାର୍ଯ୍ୟକ୍ଷମ ହେଲେ ଲକ୍ଷାଧିକ ବ୍ୟକ୍ତି ନିଯୁକ୍ତି ପାଇବେ। ରାଜ୍ୟ ସରକାର ମଧ୍ୟ ରୟାଲିଟି ବାବଦ ଅର୍ଥ ପାଇବା ସହିତ ଜିଲ୍ଲା ଖଣିଜ ପାଣ୍ଠିକୁ ଅର୍ଥ ମିଳିପାରିବ। ଏଥିସହିତ ଖଣି ଅଂଚଳରୁ କାରଖାନାକୁ କଞ୍ଚାମାଲ ପରିବହନ ପାଇଁ ଅଧିକ ରେଳ ରେକ୍‌ ଯୋଗାଇ ଦେବାକୁ ଶ୍ରୀ ଜିନ୍ଦଲ ଦାବି କରିଛନ୍ତି। ରେଳ ରେକ୍‌ ଯଥେଷ୍ଟ ସଂଖ୍ୟାରେ ମିଳୁ ନଥିବାରୁ ଆମେ କାରଖାନାକୁ ପୂର୍ଣ୍ଣ କ୍ଷମତାରେ ଚଳାଇ ପାରୁନାହୁଁ ବୋଲି ସେ କହିଛନ୍ତି। ଏଥିସହିତ କୋଇଲାର ଉପଲବ୍ଧତା ପାଇଁ ଏମ୍‌ସିଏଲ୍‌ ଅଧିକ କୋଇଲା ଉତ୍ପାଦନ କରିବା ଲାଗି ସେ ଦାବି କରିଛନ୍ତି। ତେବେ ଖଣି ପାଇଁ ଅଧ୍ୟାଦେଶ ଜାରି କରିବା କାର୍ଯ୍ୟ କେନ୍ଦ୍ର ସରକାରଙ୍କର। ଏ ନେଇ କ’ଣ ସବୁ ସମ୍ଭାବ୍ୟ ପଦକ୍ଷେପ ନିଆଯାଇ ପାରିବ ତାହାକୁ ଅନୁଧ୍ୟାନ କରିବେ ବୋଲି ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ତାଙ୍କୁ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ଜିନ୍ଦଲ କହିଛନ୍ତି। ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ମଧ୍ୟ ଶ୍ରୀ ଜିନ୍ଦଲ ଏହି ଅବସରରେ ଭେଟିଛନ୍ତି।

ସମ୍ବନ୍ଧିତ ଖବର