ଭୁବନେଶ୍ବର: ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଜନ୍ମଦିନ ଅବସରରେ ଜୀବନର ଶେଷ ପର୍ଯ୍ୟନ୍ତ ଓଡ଼ିଶା ମା’ର ସେବା କରି ଚାଲିବେ ବୋଲି କହିଛନ୍ତି। ଆଜି ପୂର୍ବାହ୍ଣରେ ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀର ଗଙ୍ଗନଗର ବିଜୁ ଆଦର୍ଶ କଲୋନିରେ ଆୟୋଜିତ ଜନସମ୍ପର୍କ ପଦଯାତ୍ରାରେ ଯୋଗଦେଇ ବିଜେଡିର ନେତା ଓ କର୍ମୀମାନଙ୍କ ଗହଣରେ ଶ୍ରୀ ପଟ୍ଟନାୟକ କିଛି ବାଟ ଚାଲିଥିଲେ। ଆୟୋଜିତ ସଭାରେ ଉପସ୍ଥିତ ଜନତା ଓ କର୍ମୀଙ୍କୁ ଜନ୍ମଦିନର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସହିତ ସବୁବେଳେ ରହିଛି ଓ ରହିଥିବ। ସେବା ବିଜୁ ଜନତା ଦଳର ମନ୍ତ୍ର। ତେଣୁ ଲୋକଙ୍କ ସେବା ଜାରି ରଖିବା ପାଇଁ କର୍ମୀମାନଙ୍କୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।
ଭୁବନେଶ୍ୱର ବିଜୁ ଜନତା ଦଳର ସଭାପତି ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର, ସାଂସଦ ଦେବାଶିଷ ସାମନ୍ତରାୟ, ସାଂସଦ ସୁଲତା ଦେଓ, ବିଧାୟକ ପ୍ରମିଳା ମଲ୍ଲିକ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର, ମନ୍ମଥ ରାଉତରାୟ ଓ ବିଜେଡିର କର୍ପୋରେଟରମାନେ ଯୋଗ ଦେଇଥିଲେ। ସାଧାରଣତଃ ପ୍ରତିବର୍ଷ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରାକୁ ନିଜେ ନବୀନ ଆରମ୍ଭ କରନ୍ତି। ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀରୁ ହିଁ ପଦଯାତ୍ରା ଆରମ୍ଭ ହୁଏ। କିନ୍ତୁ ଏଥର ଆରମ୍ଭ ଦିନ ନବୀନ ସାମିଲ ହୋଇ ନଥିଲେ। ଆଜି ଜନ୍ମଦିନରେ ପଦଯାତ୍ରାରେ ଯୋଗ ଦେଇ କର୍ମୀମାନଙ୍କୁ ଉତ୍ସାହିତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/17/dagdadgdga-2025-10-17-02-31-48.jpg)