ପୁରୀରୁ ‘ଜାଗା ମିସନ୍’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୨ ହଜାର ବସ୍ତିର ୨ ଲକ୍ଷ ଲୋକଙ୍କୁ ମିଳିବ ଜମି ପଟ୍ଟା, ୮ଟି ଜିଲ୍ଲାର ୧୦ ହଜାର ବସ୍ତିବାସିନ୍ଦା ପାଇଲେ ପଟ୍ଟା, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ

ପୁରୀ : ଗୁରୁବାର ପୂର୍ବାହ୍ନରେ ପୁରୀ ଶ୍ରୀକ୍ଷେତ୍ରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ତି ବାସିନ୍ଦାଙ୍କ ପାଇଁ ‘ଜାଗା ମିସନ୍‌’ର ଶୁଭାରମ୍ଭ କରିଛନ୍ତି। ସହରାଞ୍ଚଳରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାରେ ରାଜ୍ୟର ୨ ହଜାର ବସ୍ତିର ୨ ଲକ୍ଷ ଲୋକଙ୍କୁ ସ୍ଥାୟୀ ପଟ୍ଟା, ଘର ପ୍ରଦାନ ସହ ବିଜୁଳି, ପାଣି ଆଦି ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୮ଟି ଜିଲ୍ଲାର ପୌରାଞ୍ଚଳରେ ରହୁଥିବା ୧୦ ହଜାର ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ଓ ଆବାସ ଯୋଜନାରେ ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ପୁରୀ ପୌରାଞ୍ଚଳରେ ସର୍ବାଧିକ ୬ ହଜାର ୫୦୦ ବସ୍ତି ବାସିନ୍ଦାଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବରିଷ୍ଠ ନାଗରିକଙ୍କ ପାଇଁ ‘ତୀର୍ଥଯାତ୍ରା ଯୋଜନା’ର ମଧ୍ୟ ଶୁଭାରମ୍ଭ କରିଥିଲେ।

ପେଣ୍ଠକଟା (ଏ) ବସ୍ତିର କୁନ୍ଦାରାଣୀ, ମଙ୍ଗଳା ସାହିର ସୋନ ବିବି, ବାଲିନୋଳିଆ ସାହିର ଏସ.ଇନ୍ଦିରା, ମଣିବାବା କଲୋନିର ପାର୍ବତୀ ମହାନ୍ତି, ମଶାଣି ଚଣ୍ଡୀ ବସ୍ତିର ସୁବାସିନୀ ଭୋଇ, ଜଗନ୍ନାଥ ବସ୍ତିର କୁମାର ବେହେରାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ଓ ୨ ଲକ୍ଷ ଟଙ୍କାର ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ‘ଜାଗା ମିସନ୍’ ଯୋଜନାର ଶୁଭାରମ୍ଭ କରିଥିଲେ। ତାଳବଣିଆ ଷ୍ଟାଡିୟମଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ବସ୍ତି ବାସିନ୍ଦାଙ୍କ ମୁହଁରେ ହସ ଫୁଟାଇବା ମୋର ଲକ୍ଷ୍ୟ। ‘ଜାଗା ମିସନ୍’ ଏହାର ଏକ ଅଂଶ ବିଶେଷ। ବସ୍ତି ବାସିନ୍ଦାଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ଓ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଏହି ମହତ୍ବକାଂକ୍ଷୀ ଯୋଜନା ସଂପର୍କରେ ସେ ପୁରୀ ନୋଳିଆବସ୍ତିରୁ ହିଁ ପ୍ରଥମେ ଧାରଣା ପାଇଥିଲେ। ସେହି ଅନୁଯାୟୀ ‘ଜାଗା ମିସନ୍’ର ରୂପରେଖ ପ୍ରସ୍ତୁତ ହୋଇଥିଲା। ଆଜି ବଡ଼ ସୌଭାଗ୍ୟର ଦିନ ଏହି ଯୋଜନା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ୍‌ରୁ ଆରମ୍ଭ ହୋଇଛି।

ପୁରୀ ପୌରାଞ୍ଚଳର ୬ ହଜାର ୫୦୦ ବସ୍ତି ବାସିନ୍ଦାଙ୍କୁ ଏହି ଯୋଜନାରେ ଭୂମି ଅଧିକାର ପ୍ରମାଣପତ୍ର ଓ ଆବାସ ଯୋଜନାରେ ୨ ଲକ୍ଷ ଟଙ୍କା‌ରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ରାଜ୍ୟର ୨ ହଜାର ବସ୍ତିର ୨ ଲକ୍ଷ ବସ୍ତି ବାସିନ୍ଦାଙ୍କୁ ଏହି ଯୋଜନାରେ ଭୂମି ଅଧିକାର ପ୍ରମାଣପତ୍ର ଦେବାକୁ ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ଏହି ଯୋଜନାରେ ଅନ୍ୟ ହିତାଧିକାରୀମାନେ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ବସ୍ତି ବାସିନ୍ଦାଙ୍କ ସହ ଭାବ ବିନିମୟ କରିବା ସହ ସମସ୍ତେ ଏଥିରେ ଖୁସି ନା ନାହିଁ ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ପଦୁଟିଏ କଥାରେ ପୂରା ସଭା କରତାଳିରେ କମ୍ପି ଉଠିଥିଲା। ପୁରୀ ସମେତ ବାଲେଶ୍ବର, ଗଞ୍ଜାମ, ଭଦ୍ରକ, କେନ୍ଦ୍ରାପଡ଼ା, ବରଗଡ଼, ବୌଦ୍ଧ ଓ ଢ଼େଙ୍କାନାଳ ଜିଲ୍ଲାରେ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଉପରୋକ୍ତ ଜିଲ୍ଲାଗୁଡ଼ିକରେ ଆଜି ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର (ପଟ୍ଟା) ବଣ୍ଟନ କରାଯାଇଥିବା ବେଳେ ଭଦ୍ରକ, ଢ଼େଙ୍କାନାଳ, ଗଂଜାମ, ବରଗଡ଼ ଓ ବାଲେଶ୍ବର ଜିଲ୍ଲା ସହ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନ୍‌ଫରେନ୍ସିଂ ଦ୍ବାରା କିଛି ହିତାଧିକାରୀଙ୍କ ସହ ବାର୍ତାଳାପ କରିଥିଲେ। ଏଥି ସହିତ ‘ଜାଗା ମିସନ୍‌’ର ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ‘ଜାଗା ମିସନ୍’ ଆଧାରିତ ସଙ୍ଗୀତର ଉନ୍ମୋଚନ ମଧ୍ୟ କରିଥିଲେ।

ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି, କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ପୁରୀ ସାଂସଦ ପିନାକୀ ମିଶ୍ର, ଜଗତସିଂହପୁର ସାଂସଦ କୁଳମଣି ସାମଲ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ନିମାପଡ଼ା ବିଧାୟକ ସମୀର ରଂଜନ ଦାଶ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ନଗର ଉନ୍ନୟନ ବିଭାଗ ଶାସନ ସଚିବ ଜି. ମାଥିଭାଥନନ୍ ସ୍ବାଗତ ଭାଷଣ ଦେଇଥିବା ବେଳେ ପୌର ପ୍ରଶାସନ ନିର୍ଦେଶକ ସଂଗ୍ରାମଜିତ୍ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର