ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର-ସୁରଟ ଦୈନିକ ଟ୍ରେନ୍‌ ଚଲାଅ

ଭୁବନେଶ୍ୱର: ବ୍ରହ୍ମପୁର-ସୁରଟ୍‌ ମଧ୍ୟରେ ଦୈନିକ ଦୁଇଟି ଟ୍ରେନ୍‌ ଚଳାଚଳ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ୍‌ଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିରେ ସେ ଦର୍ଶାଇଛନ୍ତି, ସୁରଟ ଓ ବ୍ରହ୍ମପୁର ମଧ୍ୟରେ ଦୈନିକ ଟ୍ରେନ୍‌ ଚଳାଚଳ ପାଇଁ ସୁରଟରେ ରହୁଥିବା ଓଡ଼ିଆମାନଙ୍କର ଦୀର୍ଘ ଦିନର ଦାବି ରହିଛି। ସୁରଟରେ ସୂତାକଳ, ହୀରା କାରଖାନା ଓ ଅନ୍ୟ ବାଣିଜ୍ୟିକ ସଂସ୍ଥାଗୁଡ଼ିକରେ ବହୁ ସଂଖ୍ୟାରେ ଓଡ଼ିଆ କାମ କରୁଛନ୍ତି। ବର୍ତ୍ତମାନ ଦକ୍ଷିଣ ଓଡ଼ିଶାରୁ ୭ ଲକ୍ଷରୁ ଅଧିକ ଲୋକ ସୁରଟରେ କାମ କରୁଛନ୍ତି। କିନ୍ତୁ ବ୍ରହ୍ମପୁର ଓ ସୁରଟ ମଧ୍ୟରେ ଗୋଟିଏ ବି ସିଧାସଳଖ ଟ୍ରେନ୍‌ ଚଳାଚଳ କରୁ ନାହିଁ। ଏବେ ଓଡ଼ିଶାରୁ ଗୁଜୁରାଟକୁ ସପ୍ତାହକୁ ଚାରି ଦିନ ପୁରୀ-ଅହମଦାବାଦ ଏକ୍ସପ୍ରେସ୍‌, ସପ୍ତାହକୁ ଥରେ ପୁରୀ-ଓଖା ଏକ୍ସପ୍ରେସ ଓ ପୁରୀ-ଗାନ୍ଧୀଧାମ ଟ୍ରେନ୍‌ ଚଳାଚଳ କରୁଛି। ଯେହେତୁ ଏହି ଟ୍ରେନ୍‌ଗୁଡ଼ିକ ଛାଡ଼ିବା ଓ ପହଞ୍ଚିବା ସ୍ଥାନ ଭିନ୍ନ ଭିନ୍ନ ଜାଗାରେ ରହିଛି, ତେଣୁ ସୁରଟ ଓ ବ୍ରହ୍ମପୁରରେ ଯାତ୍ରୀଙ୍କ ପାଇଁ ଯେତିକି ସିଟ୍‌ ରହୁଛି, ତାହା ଯଥେଷ୍ଟ ନୁହେଁ। ତେଣୁ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସୁରଟ ଓ ବ୍ରହ୍ମପୁର ମଧ୍ୟରେ ଟ୍ରେନ୍‌ ଚଳାଚଳ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର