କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଚିଠି ଲେଖି‌ଲେ ନବୀନ

ସିବିଏସ୍‌ଇ ପରୀକ୍ଷା ଫି’ ବୃଦ୍ଧି ପ୍ରସଙ୍ଗ

ଭୁବନେଶ୍ବର: ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’ ସିବିଏସ୍‌ଇ ବଢ଼ାଇବା ପରେ ଏହାକୁ ନେଇ ଚାରିଆଡ଼ୁ ବିରୋଧ ଆରମ୍ଭ ହୋଇଯାଇଛି। ଆଜି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କଙ୍କୁ ଚିଠି ଲେଖିଛନ୍ତି। ଏହି ବର୍ଦ୍ଧିତ ଫି’କୁ ନେଇ ପୁନର୍ବିଚାର କରିବାକୁ ସିବିଏସ୍‌ଇ ଉପରେ ଚାପ ପକାଇବାକୁ ନବୀନ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ନବୀନ ଲେଖିଛନ୍ତି ଯେ ପରୀକ୍ଷା ଫି’ ଅହେତୁକ ଭାବେ ବଢ଼ାଇ ଦିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଫି’ ୨୪ଗୁଣା ବଢ଼ାଇବା ଅତ୍ୟନ୍ତ ଆ‌ଶ୍ଚର୍ଯ୍ୟଜନକ। ଅପରପକ୍ଷେ ଓଡ଼ିଶା ସରକାର ଆର୍ଥିକ ଓ ସାମାଜିକ ଅନୁନ୍ନତ ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରାମାଞ୍ଚଳରେ ୨୦୦ରୁ ଅଧିକ ଇଂରାଜୀ ମାଧ୍ୟମିକ ସ୍କୁଲ ଖୋଲିଛନ୍ତି। ଏହି ସ୍କୁଲଗୁଡ଼ିକ ସିବିଏସ୍‌ଇ ଦ୍ବାରା ଅନୁବନ୍ଧିତ। ଏହି ପରୀକ୍ଷା ଫି’ ବୃଦ୍ଧି ନିଷ୍ପତ୍ତି ସେମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବ। ତେଣୁ ଏହି ପ୍ରସଙ୍ଗ‌େର ଆପଣ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସୂଚନାଯୋଗ୍ୟ, ସିବିଏସଇ ପରୀକ୍ଷା ଫି’କୁ ଏସ୍‌ସି ଓ ଏସ୍‌ଟି ଛାତ୍ରଛାତ୍ରୀଙ୍କ ପାଇଁ ୫୦ଟଙ୍କାରୁ ୧୨ଶହ ଟଙ୍କାକୁ ଏବଂ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫି’ ୭୫୦ ଟଙ୍କାରୁ ୧୫ଶହ ଟଙ୍କାକୁ ବଢ଼ାଇଛନ୍ତି । ଏଥିସହ ଲେଟ୍ ଫି’ ୨ ହଜାର ଟଙ୍କା, ଅତିରିକ୍ତ ବିଷୟରେ ପରୀକ୍ଷା ପାଇଁ ୩ ଶହ ଟଙ୍କା ଏବଂ ମାଇଗ୍ରେସନ ବାବଦକୁ ୩୫୦ ଟଙ୍କା ଫି’ ଦେବାକୁ ଦୁଇ ଦିନ ତଳେ ବିଜ୍ଞପ୍ତି ଜାରି କରିଛନ୍ତି। ଏହାପରେ ଏହାକୁ ନେଇ ସାରା ଦେଶରେ ବିରୋଧ ଆରମ୍ଭ ହୋଇଛି।

ଆଜି ରାଜ୍ୟ ଅଭିଭାବକ ମହାସଂଘର ୬ଜଣିଆ ପ୍ରତିନିଧି ଦଳ ମହାସଂଘର ସଭାପତି ବାସୁଦେବ ଭଟ୍ଟଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏଥିରେ ହସ୍ତକ୍ଷେପ କରିବା ସହ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ଅନୁରୋଧ କରିଥିଲେ। ଏଥିସହ ବର୍ଦ୍ଧିତ ଫି’ ପ୍ରତ୍ୟାହାର କରି ନେବାକୁ ମହାସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ, ବିଦ୍ୟାଳୟ ଶିକ୍ଷା ଏବଂ ସ୍ବାକ୍ଷରତା ବିଭାଗ ସଚିବ ଲିନା ରୟ ଏବଂ ସିବିଏସ୍ଇ ଅଧ୍ୟକ୍ଷା‌ ଅନିତା କରୱାଲଙ୍କ ନିକଟକୁ ଚିଠି ଲେଖିଛନ୍ତି।

ସମ୍ବନ୍ଧିତ ଖବର