ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ଏୟାର ଇଣ୍ଡିଆ ବିମାନ ଭାୟା ଝାରସୁଗୁଡ଼ା ହୋଇ ଦିଲ୍ଲୀ ଯାଉ

ଭୁବନେଶ୍ବର: ଝାରସୁଗୁଡ଼ା ବିମାନବନ୍ଦରରୁ ବାଣିଜ୍ୟିକ ବିମାନ (ଯାତ୍ରୀବାହୀ) ଉଡ଼ାଣ ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଝାରସୁଗୁଡ଼ା ବିମାନବନ୍ଦର ପୂର୍ଣ୍ଣାଙ୍ଗ ବିମାନବନ୍ଦର ମାନ୍ୟତା ପାଇଥିଲେ ହେଁ ଏଠାରୁ ନିୟମିତ ବିମାନ ଉଡ଼ାଣ ହେଉନି। ତେଣୁ ଭୁବନେଶ୍ବରରୁ ନୂଆଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର କୌଣସି ବିମାନକୁ ଭାୟା ଝାରସୁଗୁଡ଼ା କରି ଚଳାଚଳ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଝାରସୁଗୁଡ଼ା ବିମାନବନ୍ଦର ଉଦ୍‌ଘାଟନ ସମୟରେ ନବୀନ ଝାରସୁଗୁଡ଼ାରୁ ଦିଲ୍ଲୀ ବିମାନ ଉଡ଼ାଣ ପାଇଁ ଅନୁରୋଧ କରିଥିଲେ ହେଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏନେଇ କିଛି ପଦକ୍ଷେପ ନିଆଯାଇନି। ତେଣୁ ନବୀନ ଏବେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପୁଣି ଅନୁରୋଧ କରିଛନ୍ତି। ଝାରସୁଗୁଡ଼ା ବିମାନବନ୍ଦରକୁ ‘ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର’ ଭାବେ ନାମିତ କରିଥିବାରୁ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଉ ଚିଠିରେ ଲେଖିଛନ୍ତି ଯେ, ୨୨ସେପ୍ଟେମ୍ବର, ୨୦୧୮ରେ ଝାରସୁଗୁଡ଼ା ବିମାନବନ୍ଦର ଉଦ୍‌ଘାଟନ ହେବା ପରେ ‘ଏୟାର ଓଡ଼ିଶା’ ଉଡାନ୍ ଯୋଜନାରେ ଏଠାରୁ ବିମାନ ସେବା ଆରମ୍ଭ କରିଥିଲା। ଦୁର୍ଭାଗ୍ୟର ବିଷୟ ନଭେମ୍ବର ୬, ୨୦୧୮ରୁ ‘ଏୟାର ଓଡ଼ିଶା’ ହଠାତ୍ ବିମାନ ସେବା ବନ୍ଦ କରିଦେଲା। ନବୀନ ଲେଖିଛନ୍ତି ଯେ, ଝାରସୁଗୁଡ଼ା ଓଡ଼ିଶାର ଶିଳ୍ପ ଏବଂ ଖଣି ଅଞ୍ଚଳରେ ଅବସ୍ଥିତ। ପଶ୍ଚିମ ଓଡ଼ିଶାକୁ ସଂଯୋଗୀକରଣ ଦିଗରେ ଏହା ପ୍ରମୁଖ ସ୍ଥାନ। ତେଣୁ ଝାରସୁଗୁଡ଼ା ବିମାନବନ୍ଦର ଉଦ୍‌ଘାଟନ ସମୟରେ ରାଜ୍ୟ ସରକାର ଏଠାରୁ ଯାତ୍ରୀବାହୀ ବିମାନ ଉଡ଼ାଣ ହେଲେ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଁ କହିଥିଲି। ଝାରସୁଗୁଡ଼ାରୁ ଦିଲ୍ଲୀକୁ ବିମାନ ଉଡ଼ାଣ ପାଇଁ ପ୍ରସ୍ତାବ ଦେଇଥିଲି। ତେଣୁ ଭୁବନେଶ୍ବରରୁ ଦିଲ୍ଲୀ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଝାରସୁଗୁଡ଼ାରେ ରହଣି କଲେ ଝାରସୁଗୁଡ଼ାକୁ ଭୁବନେଶ୍ବର ଓ ଦିଲ୍ଲୀ ସହ ସଂଯୋଗ କରିହେବ। ପଶ୍ଚିମ ଓଡ଼ିଶାବାସୀଙ୍କ ଝାରସୁଗୁଡ଼ାରୁ ବିମାନ ଉଡ଼ାଣ ଆକାଂକ୍ଷାକୁ ପୂରଣ କରିବାକୁ ପ୍ରଧାନମନ୍ତ୍ରୀ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ଏନେଇ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଉଡାନ୍-୩ ପାଇଁ ବିଡିଂ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଖୁବ୍ ଶୀଘ୍ର କେଉଁ ରୁଟ୍‌ରେ କେଉଁ ବିମାନ ଉଡ଼ାଣ କରିବ ତାହା ଘୋଷଣା ହେବ। ବିଡିଂରେ ଝାରସୁଗୁଡ଼ା ଓ ରାଉରକେଲାରୁ ୯ଟି ରୁଟ୍‌ରେ ବିମାନ ଉଡ଼ାଣ ପାଇଁ ବିଭିନ୍ନ ବିମାନ କମ୍ପାନି ଆଗ୍ରହୀ ଦେଖାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର