ଭୁବନେଶ୍ୱର: ସୁପ୍ରିମ କୋର୍ଟରେ ପୋଲାଭରମ୍‌ ପ୍ରକଳ୍ପ ସଂପର୍କିତ ମାମଲାର ବିଚାରାଧୀନ ରହିଛି। ଏହା ସତ୍ତ୍ୱେ ଆନ୍ଧ୍ରପ୍ରଦେଶ ସରକାର ପ୍ରକଳ୍ପ ନିର୍ମାଣ ଗତିକୁ ତ୍ୱରାନ୍ଵିତ କରିଛନ୍ତି। ଏହି ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥକୁ ସଂପୂର୍ଣ୍ଣ ରୂପେ ଅଣଦେଖା କରୁଛି କେନ୍ଦ୍ର। ଏହି ପରିପ୍ରେକ୍ଷୀରେ ପୋଲାଭରମ୍‌ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଦୁଇ ରାଜ୍ୟ ତେଲେଙ୍ଗାନା ଏବଂ ଓଡ଼ିଶା ହାତ ମିଳାଇଥିବା ଘଟଣା ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଛି।

Advertisment

ଆଜି ସନ୍ଧ୍ୟାରେ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ଶ୍ରୀ ଶ୍ରୀହରି ସଚିବାଳୟକୁ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ଏହା ସୌଜନ୍ୟମୂଳକ ସାକ୍ଷାତ ଥିଲେ ହେଁ ସାକ୍ଷାତକାଳରେ ଉଭୟ ରାଜ୍ୟର ନେତା ପୋଲାଭରମ୍‌ ପ୍ରକଳ୍ପ ସଂପର୍କରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ପ୍ରସଙ୍ଗ ନେଇ ତେଲେଙ୍ଗାନା ରାଜ୍ୟ ସରକାର ସହଯୋଗ ବଜାୟ ରଖିବାକୁ ଆଶାପ୍ରକାଶ କରିଥିଲେ। ତେଲେଙ୍ଗାନା ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଓଡ଼ିଶା ସରକାରଙ୍କୁ ସମର୍ଥନ କରିବାକୁ ଘୋଷଣା କରିଥିଲେ। ଉଭୟଙ୍କ ମଧ୍ୟରେ ବେଶ୍‌ କିଛି ସମୟ ଧରି ଆଲୋଚନା ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ସରକାରଙ୍କ କହିବା ମୁତାବକ ଏହି ପ୍ରକଳ୍ପ ଜାତୀୟ ପ୍ରକଳ୍ପର ମାନ୍ୟତା ପାଇବାକୁ ଯୋଗ୍ୟ ବିବେଚିତ ହେଉନାହିଁ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶାର ବହୁସଂଖ୍ୟକ ଗ୍ରାମ ଜଳମଗ୍ନ ହେବ। ଆନ୍ଧ୍ରପ୍ରଦେଶ ସରକାର ଏକତରଫା ଭାବେ ଏହାର ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ଏଣୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ପକ୍ଷରୁ କାମ ବନ୍ଦ ନୋଟିସ ଜାରି କରାଯାଇଥିଲା। ଏହା ସତ୍ତ୍ୱେ ବିନା ଜନଶୁଣାଣିରେ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତ ନଭେମ୍ବର ୨୮ ତାରିଖରେ ପୋଲାଭରମ୍‌ ପ୍ରକଳ୍ପ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୀର୍ଘ ପତ୍ର ଲେଖିଛନ୍ତି। ପ୍ରକଳ୍ପ ନେଇ ବାକି ପଡ଼ିଥିବା ମାମଲାଗୁଡ଼ିକର ଫଇସଲା ନ ହେବା ପର୍ଯ୍ୟନ୍ତ ପୋଲାଭରମ୍‌ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତିି।