ଭୁବନେଶ୍ବର: ରାଜ୍ୟରେ ଅଣ ଓଡ଼ିଆ ଶାସନ, ଅଣ ଓଡ଼ିଆ ଠିକାଦାରଙ୍କ ପ୍ରିୟାପ୍ରୀତି ପୋଷଣ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ବୃତ୍ତି ଟଙ୍କାକୁ ଲୁଟ୍‌ ବିରୋଧରେ ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ଡାକରା ଦିଆଯାଇଥିଲା। ଯୁବ କଂଗ୍ରେସ ନେତା ନଳିନୀକାନ୍ତ ନାୟକ ଓ ସୁଦୀପ ସାମଲଙ୍କ ନେତୃତ୍ବରେ ଯୁବ କଂଗ୍ରେସ କର୍ମୀମାନେ ନିବାସ ନିବାସ ଘେରାଉ ପାଇଁ ଯିବା ସମୟରେ ଫରେଷ୍ଟ ପାର୍କ ନିକଟରେ କମିସନରେଟ୍‌ ପୁଲିସ ସେମାନଙ୍କୁ ଉଠାଇ ନେଇଥିଲା।

Advertisment

ଯୁବ କଂଗ୍ରେସ ନେତା ଶ୍ରୀ ନାୟକ କହିଛନ୍ତି, ରାଜ୍ୟରେ ଓଡ଼ିଆ ଠିକାଦାରଙ୍କୁ ସେମାନଙ୍କ ହକ୍‌ରୁ ନିବୃତ୍ତ କରାଯାଉଛି। ନିକଟରେ ସିଏଜି ରିପୋର୍ଟ ଅନୁସାରେ ରାଜ୍ୟରେ ମେଧାବୀ ଛାତ୍ରଛାତ୍ରୀଙ୍କ ବୃତ୍ତିକୁ ଲୁଟ୍‌ ତଥ୍ୟ ସାମ୍ନାକୁ ଆସିଛି। ସେହିପରି ରାଜ୍ୟ ସରକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସବୁ ସମସ୍ୟାକୁ ଗୁରୁତର ସହ ବିଚାର ନ କରି ନିରବ ରହୁନ୍ତି, ତା‌ହାଲେ ସବୁ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧ କରାଯିବ। ଏସବୁ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂହଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଶ୍ବଭୂଷଣ ମହାପାତ୍ର, ବିଭୂତି ଭୂଷଣ ମହାପାତ୍ର, ବିଭୁ ପ୍ରସାଦ ଜେନା, ତାପସ ଦେ ଓ ସଫଳ ସମନ୍ବୟଙ୍କ ସମେତ ବହୁ ଯୁବ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

ଘେରଉକୁ ନେଇ ଦ୍ବନ୍ଦ୍ବ, ପିସିସି ସଭାପତି କହିଲେ ସେ ଜାଣିନାହାନ୍ତି
ରାଜ୍ୟ ଯୁବ କଂଗ୍ରେସର ସଭାପତି କେହି ନାହାନ୍ତି : ଶରତ

ଅନ୍ୟପକ୍ଷରେ ଯୁବ କଂଗ୍ରେସର ଏଭଳି ଘେରାଉ ଭିନ୍ନ କାରଣରୁ ଚର୍ଚ୍ଚାକୁ ଆସିଛି। ଏହି ପ୍ରତିବାଦ ନେଇ ରାଜ୍ୟ କଂଗ୍ରେସ ଶୀର୍ଷ ନେତୃତ୍ବ ଅସନ୍ତୁଷ୍ଟ ହୋଇଛନ୍ତି। ଯୁବ କଂଗ୍ରେସ ସଭାପତି ପାଇଁ ନିର୍ବାଚନ ହୋଇଥି‌ଲେ ହେଁ ନାମ ଘୋଷଣା କରାଯାଇନାହିଁ। ଏଣୁ କାହା ଅନୁମତିରେ ଘେରାଉ କାର୍ଯ୍ୟକ୍ରମ ଆୟୋଜନ କରାଗଲା ଓ କିଏ ଅନୁମତି ଦେଲା ତାହାକୁ ନେଇ ‌କଂଗ୍ରେସ ମହଲରେ ଜୋରଦାର ଆଲୋଚନା ଚାଲିଛି। ନିଜେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ନବୀନ ନିବାସ ଘେରାଉ ସଂପର୍କରେ ଜାଣିନାହିଁ। ଯୁବ କଂଗ୍ରେସ ସଭାପତି କିମ୍ବା ସାଧାରଣ ସଂପାଦକ ପାଇଁ ନିର୍ବାଚନ ହୋଇଛି। ମାତ୍ର ନାମ ଘୋଷଣା ହୋଇନାହିଁ। କିଏ ଆନ୍ଦୋଳନ କରୁଛନ୍ତି ଜାଣିନାହିଁ। ଏ ସଂପର୍କରେ ବୁଝିବି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଶ୍ରୀ ନାୟକ ଏହି ପ୍ରସଙ୍ଗରେ ଉତ୍ତର ଦେଇ କହିଛନ୍ତି ଯେ ସଭାପତି ପଦକୁ ବାଦ୍ ଦେଲେ ଅନ୍ୟ ସବୁ ପଦବି ଘୋଷଣା ହୋଇସାରିଛି। ‌ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସଂପାଦକ ଭାବେ ସେ ଏହି ଘେରାଉର ନେତୃତ୍ବ ନେଇଥିଲେ। ଯୁବ କଂଗ୍ରେସର ଓଡ଼ିଶା ପ୍ରଭାରୀ ଇନଚାର୍ଜଙ୍କ ସହ ଆଲୋଚନା କରାଯାଇଥିବା ସେ କହିଛନ୍ତି।